ଖାଇଗଲେ ପିଲାଙ୍କ ୟୁନିଫର୍ମ ଟଙ୍କା: ଭିଜିଲାନ୍ସରେ ୮କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାବିଭାଗର ସ୍କୁଲ ପୋଷାକ ଯୋଗାଣରେ ୮ କୋଟି ଟଙ୍କାର ଦୁର୍ନୀତି । ଅଭିଯୋଗ ଆଣିଲେ ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀ । ନବରଙ୍ଗପୁର ରେ ଅନୁଷ୍ଠିତ ବିଜେଡିର ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କଲେ । ପରେ ତଥ୍ୟ ପ୍ରମାଣ ସହ ଭିଜିଲାନ୍ସ ନିକଟରେ ଦୁର୍ନୀତିର ତଦନ୍ତ ପାଇଁ ଦାବି କରିଛନ୍ତି ପ୍ରଦୀପ । ନବରଙ୍ଗପୁର ଶିକ୍ଷା ବିଭାଗରେ ଛାତ୍ରଛାତ୍ରୀ ଙ୍କ ଡ୍ରେସ ଯୋଗାଣ ରେ ମହାଦୁର୍ନୀତି ହୋଇଥିବା ନେଇ ସରକାର ଉପରେ ବର୍ଷିଛନ୍ତି। ଶିକ୍ଷାମନ୍ତ୍ରୀ ଙ୍କ ନିଜ ଜିଲ୍ଲାରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସିଥିବା ଡ୍ରେସ ଟଙ୍କାକୁ ହରିଲୁଟ କରିଛନ୍ତି ଶିକ୍ଷକ ଓ ଅଧିକାରୀମାନେ। ଜିଲ୍ଲାରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସରକାର ସ୍କୁଲ ଡ୍ରେସ ସହ ଜୋତା ଓ ଟ୍ରାକସୁଟ ପାଇଁ ୧ହଜାର ଟଙ୍କା ଯୋଗାଇ ଦେଇଥାନ୍ତି । ଜିଲ୍ଲାରେ ୨ ଲକ୍ଷ ୪୧ ହଜାର ୫୦ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଜଣେ ପିଲା ପିଛା ଡ୍ରେସ ପାଇଁ ସରକାର ପାଞ୍ଚଶହ ଟଙ୍କା ପ୍ରଦାନ କରୁଛନ୍ତି। ଶିକ୍ଷା ବିଭାଗର ଅଧିକାରୀ ଏବଂ ଶିକ୍ଷକ ମାନେ ଜିଏସଟି ନଥିବା କିଛି ବ୍ୟବସାୟୀ ମାନଙ୍କ ପାଖରୁ ଡ୍ରେସ ଗୁଡିକ ୬୦ ଟଙ୍କା ଏବଂ ୧୧୦ ଟଙ୍କା ରେ କିଣି ୫୦୦ ଟଙ୍କା ବିଲ କରାଇ ସିଧାସଳଖ ୩୫୦ ଟଙ୍କା ହଡପ କରିଥିବା କହିଛନ୍ତି ପ୍ରଦୀପ । ଏହି ଡ୍ରେସ ଗୁଡିକ ଏସଏଚଜି ଗ୍ରୁପ ଓ ଏମଏସଏମଇ ମାଧ୍ୟମ ରେ ଯୋଗାଇଦେବାର ବ୍ୟବସ୍ଥା ରହିଥିଲା । କିନ୍ତୁ ଜିଲ୍ଲାରେ କୌଣସି ଟେଲରିଂ ୟୁନିଟ ନଥିବା ବେଳେ ଜିଏସଟି ନଥିବା କିଛି ବ୍ୟବସାୟୀ ମାନଙ୍କ ସହ ସଲାସୁତୁରା କରି ସ୍କୁଲ କୁ ଯୋଗାଇ ଦିଆଯାଇଛି। ଡ୍ରେସ ଭଲ କପଡା ର ଦେବାପାଇଁ ନିର୍ଦେଶ ଥିବାବେଳେ ଡ୍ରେସଗୁଡିକ ରୋଟୋ କଟନ ଏବଂ ସିଫନ ମିକ୍ସ ଟେରିକଟ ଭଳି ନିମ୍ନ ମାନର ଯୋଗାଣ କରାଯାଇଛି । ଯାହା ପିନ୍ଧିବା ଯୋଗ୍ୟ ନୁହେଁ ବୋଲି କହିଛନ୍ତି ପ୍ରଦୀପ । ସେହିଭଳି ଟ୍ରାକ ପ୍ୟାଣ୍ଟ ଗୁଡିକ ମେଟି କପଡାର ହୋଇଥିବା ବେଳେ ଅଖା ବସ୍ତାରୁ ଟି ଶାର୍ଟ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଯେଉଁଥିରେ ୨୫୦ ଟଙ୍କା ହଡପ କରାଯାଇଛି । ଜିଲ୍ଲାରେ କୌଣସି ଟେଲରିଂ ୟୁନିଟ ନଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀ ଡ଼ିଏଲସି ବୈଠକରେ କିପିରି ୟୁନିଟ ଅଛି ବୋଲି କହି ଡ୍ରେସ ଯୋଗାଣ କରିଥିବା ଦୋକାନୀ ମାନଙ୍କୁ ସୁଯୋଗ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଜିଲ୍ଲାରେ ଛାତ୍ରଛାତ୍ରୀ ଙ୍କ ୫ ଲକ୍ଷ ଡ୍ରେସ ପାଇଁ ୨୧ କୋଟି ୧୦ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର । ଅଷ୍ଟମ ରୁ ନବମ ୩୦ ହଜାର ଛାତ୍ର ଛାତ୍ରୀ ଙ୍କ ପାଇଁ ୩ କୋଟି ଟଙ୍କା ର ଅନୁଦାନ ଆସିଥିଲା । ସର୍ବମୋଟ ଜିଲ୍ଲାରେ ପ୍ରଥମ ରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ପାଇଁ ମୋଟ ୨୪ କୋଟି ୧୧ ହଜାର ୫୦ ଟଙ୍କାର ଅନୁଦାନ ଆସିଥିଲା । ପ୍ରଥମ ରୁ ଦଶମ ସର୍ବମୋଟ ୨ ଲକ୍ଷ ୪୧ ହଜାର ୫୦ ଜଣ ଛାତ୍ର ଛାତ୍ରୀ ଙ୍କ ଠାରୁ ଜଣଙ୍କ ପିଛା ୩୫୦ ହିସାବ ରେ ପିସି ଖାଇ ମୋଟ ୮ କୋଟି ଟଙ୍କା ର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । ସାମ୍ବାଦିକ ସମ୍ମିଳନୀ ପରେ ଏନେଇ ସମସ୍ତ ପ୍ରମାଣ ତଥ୍ୟ ସହ ଭିଜିଲାନ୍ସ ନିକଟରେ ଲିଖିତ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ପ୍ରଦୀପ ମାଝୀ ।