ଭୁବନେଶ୍ୱର ଏମ୍ସରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ଯରେ ଭୁବନେଶ୍ୱର ଏମ୍ସରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ଵାସ ଏହି ଅବିସ୍ମରଣୀୟ ମୂହୁର୍ତ୍ତରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଏହି ଅବସରରେ ସ୍ବାସ୍ଥ୍ୟ ସେବା ଯୋଗାଇବାଦେବାରେ ସମଗ୍ର ପୂର୍ବଭାରତର ବିଶ୍ଵାସ ଜିଣିପାରିଥିବା ଭୁବନେଶ୍ୱର ଏମ୍ସ ଏହି ଅମୃତ କାଳ ସମୟରେ ନିରନ୍ତର ଉତ୍ସର୍ଗୀକୃତ ତଥା ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ସହିତ ମାତୃଭୂମିର ସେବା କରିବାର ପ୍ରତିବଦ୍ଧତା ସମ୍ପର୍କରେ ଡାକ୍ତର ବିଶ୍ବାସ ମତବ୍ୟକ୍ତ କରିଥିଲେ ।
ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏମ୍ସ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହିତ ଆଗାମୀ ଦିନମାନଙ୍କରେ ଏମ୍ସ ପକ୍ଷରୁ ହେବାକୁ ଥିବା ଏକାଧିକ ନୂତନ ବ୍ୟବସ୍ଥା ଉପରେ ସେ ସୂଚନା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡାକ୍ତର ବିଶ୍ଵାସଙ୍କ ସମେତ ଡିନ୍ ଡାକ୍ତର ପି ଆର ମହାପାତ୍ର, ଡାକ୍ତର ସତ୍ୟଜିତ ମିଶ୍ର, ଡାକ୍ତର ସୌଭାଗ୍ୟ କୁମାର ଜେନା, ମେଡିକାଲ ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଡିଡିଏ କର୍ଣ୍ଣେଲ ଅଭିଜିତ ସରକାର ଧନ୍ୟବାଦ ଅର୍ପଣ କରିଥିଲେ।
ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପରିବେଶକୁ ଆହୁରି ଅଧିକ ଜୀବନ୍ତ କରିବା ସହିତ ଦେଶପ୍ରେମର ଧାରା ପ୍ରବାହିତ କରିଥିଲା।