ରାଜ୍ୟ
ବରପାଲିରେ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ , ୧୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲିରେ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଢିଲା ଗିରଫଦାରି । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି । ୧୦ ଜଣ ଛାତ୍ର, ଜଣେ କମ୍ପ୍ୟୁଟର ଦୋକାନୀ ଓ କିରାଣୀଙ୍କୁ ବାନ୍ଧିଛି ବରପାଲି ପୋଲିସ । ୧୨ଜଣକୁ ପୋଲିସ କେସ ନଂ ୨୯/୨୫.ଆଇପିସି ୩୧୮(୪)୬୧୨,୬୬ ଆଇ ଟି ଆର (୯) ଧାରା ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।
ସୂଚନାରୁ ପ୍ରକାଶ ଗତ ୨୯ ତାରିଖରେ ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଯୁକ୍ତ ୩ ତୃତୀୟ ସେମିଷ୍ଟର ଚାଲଥିବା ସମୟରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡ଼ିଥିଲା । ସ୍କ୍ୱାଡ୍ ଟିମ୍ ଯାଞ୍ଚ୍ କରୁଥିବା ସମୟରେ କିଛି ଛାତ୍ରଙ୍କ ପାଖରୁ ସମାନ ପ୍ରଶ୍ନପତ୍ର ଓ ଉତ୍ତରପତ୍ର ଦେଖିବାକୁ ପାଇଥିଲେ । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାସଙ୍କୁ ଖବର ଦିଆଯିବା ପରେ ସେ ହଲକୁ ଆସି ତଦାରଖ କରିଥିଲେ । ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜାଣି ସେ ତୁରନ୍ତ ବରପାଲି ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ ଅଧିକ ଛାନଭିନ୍ କରିଥିଲା ।