ରାଜ୍ୟ

ସିନ୍ଧିଚୋରଙ୍କ ନିଶାଣରେ ରାଜଧାନୀ: ଲୁଟିନେଲେ ୪ଲକ୍ଷ ଟଙ୍କାର ସୁନାଗହଣା, ବିଲରେ ହେଲା ବଣ୍ଟାକୁଣ୍ଟା

ଭୁବନେଶ୍ବର: କିଛି ଦିନର ନିରବତା ପୁଣି ସିନ୍ଧିଚୋରଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗତକାଲି ବଡ଼ଗଡ଼ ଥାନା କେସୁରା ଆଶୁତୋଷନଗରରେ ଘଟିଛି ପୁଣି ଏକ ସିନ୍ଧିଚୋରି। ଦୁର୍ବୃତ୍ତମାନେ ଏକ ନୂଆ ଘରର ଚାରି ଚାରିଟି ତାଲା କାଟି ଗହଣା ଓ ଟଙ୍କା ଥିବା ଟ୍ରଙ୍କ୍‌ ଟେକିନେବା ପରେ ନିକଟସ୍ଥ ବିଲ ଭିତରେ ଟ୍ରଙ୍କ ଭାଙ୍ଗି ଟଙ୍କା ଓ ଗହଣା ନେଇ ପାର୍ ହୋଇଯାଇଛନ୍ତି। ଚୋରି ହୋଇଥିବା ସୁନା ଗହଣାର ମୂଲ୍ୟ ୪ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏନେଇ ଆଜି ଘର ମାଲିକ ସର୍ବେଶ୍ବର ସାହୁ ବଡ଼ଗଡ଼ ଥାନାରେ ଜଣାଇବା ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ବିଲ ଭିତରୁ ଖାଲି ଟ୍ରଙ୍କ୍‌ ଜବତ କରାଯାଇଛି, ମାତ୍ର ସିନ୍ଧିଚୋରଙ୍କ ଟେର୍‌ ମିଳିନାହିଁ।

ଘର ମାଲିକ ସର୍ବେଶ୍ବରଙ୍କ ଅଭିଯୋଗ ମୁତାବକ କିଛି ଦିନ ତଳେ ଏହି ଘର ପ୍ରତିଷ୍ଠା କରାଯାଇଥିଲା। ପରିବାର ଲୋକେ ଉକ୍ତ ଘରେ ସ୍ଥାୟୀ ଭାବେ ରହି ନଥିଲେ ହେଁ କିଛି କିଛି ଜିନିଷପତ୍ର ପର୍ଯ୍ୟାୟକ୍ରମେ ସ୍ଥାନାନ୍ତର ହେଉଥିଲା। ସର୍ବେଶ୍ବର ଓ ତାଙ୍କ ପୁଅ ମଝିରେ ମଝିରେ ଆସି ଘରର ଦେଖାଶୁଣା କରୁଥିଲେ। ବଡ଼ କଥା ହେଉଛି ସେମାନେ ବିଳମ୍ବିତ ରାତିରେ ଘରକୁ ଆସି ରହୁଥିଲେ ଏବଂ ସକାଳୁ ଚାଲିଯାଉଥିଲେ। ଦିନ ସାରା ଓ ସନ୍ଧ୍ୟାରେ ଘର ଖାଲି ରହୁଥିଲା। ରେକି କରୁଥିବା ସିନ୍ଧିଚୋରଙ୍କ ନଜରରେ ଏହା ପଡ଼ିଥିଲା। ଗତକାଲି ରାତି ପ୍ରାୟ ୧୧ଟାରେ ସର୍ବେଶ୍ବର ନୂଆଘରକୁ ଆସିଥିଲେ। କିନ୍ତୁ ସେତେବେଳକୁ ଘରେ କଳାକନା ବୁଲିସାରିଥିଲା। ୪ଟିଯାକ ତାଲା ଭଙ୍ଗାଯାଇ ତଳେ ପଡ଼ିଥିଲା। ଘର ଭିତରେ ଏକ ଶାବଳ ପଡ଼ିଥିଲା ଏବଂ ପଛ କବାଟ ଭଙ୍ଗାଯାଇଥିଲା। ତୁରନ୍ତ ସେ ବଡ଼ଗଡ଼ ଥାନାକୁ ଜଣାଇଥିଲେ। ରାତିରେ ପୁଲିସ ଘଟଣାସ୍ଥଳକୁ ଆସିଥିଲା, କିନ୍ତୁ ତଦନ୍ତ ଅଧୁରା ରହିଥିଲା। ଆଜି ସକାଳୁ ପୁଣି ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚିବା ପରେ ଶାବଳ ଜବତ କରିବା ସହ ଅନ୍ୟାନ୍ୟ ଦିଗକୁ ନେଇ ଛାନ୍‌ଭିନ୍‌ କରିଥିଲା। ଏହି ସମୟରେ ନିକଟସ୍ଥ ବିଲ ଭିତରେ ଏକ ଟ୍ରକ୍‌ ପଡ଼ିଛି ବୋଲି ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ପୁଲିସ ଟ୍ରଙ୍କ୍‌କୁ ଜବତ କରିଥିଲା। କିନ୍ତୁ ଭଙ୍ଗା ଟ୍ରଙ୍କ୍‌ରେ କିଛି ନଥିଲା।
ପୂର୍ବରୁ ଧଉଳି, ପାହାଳ, ବାଲିପାଟଣା ଓ ବାଲିଅନ୍ତା ଥାନା ଅଞ୍ଚଳରେ ସିନ୍ଧିଚୋର ଗ୍ୟାଙ୍ଗ୍‌ ଆପାର୍ଟମେଣ୍ଟକୁ ଟାର୍ଗେଟ୍‌ କରୁଥିଲେ। ଲୋକ ନଥିବା ଘରେ ପଶି କଳାକନା ବୁଲାଇଥିଲେ। ପରିତାପର କୌଣସି ଗୋଟିଏ ବି ମାମଲାରେ ପୁଲିସକୁ ସଫଳତା ମିଳିନାହିଁ। ରାଜଧାନୀ ଉପକଣ୍ଠରେ ପାହାଳରୁ ଧଉଳି ପର୍ଯ୍ୟନ୍ତ ଏବଂ ବାରଙ୍ଗରୁ ଚନ୍ଦକା ପର୍ଯ୍ୟନ୍ତ ବୁଲିବୁଲି ସିନ୍ଧିଚୋର ଗ୍ୟାଙ୍ଗ୍‌ ବେଧଡ଼କ ଲୁଟୁଥିଲେ ବି ପୁଲିସ ସେମାନଙ୍କ ପତ୍ତା ପାଇପାରିନାହିଁ। କେବଳ ସେତିକି ନୁହେଁ ଖୋଦ ରାଜଧାନୀର ଛାତି ଉପରେ ଭିଭିଆଇପି ଅଞ୍ଚଳରେ ବି ସିନ୍ଧିଚୋରି ଆତଙ୍କ କିଛି କମ୍‌ କଥା ହୋଇ ରହିନି। ନୂଆପଲ୍ଲୀ ଥାନା ଆଇଆର୍‌ସି ଭିଲେଜ୍‌ ଭିତରୁ ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ମଧ୍ୟ ଚୋରି ହେଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ କମିସନରେଟ୍‌ ପୁଲିସକୁ ନିର୍ଦ୍ଦେଶ ଦେଲେ। ମାତ୍ର ପୁଲିସ ହାତ ଖାଲି। ଏହା ଭିତରେ ଦୁର୍ବୃତ୍ତମାନେ ରାଜଧାନୀରୁ ଗୋଟିଏ ଏଟିଏମ୍‌ ମେସିନ୍‌ ତାଡ଼ି ନେଇ ଗଙ୍ଗୁଆ ନାଳରେ ଫୋପାଡ଼ିଦେଲେ। ସେଥିରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟିନେଲେ। ସେହି ମାମଲାରେ ବି ପୁଲିସ ହାତ ଟେକି ଦେଇଛି। କିନ୍ତୁ ପୁଲିସର ରାତିଅଧିଆ ବ୍ଲକିଂ ଚେକିଂ କମ୍‌ ନାହିଁ। ଏବେ ଆରମ୍ଭ ହୋଇଛି କନ୍‌ଭଏ ପାଟ୍ରୋଲିଂ। ପୁଲିସ ପାଟ୍ରୋଲିଂରେ ମାତିଛି, ଚୋରମାନେ ଘର ତାଡ଼ିବାରେ ମାତିଛନ୍ତି।

ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘରେ ବୁଲିଲା କଳାକନା

ଧଉଳି: ଗତକାଲି ବିଳମ୍ବିତ ରାତିରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଉତ୍ତରା ବାଲିସାହିରେ ଘଟିଛି ସିନ୍ଧିଚୋରି। ଦୁର୍ବୃତ୍ତମାନେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଘରେ କଳାକନା ବୁଲାଇଛନ୍ତି। ସମାନ ତରିକାରେ ଘରେ କେହି ନଥିବା ମଉକାରେ କବାଟ ତାଲା କାଟି ଦୁର୍ବୃତ୍ତମାନେ ନଗଦ ୧୫ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏସଂପର୍କରେ ଲୁଟ୍‌ର ଶିକାର ସେନା ଅଧିକାରୀ ଜଗଦାନନ୍ଦଙ୍କ ଭାଇ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ ଜଗଦାନନ୍ଦ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ସେ ପତ୍ନୀଙ୍କ ସହିତ ବାଲିସାହିରେ ରୁହନ୍ତି। ଗତ ୩୦ ତାରିଖ ଦିନ ସେ ସପତ୍ନୀକ ପୁନେ ଯାଇଥିଲେ। ରେକି କରୁଥିବା ସିନ୍ଧିଚୋରମାନେ ଏହା ଜାଣିପାରିଥିଲେ। ଗତକାଲି ରାତିରେ ଦୁର୍ବୃତ୍ତମାନେ ପାଚେରି ଡେଇଁ ଘରକୁ ଯାଇଥିଲେ ଏବଂ ତାଲା କାଟି ଘର ଭିତରେ ପଶିଥିଲେ। ଆଜି ସକାଳୁ ଘର କବାଟ ଖୋଲାମେଲା ଥିବା ଦେଖି ପଡ଼ୋଶୀମାନେ ଜଗଦାନନ୍ଦଙ୍କୁ ଫୋନ୍‌ କରି ଜଣାଇଥିଲେ। ସେ ପୁନେ‌ରେ ଥିବାରୁ ତାଙ୍କ ସାନ ଭାଇଙ୍କୁ ଜଣାଇଥିଲେ। ସାନ ଭାଇ ଘରକୁ ଆସି ଆଲ୍‌ମିରା ତଡ଼ା ହୋଇଥିବା ଦେଖିଥିଲେ। ଗହଣାବାକ୍ସ ସବୁ ଖୋଲା ହୋଇ ପଡ଼ିଥିଲା। କେତେ କ’ଣ ଚୋରି ହୋଇଛି, ସେ ସମ୍ପର୍କରେ ଜଣାପଡ଼ିନାହିଁ। କିନ୍ତୁ ନଗଦ ୧୫ ହଜାର ଟଙ୍କା ଥିଲା ବୋଲି ଜଗଦାନନ୍ଦ ଜଣାଇଛନ୍ତି। ଖବର ପାଇ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ପହଞ୍ଚିଥିଲା ଏବଂ ତଦନ୍ତ ଆରମ୍ଭ କରିଥିଲା। ଚୋରଙ୍କୁ ଧରିବା ପାଇଁ ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।

 

Leave a Reply

Your email address will not be published. Required fields are marked *

Back to top button