ରାଜ୍ୟ

ବରିଷ୍ଠ ନାଗରିକଙ୍କୁ ହାଇୱା ଦଳିଦେଲା: ୬ ଘଣ୍ଟା ରାସ୍ତା ଅବରୋଧ, ୧୦ ଦିନରେ ଚାଲିଗଲାଣି ୨ ଜୀବନ

ବାଲିଅନ୍ତା ବଜାର: ରବିବାର ସକାଳ ପ୍ରାୟ ୮ଟା ବେଳେ ବାଲିଅନ୍ତା ଥାନା ପ୍ରତାପରୁଦ୍ରପୁର-କଣ୍ଟାପଡ଼ା ରାସ୍ତାରେ ଜୟଦେବ ହାଇସ୍କୁଲ୍‌ ସମ୍ମୁଖରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଦୁଇ ଦୁଇଟି ହମ୍ପସ୍‌ ଡେଇଁ ଏକ ଦ୍ରୁତଗାମୀ ହାଇୱା ଜଣେ ବରିଷ୍ଠ ନାଗରିକଙ୍କୁ ଦଳି ଦେଇଛି। ମୃତକ ହେଲେ ସ୍ଥାନୀୟ ନୂଆସାହି ଗାଁର ପୀତବାସ ପଣ୍ଡା(୭୪)। ସ୍କୁଲ୍‌ ଆଗରେ ପୁଣି ସରସ୍ବତୀ ପୂଜା ଦିନରେ ଏଭଳି ଅଘଟଣ ଘଟିବା ଯୋଗୁ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ରାସ୍ତାରେ ଦ୍ରୁତଗାମୀ ହାଇୱାଗୁଡ଼ିକ ବାରମ୍ବାର ଦୁର୍ଘଟଣା ଘଟାଇ ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାରୁ ଲୋକେ ଅସମ୍ଭାଳ ହୋଇପଡ଼ିଥିଲେ। ଉତ୍ତ୍ୟକ୍ତ ଲୋକେ ଗାଡ଼ିଚାଳକକୁ ବହେ ଛେଚିବା ସହ ଗାଡ଼ି ଜାଳିଦେବାକୁ ଉଦ୍ୟମ କରିଥିଲେ। ଏହି ରାସ୍ତାରେ ହାଇୱା ଚଳାଚଳ ନିୟନ୍ତ୍ରଣ କରିବା ଓ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଲୋକେ ଟାୟାର୍‌ ଜାଳି ଅବରୋଧ କରିଥିଲେ। ୩ ପ୍ଲାଟୁନ୍‌ ପୁଲିସ ବଳ ସହ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପ୍ରାୟ ୬ଘଣ୍ଟା ପରେ ଘଟଣାସ୍ଥଳରୁ ମୃତଦେହ ଉଠିଥିଲା ଏବଂ ରାସ୍ତା ଅବରୋଧ ହଟିଥିଲା।

କୌଣସି କାମରେ ସକାଳୁ ସକାଳୁ ପୀତବାସ ଏକ ସ୍କୁଟି ଯୋଗେ ଜୟଦେବ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ସେ ହାଇସ୍କୁଲ୍‌ ସମ୍ମୁଖରେ ପହଞ୍ଚିଥିବା ବେଳେ ହଠାତ୍ ଏକ ଦ୍ରୁତଗାମୀ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଫଳରେ ପୀତବାସ ସ୍କୁଟି ସହ ତଳେ ପଡ଼ିଯାଇଥିଲେ। କିନ୍ତୁ ବେପରୁଆ ହାଇୱା ଚାଳକ ଗାଡ଼ି ଅଟକାଇବା ସ୍ଥିତିରେ ନଥିଲା। ଫଳରେ ହାଇୱା ସିଧାସଳଖ ପୀତବାସଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ହାଇୱା ଚାଳକ ଗାଡ଼ି ଛାଡ଼ି ପଳାଉଥିବା ବେଳେ ଲୋକେ ତାକୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲେ। ସ୍କୁଲ୍‌ ସମ୍ମୁଖରେ ଦୁଇ ଦୁଇଟି ହମ୍ପସ୍‌ ଥିବା ପରେ ବି ବେପରୁଆ ହାଇୱାଚାଳକ ଜଣେ ବରିଷ୍ଠ ନାଗରିକଙ୍କ ଜୀବନ ନେଇଥିବାରୁ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସରସ୍ବତୀ ପୂଜା ବେଳେ ସ୍କୁଲ୍‌ ସମ୍ମୁଖରେ ପିଲାମାନଙ୍କ ଗହଳଚହଳ ଲାଗିରହିଥିଲା। ଏମିତି ସ୍ଥିତିରେ ହାଇୱାଚାଳକ ବେପରୁଆ ଗାଡ଼ି ଚାଳନା କରୁଥିବାରୁ ଲୋକେ ଆହୁରି ତାତି ଉଠିଥିଲେ। ଉତ୍ତ୍ୟକ୍ତ ଲୋକେ ଗାଡ଼ି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେବାକୁ ଉଦ୍ୟମ କରିଥିଲେ। କିନ୍ତୁ ବାଲିଅନ୍ତା ଥାନା ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରି ଗାଡ଼ି ପୋଡ଼ିବାରୁ ନିବୃତ୍ତ କରିଥିଲା। କିନ୍ତୁ ଉତ୍ତେଜନା ବଢ଼ିବଢ଼ି ଚାଲିଥିଲା।

ଗତମାସ ୨୧ ତାରିଖରେ ଏହି ରାସ୍ତାରେ ଏମିତି ଏକ ହାଇୱା ମାଡ଼ିଯିବାରୁ କାକରୁଦ୍ରପୁରର ଅମୂଲ୍ୟ ନାଥଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଦ୍ରୁତଗାମୀ ହାଇୱା ଧକ୍କାରେ ବାରମ୍ବାର ମୁଣ୍ଡ ଗଡ଼ୁଥିବାରୁ ଲୋକେ ଏଥିରେ ନିୟନ୍ତ୍ରଣ ଆଣିବା ଦାବିରେ ରାସ୍ତା ଅବରୋଧ କରିଥିଲେ। ମୃତଦେହକୁ ରାସ୍ତ‌ାରେ ରଖି ଅବରୋଧ କରିଥିଲେ। ଖବର ପାଇ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଏସିପି ମାନସ ରଞ୍ଜନ ଦେଓ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିସ୍ଥିତି ଅଶାନ୍ତ ହେବା ଦେଖି ଘଟଣାସ୍ଥଳରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ବାଲି, ମାଟି ଓ ମୋରମ୍‌ ଚୋରା ଚାଲାଣରେ ନିୟୋଜିତ ହେଉଥିବା ହାଇୱାଗୁଡ଼ିକ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟାଉଛନ୍ତି। ତେଣୁ ‌ଜିଲ୍ଲାପାଳ ନିଜେ ଘଟଣାସ୍ଥଳକୁ ଆସି ଚୋରା ଚାଲାଣ ବନ୍ଦ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଲୋକେ ଦାବି କରିଥିଲେ। ଏନେଇ ବିଧାୟକ ଶ୍ରୀ ମଲ୍ଲିକ ଫୋନ୍‌ ଯୋଗେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ହାଇୱା ଚଳାଚଳ ନିୟନ୍ତ୍ରଣ କରିବାକୁ ଜିଲ୍ଲାପାଳ ସ୍ଥାନୀୟ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେବା ପରେ ଲୋକମାନେ ରାସ୍ତା ଅବରୋଧରୁ ହଟିଥିଲେ। ପୁଲିସ ହାଇୱା ଚାଳକକୁ ଗିରଫ କରିବା ସହ ମାମଲା ରୁଜୁ କରିଛି ଏବଂ ବ୍ୟବଚ୍ଛେଦ କରାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

 

Leave a Reply

Your email address will not be published. Required fields are marked *

Back to top button