ଦେଶ- ବିଦେଶ

ପାଓ୍ୱାର ସୋ ଆଗରେ ମରିଗଲା ମାନବିକତା!

ପାଓ୍ୱାର ଦେଖାଇଲେ ନିରୀହ ଲୋକଙ୍କ ଉପରେ ପୁଲିସ ବାବୁ। ଲୋକଙ୍କର ଦୋଷ କେବଳ ଏତିକି ଥିଲା ଯେ, ପୁଲିସ ବାବୁ ରହୁଥିବା କଲୋନୀ ଦେଇ ଡିଜେ ବଜାଇ ଯାଉଥିଲେ। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟ ସମ୍ୱର୍ଦ୍ଧନା ଦେବା ସକାଶେ ଏମିତି ଆୟୋଜନ କରାଯାଇଥିଲା। ଏଭଳି ବିଦାୟ ସମ୍ୱର୍ଦ୍ଧନା ପାଇ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଥିଲେ ଗଣପତ ପଟେଲ୍ ନାମକ ଅବସରପ୍ରାପ୍ତ କର୍ମଚାରୀ। କିନ୍ତୁ ଅଚାନକ ପୁଲିସ କଲୋନୀ ଲାଇନରେ ଅଟକାଇଦେଲେ ଶୋଭାଯାତ୍ରାକୁ ପୁଲିସ ଅଧିକାରୀ। ଆଉ ସମସ୍ତଙ୍କୁ ନାଲିଆଖି ଦେଖାଇଥିଲେ। ଏ ବାବୁ ଜଣକ ହେଲେ ପୁଷ୍ପେନ୍ଦ୍ର ମିଶ୍ରା। ଥାନାର ବଡ଼ ବାବୁ। ସମସ୍ତେ ଘରେ ଆରାମ କରୁଛନ୍ତି। ନିଦ ଖରାପ କରୁଛ। କାହାର ଡିଜେ ବୋଲି ପଚାରି ଧମକ ଦେଇଥିଲେ। ପୁଲିସ ଲାଇନ ଦେଇ ଏତେ ଜୋରରେ ଡିଜେ ବଜାଇ ଯିବାକୁ କିଏ ସାହସ ଦେଲା କହୁଥିଲେ। ଆଉ ତା ସହ ସାଙ୍ଗେ ସାଙ୍ଗେ ପିସିଆରକୁ ଫୋନ୍ କରି ତୁରନ୍ତ ଆସିବାକୁ ନିର୍ଦେଶ ଦେଇଥିଲେ। ସେପଟେ ପରିସ୍ଥିତି ବିଗୁଡ଼ିଥିବା ଦେଖି ଅବସରପ୍ରାପ୍ତ କର୍ମଚାରୀ ଗଣପତ ପଟେଲ ବାରମ୍ୱାର ହାତ ଯୋଡ଼ି କାକୁତିମିନତି ହୋଇ ଥାନା ବାବୁଙ୍କୁ ନେହୁରା ହୋଇଥିଲେ। କିନ୍ତୁ ବୟସ୍କଙ୍କ ପ୍ରତି ବି ତିଳେମାତ୍ର ସମ୍ମାନ ନଥିଲା। ପାଲଟା ଡିଜେ ବଜାଇ ଯାଉଥିବା ପିଲାଙ୍କୁ ଘୋଷାରି ଆଣି ପୁଲିସ ଭ୍ୟାନରେ ପୁରାଇଦେଇଥିଲେ। ଅନ୍ୟମାନେ କାକୁତି ମିନତି ହୋଇ ଜଣେ ଅବସରପ୍ରାପ୍ତ ଲୋକଙ୍କ ଗୁହାରି ଶୁଣନ୍ତୁ କହିଲେ ବି ଖାତିର୍ କରିନଥିଲେ। ଜାନୁଆରୀ ୩୧ ଘଟଣାର ଏହି ଭିଡିଓ ଭାଇରାଲ ପରେ ପୁଲିସକୁ ଚାରିଆଡ଼ୁ ନିନ୍ଦା କରାଯାଇଛି। ମଧ୍ୟପ୍ରଦେଶ ପୁଲିସର ଏଭଳି ପାୱାର-ସୋ ବିରୁଦ୍ଧରେ କଡ଼ା ଆକ୍ସନ ଲାଗି ଦାବି ହୋଇଛି। ସେପଟେ ଉପରିସ୍ଥ ଅଧିକାରୀ ସଂପୃକ୍ତ ଦବଙ୍ଗ ଅଫିସରଙ୍କ ସୁରକ୍ଷାକବଚ ସାଜିଛନ୍ତି। ଟି-ସାର୍ଟ ଓ ଚପଲ ପିନ୍ଧି ପୁଲିସ ବାବୁ ଏମିତି ଭାଉ ଦେଖାଇବା ପଛର କାରଣ କଅଣ। ଆଉ ଅଧିକାରୀ ସଫେଇ ଦେଇଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅଧା। ଘଟଣା କିଛି ଅଲଗା। ଅନେକ ଲୋକ ଫୁଲ ସାଉଣ୍ଡରେ ଡିଜେ ବଜାଇ ଅଧିକାଂଶ ନିଶାଗ୍ରସ୍ତ ଥିଲେ। ସାଉଣ୍ଡ କମାଇବାକୁ କହିବା ସତ୍ତ୍ୱେ ଶୁଣିନଥିଲେ। କଲୋନୀରେ ଡିଜେ ବଜାଇବାକୁ ବାରଣ ସତ୍ତ୍ୱେ ବିବାଦ କରିଥିଲେ। ସେତେବେଳେ ଘରେ ଥିଲେ ଅଧିକାରୀ। ଏ କଥା ଶୁଣି ସେ ବାହାରକୁ ଆସି ତାଗିଦ୍ ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ସେ ପିସିଆର ଡାକି ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଲେ।

ଏସ୍‌ପି ରବୀନ୍ଦ୍ର କୁମାର କହିଛନ୍ତି, ତଦନ୍ତ ହେବ। ଡିଜେ ବଜାଇବାରୁ ଶବ୍ଦ ପ୍ରଦୂଷଣ ଓ ପୁଲିସକୁ ନାଲିଆଖି ଦେଖିବାରୁ ପଟେଲଙ୍କ ପୁଅଙ୍କ ସମେତ ୩ ଜଣଙ୍କ ବିରୁଦ୍ଧରେ ଏତଲା ହୋଇ ଆକ୍ସନ ହୋଇଛି। ହେଲେ ଏ ସବୁ କଥା ଗୋଟିଏ ପଟେ। କିନ୍ତୁ ବୟସ୍କ ଗଣପତ ପଟେଲ ହାତ ଯୋଡ଼ି ଏତେ କାକୁତିମିନତି ସତ୍ତ୍ୱେ ପୁଲିସ ବାବୁଙ୍କ ଏଭଳି ଅମାନବୀୟ ଆଚରଣ ସମସ୍ତଙ୍କୁ କିନ୍ତୁ ବ୍ୟଥିତ କରିଛି। ଅବସର ଦିନ ହର୍ଷ ଉଲ୍ଲାସର ମାହୋଲ କେମିତି କ୍ଷଣିକରେ ଜଣେ ପୁଲିସ ଅଫିସରଙ୍କ ଲାଗି ଅବଶୋଷରେ ରହିଗଲା, ତାକୁ କଦାପି ଭୁଲିପାରିବେ କି ପଟେଲ୍।

Leave a Reply

Your email address will not be published. Required fields are marked *

Back to top button