ରାଜ୍ୟ

ବାଇଗଣ ବଦଳାଇଲା ଭାଗ୍ୟ

ଭାଗ୍ୟ ବଦଳାଇ ଦେଲା ବାଇଗଣ ଚାଷ । ଏକଥା ଏମିତି କହୁନୁ । ବରଗଡ଼ ବ୍ଲକ୍ ଗୁଏସର୍ ଗାଁର ଶତାଧିକ ଚାଷୀଙ୍କ ବାଇଗଣ ଚାଷର ରୋଜଗାର ଦେଖି କହୁଛୁ । ଦିନ ଥିଲା ଗାଁର ହେକ୍ଟର ହେକ୍ଟର ଚାଷ ଜମି ପାଣି ଅଭାବରୁ ପଡ଼ିଆ ପଡୁଥିଲା । ଜମି ପାଖରେ କେନାଲ ଥାଇ ମଧ୍ୟ ପାଣି ପାଇ ପାରୁନଥିଲେ ଚାଷୀ। ଅଭାବ ଅନଟନରେ ଛଟପଟ ହେଉଥିଲା ଚାଷୀ ପରିବାର । ରୋଜଗାର ନଥିବାରୁ ପରରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ଗାଁର ଲୋକ । ହେଲେ ଏବେ ସମୟ ବଦଳିଛି । ପଡ଼ିଆ ପଡୁଥିବା ଜମିରେ ସୁନାର ଫସଲ ଫଳିଛି । ପାଣି ପାଇଁ ଆଉ ଚିନ୍ତା ନାହିଁ। ସ୍ୱିଚ ଟିପିଲା ମାତ୍ରକେ ଗଦଗଦ୍ ହୋଇ ବାହାରୁଛି ପାଣି । ରାଜ୍ୟ ସରକାରଙ୍କ ଉଠା ଜଳସେଚନ ବିଭାଗ ତରଫରୁ ଚାଷୀଙ୍କୁ ମିଳିଛି ଗଭୀର ନଳକୂପ । ସ୍ୱିଚ ଚିପିଲେ ସିଧା କ୍ଷେତକୁ ମାଡୁଛି ପାଣି। ଗାଁର ଶତାଧିକ ଚାଷୀଙ୍କ କ୍ଷେତରେ ଗଭୀର ନଳକୂପ ହେବା ଦ୍ବାରା ହେକ୍ଟର ହେକ୍ଟର ବାଇଗଣ ସହ ବିଭିନ୍ନ ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି ଏହି ଗାଆଁର ଚାଷୀଭାଇ । ଖାଲି ଏତିକି ନୁହେଁ ଗାଁର ବେରୋଜଗାର ଯୁବକ ମାନଙ୍କୁ କ୍ଷେତରେ କାମ କରାଇ ରୋଜଗାର ଦେବା ସହ ଜିଲ୍ଲାରେ ଚର୍ଚ୍ଚାକୁ ଆସିଛନ୍ତି ଏହି ଗାଁର ଚାଷୀମାନେ ।

କମ ରାସାୟନିକ ସାର ଓ ଔଷଧ ସିଞ୍ଚନ କରି ଗାଁର ତିରିଶ ହେକ୍ଟରରୁ ଅଧିକ ଚାଷ ଜମିରେ ଫଳିଛି ବାଇଗଣ । ସବୁଠାରୁ ବଡ ସୁବିଧା ହୋଇଛି ଚାଷୀଙ୍କୁ ବଜାରକୁ ଯାଇ ବିକ୍ରି କରିବାକୁ ପଡୁନାହିଁ । କ୍ଷେତରୁ ବାଇଗଣ ତୋଳି ଚାଷୀ ସେଇଠି ପ୍ୟାକିଂ କରୁଛନ୍ତି। ବେପାରୀ ମାନେ ନିଜେ ଚାଷୀଙ୍କ କ୍ଷେତକୁ ଆସି ନେଇ ଯାଉଛନ୍ତି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ବାଇଗଣ । କ୍ଷେତ ରେ ଓଜନ ହେଉଛି ଓ ସାଙ୍ଗେ ସାଙ୍ଗେ ଗାଡ଼ିରେ ଲୋଡ଼ିଂ କରାଯାଉଛି । ବରଗଡ଼, ସମ୍ବଲପୁର ,ଝାରସୁଗୁଡ଼ା,କଟକ, ଭୁବନେଶ୍ୱର ବଜାରକୁ ଯାଉଛି ବସ୍ତା ବସ୍ତା ବାଇଗଣ । ଏବେ ବଜାର ରେ ବାଇଗଣର ଭଲ ଚାହିଦା ରହିଥିବାରୁ ଚାଷୀ ବେଶ୍ ଖୁସି। ଏକର ପିଛା କୋଡିଏ ରୁ ତିରିଶ ହଜାର ଖର୍ଚ୍ଚ କରି ତିନି ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଚାଷୀ କହିଛନ୍ତି। ଗଭୀର ନଳକୂପ ଯୋଜନା ଦ୍ୱାରା ଚାଷୀ ଲାଭବାନ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଚାଷୀ ।

 

Leave a Reply

Your email address will not be published. Required fields are marked *

Back to top button