ରାଜ୍ୟ

ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି

ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଲୋକଙ୍କୁ ଠକିବାକୁ ସାଇବର ଅପରାଧୀ ମାନେ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଏହାକୁ ମୁକାବିଲା କରିବା ପୁଲିସ ଲାଗି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅନଲାଇନରେ ପୁଞ୍ଜିନିବେଶ, ଆର୍ଥିକ ଠକେଇ, ସାଧାରଣ ଲୋକଙ୍କ ପରିଚୟ ଚୋରୀ, ଡିଜିଟାଲ ଆରେଷ୍ଟ, ଶିଶୁ ଓ ବୟସ୍କ ବ୍ୟକ୍ତିଙ୍କୁ ଶୋଷଣ ଭଳି ସାଇବର ଅପରାଧର ମାତ୍ରା ବଢ଼ିବାରେ ଲାଗିଛି। ଏଭଳି ଅପରାଧୀ ଅଦୃଶ୍ୟ ଥାଆନ୍ତି। ଏଭଳି ଅପରାଧକୁ ରୋକିବାକୁ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଜରିଆରେ ହିଁ ମୁକାବିଲା କରିବାକୁ ପଡ଼ିବ। ଏଥିଲାଗି ପୁଲିସକୁ ନିଜର ଦକ୍ଷତାକୁ ବଢ଼ାଇବାକୁ ପଡିବ। ଆଉ ସାଇବର ଅପରାଧର ନୂଆ ନୂଆ ଶୈଳୀକୁ ଚିହ୍ନଟ କରିବାକୁ ହେଲେ ନିଜେ ଅପଗ୍ରେଡ୍ ବି ହେବା ଜରୁରୀ। ଆଉ ଏହି ଲକ୍ଷ୍ୟରେ ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଆରମ୍ଭ ହୋଇଛି କର୍ମଶାଳା। ସାଇବର ଅପରାଧର ତଦନ୍ତ ଓ ସାଇବର ବୁଦ୍ଧିମତ୍ତା ସମ୍ପର୍କିତ କର୍ମଶାଳାକୁ ଉଦଘାଟନ କରିଛନ୍ତି ଡିଜିପି ଓ୍ୱାଇ.ବି.ଖୁରାନିଆ। ଅଳ୍ପ ସମୟରେ ଅପରାଧୀଙ୍କୁ ଚିହ୍ନଟ, ସଠିକ୍ ତଦନ୍ତ କରି ପୀଡ଼ିତଙ୍କୁ ନ୍ୟାୟ ଦେବା ସକାଶେ ରାଜ୍ୟର ସମସ୍ତ ରେଞ୍ଜ ଓ ଜିଲ୍ଲାସ୍ତରରେ ବି ସାଇବର ଅପରାଧୀ ତଦନ୍ତ ସମ୍ପର୍କିତ କର୍ମଶାଳା ହେବ। ଏଥିରେ କନଷ୍ଟେବଳରୁ ନେଇ ସମସ୍ତ ବର୍ଗର ଅଧିକାରୀ ସାମିଲ୍ ହେବେ। ଜ୍ଞାନ, ଦକ୍ଷତା ଓ ତଦନ୍ତ ଶୈଳୀକୁ ସଶକ୍ତ କରିବାକୁ ପଡ଼ିବ। ନୂଆ ଆତ୍ମବିଶ୍ୱାସ ସହ ସାଇବର ଅପରାଧ ବିରୁଦ୍ଧରେ ଲଢ଼ିବାକୁ ହେବ ବୋଲି କର୍ମଶାଳାରେ ପରାମର୍ଶ ଦିଆଯାଇଛି। ସାଇବର ବିଶେଷଜ୍ଞ ଡକ୍ଚର ରକ୍ଷିତ ଟଣ୍ଡନ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀଙ୍କୁ ତାଲିମ୍ ଦେଇଛନ୍ତି। ସାଇବର ଅପରାଧ ପୁଲିସ ଲାଗି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାକୁ ମୁକାବିଲା କରିବାକୁ ହେଲେ ପୁଲିସକୁ ସେତିକି ଦକ୍ଷ ହେବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Back to top button