ଏନଡିଏକୁ ୧୧ ବର୍ଷ- ହିସାବନିକାଶ

ଆଜିକୁ ଏନଡିଏ ସରକାରକୁ ୧୧ ବର୍ଷ ପୁରିଲା। ୧୦ ବର୍ଷର ଉପା ସରକାରକୁ କ୍ଷମତାଚ୍ୟୁତ କରି ୨୦୧୪ ମେ ୨୬ରେ ମୋଦିଙ୍କ ନେତୃତ୍ୱରେ କ୍ଷମତାକୁ ଆସିଥିଲା ଏନଡିଏ। ମୋଦିଙ୍କ ନେତୃତ୍ୱରେ ନେଇଥିଲା ଶପଥ। ଲଗାତାର ତୃତୀୟ ଥର ଏନଡିଏ କେନ୍ଦ୍ରରେ ସରକାରର ନେତୃତ୍ୱ ନେଉଛି। ଗଲା ୧୧ ବର୍ଷରେ ଅନେକ ଐତିହାସିକ ନିଷ୍ପତ୍ତି ନେଇଛି ଏନଡିଏ ସରକାର। ଗୁଜରାଟରେ ଆୟୋଜିତ ସାଧାରଣ ସଭାକୁ ସମ୍ୱୋଧିତ ବେଳେ ମୋଦି କହିଛନ୍ତି, ପ୍ରଥମେ ଗୁଜରାଟବାସୀ ତାଙ୍କୁ ଆଶୀର୍ବାଦ ଦେବା ପରେ କୋଟି କୋଟି ଦେଶବାସୀଙ୍କ ସମର୍ଥନରୁ ଆଜି ସେ ଭାରତର ପ୍ରଧାନ ସେବକ ସାଜିପାରିଛନ୍ତି। ଏହି ୧୧ ବର୍ଷରେ ଦେଶ ଅନେକ ଅକଳ୍ପନୀୟ ଓ ଅଦ୍ଭୂତପୂର୍ବ ନିଷ୍ପତ୍ତି ନେଇଛି। ୧୪୦ କୋଟି ଭାରତୀୟ ଦେଶ ବିକାଶ ଲାଗି ସଂକଳ୍ପ ନେଇ କାମ କରିଚାଲିଛନ୍ତି। ଦେଶ ସବୁ କ୍ଷେତ୍ରରେ ଆଗେଇଚାଲିଛି। ନିରାଶାର ଅନ୍ଧାରରୁ ବାହାରି ଦେଶ ବିଶ୍ୱାସର ଉଜ୍ୱଳ ଭିତରେ ତ୍ରିରଙ୍ଗା ଉଡ଼ାଉଛି। ରବିବାର ଏନଡିଏ ଶାସିତ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଦୁଇଟି ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଥିଲା। ଅପରେସନ ସିନ୍ଦୂରକୁ ନେଇ ମୋଦିଙ୍କ ନେତୃତ୍ୱକୁ ଧନ୍ୟବାଦ ଦେବା ସହ ଜାତିଗତ ଜନଗଣନା ନେଇ ମୋହର ବାଜିଥିଲା ବୈଠକରେ। ଏ ନେଇ ସୂଚନା ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେପଟେ ଏନଡିଏ ସରକାରକୁ ୧୧ ବର୍ଷ ପୂର୍ତ୍ତି ଅବସରରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, କେବଳ ବଡ଼ ବଡ଼ ପ୍ରତିଶୃତି ଦେଇ ଦେଶକୁ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛନ୍ତି ମୋଦି। ଅଛେ ଦିନ ଏବେ ଭୟ ସଞ୍ଚାରର ସ୍ୱପ୍ନ ସାବ୍ୟସ୍ତ ହୋଇଛି। ଯୁବକଙ୍କୁ ଚାକିରୀ, ଚାଷୀଙ୍କ ଆୟ ଦ୍ୱିଗୁଣିତ, ମହିଳା ସଂରକ୍ଷଣ, ଦୁର୍ବଳ ବର୍ଗଙ୍କୁ ନ୍ୟାୟ ପ୍ରହସନ ପାଲଟିଛି। ମହଙ୍ଗା ମାଡ଼ରେ ଲୋକେ ଅତିଷ୍ଠ। ବିଶ୍ୱଗୁରୁ ହେବା ନିଶାରେ ସବୁ ଦେଶ ସହ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଇଡି, ସିବିଆଇର ଦୁରୁପଯୋଗ, ସବୁ ସ୍ତମ୍ଭ ଉପରେ ଆରଏସଏସର ହମଲା ଆଦି ଜାରି ରହିଛି। ଟିଏମସି କହିଛି, ସବୁ ଜୁମଲା। ୧୧ ବର୍ଷରେ ୧୧ ପ୍ରଶ୍ନ କରିଛି ଟିଏମସି। ମୁଦ୍ରାସ୍ଫୀତି, ବେକାରୀ, ଟଙ୍କାକୁ ଦୁର୍ବଳ, ଜାତିଭିତ୍ତିକ ହିଂସା, କର୍ପୋରେଟର ସ୍ୱାର୍ଥ, ମହିଳା ବିରୋଧୀ ହିଂସା ଆଜି ଲମ୍ୱା ତାଲିକା ବୋଧହୁଏ ଏନଡିଏ ସରକାର ସଫଳତାର ଇତିହାସ। ପ୍ରତି ପ୍ରତିଶୃତି ଭାଙ୍ଗିଛି। ସବୁ ସତ ନୀରବ ସାଜିଛି। କେବଳ ଓ୍ୱାନମ୍ୟାନ ସୋ ଚାଲିଛି। ତୃତୀୟ ଥର କେନ୍ଦ୍ରରେ କ୍ଷମତାରେ ରହିଛି ଏନଡିଏ ସତ। କିନ୍ତୁ ଏଥର ଏକାକୀ ସଂଖ୍ୟାଗରିଷ୍ଠତା ବଳରେ ନୁହେଁ। ବରଂ ଟିଡିପି ଓ ଜେଡିୟୁ ଭଳି ଦଳର ଭରସାରେ ମେଣ୍ଟ କରି। କିନ୍ତୁ ମୋଦିଙ୍କ ନେତୃତ୍ୱ ଉପରେ ଭରସା ଅଛି ପୁରା ଦେଶର। ଅପରେସନ ସିନ୍ଦୂର ପରେ ଦଳମତ ସବୁ ଭୁଲି ଆତଙ୍କବାଦ ବିରୁଦ୍ଧରେ ଏକଜୁଟ୍ ହେବାର ପଣ କରିଛନ୍ତି ସଭିଏଁ। ରାଜନୀତିରୁ ଉର୍ଦ୍ଧ୍ୱ ରାଷ୍ଟ୍ରନୀତି ଆଉ ଟିମ୍ ଇଣ୍ଡିଆ ନୀତି ସର୍ବଶ୍ରେଷ୍ଠ ନୀତି ବୋଲି ନୀତି ଆୟୋଗ ବୈଠକରେ ବି ବାର୍ତ୍ତା ଦେଇଛନ୍ତି ମୋଦି।