ରାଜନୀତି

ଧର୍ମଶାଳାରେ ହିମାଂଶୁଙ୍କ ଦବଦବା କାୟମ, ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ

ଯାଜପୁର, ବିଜେପି ଦଖଲକୁ ଗଲା ଯାଜପୁର ଜିଲ୍ଲା ଧର୍ମଶାଳା ପଞ୍ଚାୟତ ସମିତି। ଗତ ଗୁରୁବାର ଅନୁଷ୍ଠିତ ନିର୍ବାଚନରେ ଏହି ବ୍ଲକ କ୍ଷେତ୍ରପାଳ ପଞ୍ଚାୟତର ସମିତି ସଭ୍ୟା ସୁଚିସ୍ମିତା ଦାସ ନିର୍ଦ୍ୱନ୍ଦ୍ୱରେ ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବାହ୍ନ ୧୧ ଟା ଯାଏ ତାଙ୍କ ପ୍ରତିଦ୍ୱନ୍ଦୀ ଭାବରେ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ। ତେଣୁ ନିର୍ବାଚନ ଅଧିକାରୀ ତଥା ତହସିଲଦାର ସମୀର ରଞ୍ଜନ ଦାସ ତାଙ୍କୁ ବିଜୟୀ ଘୋଷଣା କରିଥିଲେ। ବିଜେଡି ସମର୍ଥିତ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେବା ପରେ ଏହି ପଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଜି ଅନୁଷ୍ଠିତ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଫୋର୍ସ ଉପସ୍ଥିତ ରହିଥିଲେ। ଏହି ବ୍ଲକ ଅଧୀନରେ ୪୫ଟି ପଞ୍ଚାୟତ ରହିଥିବା ବେଳେ ୩୫ରୁ ଊର୍ଦ୍ଧ୍ୱ ସମିତିସଭ୍ୟ ବିଜେପି ସମର୍ଥିତ। ଗତ ବର୍ଷ ସାଧାରଣ ନିର୍ବାଚନରେ ସରକାର ପରିବର୍ତ୍ତନ ହେବା ସହ ବିଜେପି ଶାସନକୁ ଆସିଥିଲା । ତେବେ ୨୦୨୨ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡି ସରକାର ଥିବା ବେଳେ ଏଠାରେ ପୂର୍ବତନ ବିଧାୟକଙ୍କ ସାନ ଭାଇ ପ୍ରଭାତ କୁମାର ବଳବନ୍ତରାୟ ଅଧ୍ୟକ୍ଷ ପଦ ଅଳଙ୍କୃତ କରିଥିଲେ। ତେବେ ସରକାର ପରିବର୍ତ୍ତନ ପରେ ବ୍ଲକ ଅଧ୍ୟକ୍ଷଙ୍କ ଅସହଯୋଗ କାରଣରୁ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ନହୋଇ ପଡିରହିଲା। ଯାହାକୁ ନେଇ ବିଭିନ୍ନ ପଞ୍ଚାୟତର ୩୮ରୁ ଊର୍ଦ୍ଧ୍ୱ ସରପଞ୍ଚ ଓ ସମତି ସଭ୍ୟ ଅଗଷ୍ଟ ୧୧ ତାରିଖରେ ଯାଜପୁର ଉପଜିଲ୍ଲାପାଳଙ୍କୁ ଭେଟି ଶ୍ରୀ ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଲିଖିତ ଭାବେ ଜଣାଇଥିଲେ। ତେବେ ଅନାସ୍ଥା ଭୋଟର ସମ୍ମୁଖୀନ ପୂର୍ବରୁ ପୂର୍ବତନ ଅଧ୍ୟକ୍ଷ ଅଗଷ୍ଟ ୨୦ତାରିଖରେ ନିଜ ଅଧକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀ ବଳବନ୍ତରାୟ ନିଜ ପଦବୀରୁ ହଟିବା ପରେ ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ । ଏହାର ତିନିମାସ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଅଧ୍ୟକ୍ଷ ପଦ ନିର୍ବଚନ ତାରିଖ ଘୋଷଣା କରାଯାଇଥିଲା। ତେବେ ଗୁରୁବାର ଦିନ କ୍ଷେତ୍ରପାଳର ସମିତି ସଭ୍ୟା ସୁଚିସ୍ମିତା ଦାସ ନିଜର ସମର୍ଥକଙ୍କ ସହ ବ୍ଲକ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେଡିର କେହି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାକୁ ଆସି ନଥିବା ବେଳେ ସୁଚିସ୍ମିତା ଏକ ମାତ୍ର ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ନିର୍ଦ୍ଧାରିତ ସମୟ ପରେ ଅପ୍ରତିଦ୍ୱନ୍ଦୀଭାବେ ଶ୍ରୀମତୀ ଦାସଙ୍କୁ ଧର୍ମଶାଳା ବ୍ଲକର ଅଧ୍ୟକ୍ଷ ଭାବେ ରିଟର୍ଣ୍ଣିଙ୍ଗ ଅଫିସର ଘୋଷଣା କରିଥିଲେ। ବିଜୟ ପରେ ବିଜେପି କର୍ମୀମାନେ ଶ୍ରୀମତୀ ଦାସଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଜାରକା ବଜାର ପରିକ୍ରମା କରାଇଥିଲେ।

Leave a Reply

Your email address will not be published. Required fields are marked *

Back to top button