ରାଜ୍ୟ

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଦୂରଶିକ୍ଷା ଶିକ୍ଷାର୍ଥୀଙ୍କ ପାଇଁ ଏକଦିନିଆ ଶିକ୍ଷାର୍ଥୀ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର:- ଫକୀରମୋହନ ବିଶ୍ୱବିଦ୍ୟାଳୟର ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ର ଦ୍ୱାରା ୨୦୨୫–୨୬ ଶିକ୍ଷାବର୍ଷ (ଜୁଲାଇ ୨୦୨୫) ଭର୍ତ୍ତି ହୋଇଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଏକଦିନିଆ ଶିକ୍ଷାର୍ଥୀ ପରିଚୟ କାର୍ଯ୍ୟକ୍ରମର ଆୟୋଜିତ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ଶିକ୍ଷା ପରିବେଶ ସହିତ ଶିକ୍ଷାର୍ଥୀମାନଙ୍କୁ ପରିଚିତ କରାଇବାକୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠ୍ୟକ୍ରମ ଗଠନ, ଡିଜିଟାଲ୍ ଶିକ୍ଷା ପଦ୍ଧତି, ମୂଲ୍ୟାୟନ ପ୍ରଣାଳୀ ଓ ଦୂରଶିକ୍ଷାର ୧୧ଟି ସ୍ନାତକୋତ୍ତର ବିଭାଗର ସହଯୋଗ ପ୍ରଣାଳୀ ବିଷୟରେ ସୁବିସ୍ତୃତ ଭାବେ ଅଲୋକପାତ କରାଯାଇଥିଲା।

ରେମୁଣା ସ୍ଥିତ ବିଶ୍ୱବିଦ୍ୟାଳୟର ପୁରୁଣା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଭିନ୍ନଭିନ୍ନ ଶିକ୍ଷାଲାଭ କରିଥିବା ପୃଷ୍ଠଭୂମିରୁ ଆସିଥିବା ଶିକ୍ଷାର୍ଥୀମାନଙ୍କ ଉତ୍ସାହଭରା ଅଂଶଗ୍ରହଣ ଦେଖାଯାଇଥିଲା।

ଉଦ୍‌ଘାଟନୀ ଅଧିବେଶନର ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜର ମୂଲ୍ୟବାନ ଉଦ୍‌ବୋଧନରେ, ଦୂରଶିକ୍ଷାରେ ସ୍ୱୟଂଶାସନ, ସମୟ ପରିଚାଳନା ଏବଂ ଡିଜିଟାଲ୍ ମାଧ୍ୟମରେ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ। ଉଚ୍ଚ ଶିକ୍ଷାକୁ ସମସ୍ତଙ୍କ ପାଇଁ ସୁଲଭ କରିବାରେ ବିଶ୍ୱବିଦ୍ୟାଳୟର ପ୍ରୟାସକୁ ସ୍ୱାଗତ କରି ସେ ଶିକ୍ଷାର୍ଥୀମାନଙ୍କୁ ଉପଲବ୍ଧ ଟେକ୍ନୋଲୋଜି-ଭିତ୍ତିକ ଶିକ୍ଷା ପରିବେଶର ପୂର୍ଣ୍ଣ ସୁଯୋଗ ନିବାହ କରିବାକୁ ଉତ୍ସାହିତ କରିଥିଲେ। ଏଥିସହ ଓଡ଼ିଶା ତଥା ଭାରତ ସରକାରଙ୍କ ଶିକ୍ଷା ବିଭାଗର ଏହି ଅନନ୍ଯ ସୁବିଧା ସମସ୍ତଙ୍କ ପାଖରେ ପହଞ୍ଚି ଶିକ୍ଷାଲାଭକୁ ସରଳୀକରଣ କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ।

ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ କୁକୁମୀନା ଦାସ ଓ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଉପସ୍ଥିତ ରହି ନୂତନ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସମ୍ପୂର୍ଣ୍ଣ ଶିକ୍ଷାଗତ ପରିଚୟ କାର୍ଯ୍ୟକ୍ରମଟି ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଜ୍ୟୋତି ଶଙ୍କର ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ସେ ପାଠ୍ୟ ପରିଚାଳନା ପ୍ରଣାଳୀ, ଇ-ସମ୍ପଦ, ଅନଲାଇନ୍ ଶ୍ରେଣୀ ପ୍ରଣାଳୀ ଓ ମୂଲ୍ୟାୟନ ପ୍ରକ୍ରିୟା ବିଷୟରେ ବିଶେଷ ବିବରଣୀ ଦେଇଥିଲେ। ଡ଼କ୍ଟର ଦେବଦତ୍ତ ଦାସ, ସିଡିଓଇର ଉପ-କୁଳସଚିବ ପ୍ରାରମ୍ଭିକ ଉଦବୋଧନ ଦେଇ
ପ୍ରଶାସନିକ ଓ ଶିକ୍ଷାର୍ଥୀ ସହଯୋଗ ପ୍ରକ୍ରିୟା ବିଷୟରେ ଅଧିକ ତଥ୍ୟ ରଖିଥିଲେ।
ଏହି ଅବସରରେ
ପରୀକ୍ଷା-ନିୟନ୍ତ୍ରକ ଶ୍ରୀ ରଞ୍ଜନ କୁମାର ରାୟ ଓ ବିତ୍ତ ନିୟନ୍ତ୍ରକ ଶ୍ରୀ କରଣ ସୋରେନ୍ ଶିକ୍ଷାର୍ଥୀମାନଙ୍କୁ ଉଦବୋଧନ ପ୍ରଦାନ କରି ପରୀକ୍ଷା, ଶୁଳ୍କ, ଅର୍ଥସମ୍ପର୍କୀୟ ସହଯୋଗ ଓ ଶିଷ୍ୟବୃତ୍ତି ବିଷୟରେ ଅବଗତ କରାଇଥିଲେ।

୨୪୦ରୁ ଅଧିକ ଶିକ୍ଷାର୍ଥୀଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୂରଶିକ୍ଷା ପ୍ରଣାଳୀ ପ୍ରତି ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ-କେନ୍ଦ୍ରିତ, ଶିକ୍ଷାଗତ ଗୁରୁତ୍ୱବୋଧୀ ଓ ସମାବେଶୀ ଦୃଷ୍ଟିକୋଣକୁ ପରିଚିତ କରାଇବାରେ ସକ୍ଷମ ହୋଇପାରିଥିଲା ।

କାର୍ଯକ୍ରମକୁ ସହକାରୀ ପ୍ରାଧ୍ୟାପକ ଡ଼କ୍ଟର ସଞ୍ଜୁକ୍ତା ରାଣୀ ପଣ୍ଡା ସଂଚାଳନ କରିଥିଲେ ଓ ଶେଷରେ ଦୂର ଓ ଅନଲାଇନ୍ ଶିକ୍ଷା କେନ୍ଦ୍ରର ସହାୟକ-କୁଳସଚିବ ଶ୍ରୀ ଅଭୟ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button