ରାଜ୍ୟ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମା’ତାରିଣୀଙ୍କ ପୀଠ ଗସ୍ତ

ଘଟଗାଁ/ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ନିଜ ଜିଲ୍ଲା କେଉଁଝର ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ନିଜ ଜିଲ୍ଲା ଗସ୍ତ ନୁହେଁ; ଜିଲ୍ଲାର ମୂଳ ସାଂସ୍କୃତିକ ପରିଚୟ ମା’ ତାରିଣୀ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ନୂଆ ଯୋଜନା ନେଇ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ମା’ତାରିଣୀଙ୍କ ପୀଠ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ମାନଚିତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରେ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ କେଉଁଝର ବିକାଶ ପାଇଁ ତାଙ୍କର ବଡ଼ ଯୋଜନାର ଏକ ପ୍ରମୁଖ ଅଂଶ ହେଉଛି ମା’ ତାରିଣୀ ପୀଠର ବିକାଶ । କାଲିଠୁ ଆରମ୍ଭ ହେବ ମା’ଙ୍କ ପୀଠର କାୟାକଳ୍ପ ।

ଆଜି ମୁଖ୍ୟମନ୍ତ୍ରୀ ପାଖାପାଖି ୬୦ ଏକର ପରିମିତ ଜମି ଉପରେ ମା’ତାରିଣୀ ମନ୍ଦିରର ସର୍ବାଙ୍ଗୀନ ବିକାଶ ମୂଳଦୁଆ ରଖିବେ। ଏହି ପ୍ରକଳ୍ପ ସମହୂରେ ୩୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଅନୁମୋଦନ ଦିଆଯାଇ ସାରିଛି ।

ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ୫୦୦ ଲୋକଙ୍କ ଏକ ସଙ୍ଗେ ପ୍ରସାଦ ସେବନ ପାଇଁ ସୁବନ୍ଦୋବସ୍ତ, ନଡ଼ିଆ ଗୋଦାମ ସହିତ ମା’ତାରିଣୀ ମନ୍ଦିର ସମ୍ବଦ୍ଧିତ ଏକ ସୁନ୍ଦର ଵ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ତତ୍ୱାବଧାନ ସହ ଯୋଜନା କରିଛନ୍ତି। ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ ଟାୱାର ଆଦି ନିମନ୍ତେ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମା’ତାରିଣୀ ମନ୍ଦିର ସଂଲଗ୍ନ ଅଞ୍ଚଳ ଗୁଡିକର ବିକାଶ ସହ ଯାତ୍ରୀ ସୁବିଧା ପାଇଁ ପାଖାପାଖି ଅଞ୍ଚଳରେ ଅନେକ ଆନୁସଙ୍ଗିକ ବ୍ୟବସ୍ଥାର ଯୋଜନା ହୋଇଛି । ଯଥା ସୁଦୀର୍ଘ ପାର୍କିଂ ବ୍ୟବସ୍ଥା, ଜଳ ଯୋଗାଣ, ବିଦ୍ୟୁତ ଏବଂ ଆଲୋକୀକରଣ ବ୍ୟବସ୍ଥା, ଡ୍ରେନେଜ୍ ସୁବିଧା, ମନ୍ଦିର ସୀମା ପ୍ରାଚୀର ନିର୍ମାଣ, ଆଲୋକ ଓ ଧ୍ୱନି ବ୍ୟବସ୍ଥା ସମେତ ମନ୍ଦିର ଭିତରେ ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରୁ ଧାଡି ପରିଚାଳନା ପାଇଁ ସୁବନ୍ଦୋବସ୍ତ ଏହି ଯୋଜନାରେ ସାମିଲ ଅଛି ।

ପୁଷ୍କରିଣୀ ଆମ ଧର୍ମୀୟ ଭାବନାର ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଧ୍ୟାନରେ ରଖି ବୃହତ ପୁଷ୍କରିଣୀର ବିକାଶ, ଛୋଟ ପୁଷ୍କରିଣୀ ତଥା ମନ୍ଦିରର ପଛ ପାର୍ଶ୍ୱରେ ପୁଷ୍କରିଣୀ ଏବଂ ଶିଶୁ ଖେଳ ପଡ଼ିଆ ନିକଟରେ ପୁଷ୍କରିଣୀକୁ ବିକାଶ ମାଧ୍ୟମରେ ସୁଦୃଶ୍ୟ କରିବା ପାଇଁ ଏହି ଯୋଜନାରେ ସାମିଲ କରାଯାଇଛି ।

ଏହା ସହ ସଡକ ବିକାଶ ଏହି ଯୋଜନାର ପ୍ରମୁଖ ଅଙ୍ଗ। ଜାତୀୟ ରାଜପଥ ତଥା ହରିଚନ୍ଦନପୁରକୁ ୧୨ ମିଟର ଚଉଡ଼ା ରାସ୍ତା ସଂଯୋଗ କରିବ । ଏହା ସହ ମନ୍ଦିର ଆଭ୍ୟନ୍ତରୀଣ ସଂଯୋଗକାରୀ ରାସ୍ତାର ନବୀକରଣ ତଥା ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି ।

ଆଜିର କେଉଁଝର ଜିଲ୍ଲା ଗସ୍ତ ଐତିହାସିକ ହେବ ବୋଲି ସାଧାରଣ ଲୋକ ମତ ବ୍ୟକ୍ତ କରୁଛନ୍ତି । କେଉଁଝର ଓଡ଼ିଶାର ଅର୍ଥନୀତି ବିକାଶରେ ଦୀର୍ଘ ଦଶନ୍ଧି ଧରି ବଡ଼ ଭୂମିକା ନେଇ ଆସିଛି । ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ କେଉଁଝର ଜିଲ୍ଲାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଲୋକଙ୍କ ମନରେ ଉତ୍ସାହ ଆଣିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜିଲ୍ଲାରେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକ ଖୁବ୍ ଉତ୍ସାହିତ ଅଛନ୍ତି ।

Leave a Reply

Your email address will not be published. Required fields are marked *

Back to top button