ସୁଶାସନ ଦିବସରେ ଅଟଳ ସ୍ମୃତି ସମ୍ମିଳନୀ ସହ ମେଗା ସ୍ୱାସ୍ଥ୍ୟ ଶିବିର

ଧର୍ମଶାଳା: ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଆଜି ସାରା ଦେଶ ସହ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ସୁଶାସନ ଦିବସ’ ପାଳିତ ହୋଇଛି। ଏହି ଅବସରକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଥାନୁଆଲ ପଞ୍ଚାୟତ ଅନ୍ତର୍ଗତ କଣ୍ଟାମଳିଆ ସ୍କୁଲ ପଡିଆରେ ଏକ ମେଗା ସ୍ୱାସ୍ଥ୍ୟ ମେଳା ସହ ଅଟଳ ସ୍ମୃତି ସମ୍ମିଳନୀ ଆୟୋଜିତ ହୋଇଯାଇଛି।
ସକାଳୁ ସ୍ୱାସ୍ଥ୍ୟ ମେଳାର ଉଦ୍ଘାଟନ କରି ବିଧାୟକ ହିମାଂଶୁ ଶେଖର ସାହୁ କହିଥିଲେ ଯେ, ସ୍ବର୍ଗତ ବାଜପେୟୀଙ୍କ ଜୀବନ ଦର୍ଶନର କେନ୍ଦ୍ରବିନ୍ଦୁ ଥିଲା ‘ସବକା ସାଥ, ସବକା ବିକାଶ’ର ମୂଳ୍ୟବୋଧ। ଗ୍ରାମ ଓ ଗରିବଙ୍କ ପାଖକୁ ସରକାରୀ ସେବା ପହଁଚାଇବା ହେଉଛି ସୁଶାସନର ମୂଳ ଉଦ୍ଦେଶ୍ୟ ବୋଲି ସେ ଉଲ୍ଲେଖ କରିଥିଲେ। ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ଲୋକଙ୍କ ଜୀବନମାନ ଉନ୍ନତ କରିବା ଦିଗରେ ଏହିପରି କାର୍ଯ୍ୟକ୍ରମ ଗୁଡିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
ପରେ ଆୟୋଜିତ ଅଟଳ ସ୍ମୃତି ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ଓ ସାଂସଦ ପ୍ରତିନିଧି କାହ୍ନୁଚରଣ ଦାସ ଯୋଗଦେଇ ସ୍ବର୍ଗତ ବାଜପେୟୀଙ୍କ ରାଷ୍ଟ୍ରନିର୍ମାଣରେ ଅବଦାନ, ସଂସଦୀୟ ମର୍ଯ୍ୟାଦା, ସାହିତ୍ୟପ୍ରେମ ଓ ରାଜନୈତିକ ସଦାଚାର ଉପରେ ଆଲୋକପାତ କରିଥିଲେ। ବିପକ୍ଷକୁ ସମ୍ମାନ ଦେଇ ଲୋକତନ୍ତ୍ରକୁ ସୁଦୃଢ଼ କରିବାରେ ବାଜପେୟୀଙ୍କ ଭୂମିକା ସବୁବେଳେ ସ୍ମରଣୀୟ ରହିବ ବୋଲି ସେମାନେ କହିଥିଲେ।
ସମ୍ମିଳନୀରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ଜନପ୍ରତିନିଧି ଓ ବହୁ ସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ। ଅଟଳଜୀଙ୍କ ଜୀବନ ଓ କାର୍ଯ୍ୟ ଉପରେ ଆଲୋଚନା ସହ ସୁଶାସନର ମୂଳ ମନ୍ତ୍ରକୁ ଲୋକମାନଙ୍କ ମଧ୍ୟରେ ପହଁଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା।
ଅନ୍ୟପଟେ, ମେଗା ସ୍ୱାସ୍ଥ୍ୟ ଶିବିରରେ ସାଧାରଣ ଚିକିତ୍ସା ସହ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ, ଡାୟାବେଟିଜ୍ ଓ ରକ୍ତଚାପ ଯାଞ୍ଚ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ୫୦୦ରୁ ଅଧିକ ରୋଗୀଙ୍କୁ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରାମର୍ଶ ଓ ଚିକିତ୍ସା ଦିଆଯାଇଥିଲା ଏବଂ ମାଗଣା ଔଷଧ ବିତରଣ କରାଯାଇଥିଲା। ଦୂରଦୁରାନ୍ତ ଅଞ୍ଚଳର ଲୋକମାନେ ଏହି ଶିବିରରୁ ଲାଭାନ୍ୱିତ ହୋଇଥିବାରୁ ଆୟୋଜକମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
ସାର୍ବିକ ଭାବେ, ସୁଶାସନ ଦିବସ ଅବସରରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିର ଓ ସ୍ମୃତି ସମ୍ମିଳନୀ ସ୍ବର୍ଗତ ବାଜପେୟୀଙ୍କ ଆଦର୍ଶକୁ ପୁନଃସ୍ମରଣ କରାଇବା ସହ ସାମାଜିକ ସେବା ଓ ଲୋକକଲ୍ୟାଣର ସନ୍ଦେଶ ଦେଇଯାଇଛି।




