ରାଜ୍ୟ

ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ସାଧନ କର୍ମୀମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଶ୍ରୀ ବିଜୟ ପୁରମ୍‌, ଜାନୁଆରୀ ୬, ୨୦୨୬: ଶିଶୁମାନଙ୍କର ସାର୍ବାଙ୍ଗୀନ ବିକାଶ ଓ ଜୀବନବ୍ୟାପୀ ଶିକ୍ଷାର ଦୃଢ଼ ଭିତ୍ତି ନିମନ୍ତେ ମୂଳ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ନୀତି–୨୦୨୦, ୩ରୁ ୮ ବର୍ଷ ବୟସର ପିଲାମାନଙ୍କୁ ସ୍କୁଲ ଶିକ୍ଷାର ପ୍ରଥମ ପାଞ୍ଚ ବର୍ଷ ମଧ୍ୟରେ ଆଣିବା ପାଇଁ ଜୋର ଦେଇଛି।ଏହି ପରିପ୍ରେକ୍ଷିରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ପ୍ରମୁଖ ସାଧନ କର୍ମୀ ମାନଙ୍କ ପାଇଁ ଏକ ପାଞ୍ଚ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଶ୍ରୀ ବିଜୟ ପୁରମ୍‌ସ୍ଥିତ ରାଜ୍ୟ ଶିକ୍ଷା ପ୍ରତିଷ୍ଠାନରେ ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନ୍‌.ସି.ଆର୍‌.ଟି., ଭୁବନେଶ୍ୱର ଦ୍ୱାରା ରାଜ୍ୟ ଶିକ୍ଷା ପ୍ରତିଷ୍ଠାନ, ଶ୍ରୀ ବିଜୟ ପୁରମ୍‌ ସହଯୋଗରେ ମିଳିତ ଭାବେ ଆୟୋଜିତ ହୋଇଛି ଏବଂ ଏହା ଜାନୁଆରୀ ୯, ୨୦୨୬ ପର୍ଯ୍ୟନ୍ତ ଚାଲିବ। ଜାତୀୟ ଶିକ୍ଷା ନୀତି–୨୦୨୦ ଅନୁଯାୟୀ ବାଲବାଟିକାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଏହା କେନ୍ଦ୍ରିତ ଅଟେ।

ଉଦ୍‌ଘାଟନୀ ଅଧିବେଶନରେ ରାଜ୍ୟ ଶିକ୍ଷା ପ୍ରତିଷ୍ଠାନ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର  ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ମୂଳ ଶିକ୍ଷା ଓ ବାଲବାଟିକାର ଭୂମିକା ଉପରେ ଗୁରୁତ୍ଵାରୋପ କରିଥିଲେ। ବାଲବାଟିକା ଶିଶୁମାନଙ୍କର ଜୀବନବ୍ୟାପୀ ଶିକ୍ଷାର ମୂଳ ସ୍ତମ୍ଭ ଭାବରେ କାମ କରେ ବୋଲି ସେ କହିଥିଲେ। ସମସ୍ତ ସାଧନ କର୍ମୀଙ୍କୁ ଏହି ତାଲିମରେ ସକ୍ରିୟ ଭାଗ ନେବା ସହ ଦ୍ୱୀପପୁଞ୍ଜର ବାଲବାଟିକା ଶିକ୍ଷକମାନଙ୍କ ମଧ୍ୟରେ ଶିକ୍ଷାକୁ ପ୍ରଭାବଶାଳୀ ଭାବେ ପ୍ରସାର କରିବା ସେ ପାଇଁ ଆହ୍ୱାନ କରିଥିଲେ।

ଅଧିବେଶନର ଆରମ୍ଭରେ ଡକ୍ଟର ବେନ୍ସି ଜୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ପ୍ରଫେସର ଲକ୍ଷ୍ମୀଧର ବେହେରା, ଶିକ୍ଷା ବିଭାଗ ମୁଖ୍ୟ ଓ କାର୍ଯ୍ୟକ୍ରମ ସଂଯୋଜକ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର, କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗଠନ ସମ୍ପର୍କରେ ବିସ୍ତୃତ ଅବଗତି ପ୍ରଦାନ କରିଥିଲେ। ସେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାର ଗୁରୁତ୍ୱ ସହିତ ଆନନ୍ଦମୟ, ଖେଳ-ଆଧାରିତ ଏବଂ ଅନୁଭୂତିମୂଳକ ଶିକ୍ଷାରେ ‘ଜାଦୁଇ ପିଟାରା’ ଓ ‘ଇ-ଜାଦୁଇ ପିଟାରା’ର ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ଅଞ୍ଚଳରୁ 40 ଜଣ ପ୍ରମୁଖ ସାଧନ କର୍ମୀ ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ଏସ୍‌.ସି.ଏଫ୍‌–ଏଫ୍‌.ଏସ୍‌.୨୦୨୨, ବାଲବାଟିକା ମାନଦଣ୍ଡ ଓ ନିର୍ଦ୍ଦେଶାବଳୀ, ସାମାଜିକ-ଭାବନାତ୍ମକ ବିକାଶ, ଭାଷା ଶିକ୍ଷାଦାନ, ବହୁଭାଷୀ ଶ୍ରେଣୀକକ୍ଷ, ଶିକ୍ଷଣ ମୂଲ୍ୟାଙ୍କନ, ଖେଳ-ଆଧାରିତ ଶିକ୍ଷା, ସଂଖ୍ୟା ଓ ଭାଷା ବିକାଶ, ଏବଂ ପରିବାର ସହିତ ସହଭାଗୀତା ଭଳି ବିଷୟ ଉପରେ ତାଲିମ ଦିଆଯାଉଛି।ଏହି ତାଲିମ ସମାପ୍ତି ପରେ ଅଂଶଗ୍ରହଣକାରୀ ସାଧନ କର୍ମୀମାନେ, ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରି ଦ୍ୱୀପପୁଞ୍ଜର ବାଲବାଟିକା ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ। ଏହାର ଉଦ୍‌ଘାଟନୀ ଅଧିବେଶନ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ସହକାରୀ ପ୍ରଫେସର ଡକ୍ଟର ବରୁଣ ଅଶୋକନଙ୍କ ଧନ୍ୟବାଦ ଜ୍ଞାପନ ସହିତ ଶେଷ ହୋଇଥିଲା।

 

Leave a Reply

Your email address will not be published. Required fields are marked *

Back to top button