ଅପରାଧ

ଜାତୀୟ ଯୁବ ମହୋତ୍ସବ ୨୦୨୬: ଓଡ଼ିଶା ଦଳ ପାଇଁ ଶୁଭେଚ୍ଛା ସମାରୋହ ଅନୁଷ୍ଠିତ

ଭୁବନେଶ୍ୱର :- ଜାତୀୟ ଯୁବ ମହୋତ୍ସବ ୨୦୨୬ (ବିକଶିତ ଭାରତ ଯୁବ ନେତୃତ୍ୱ ସମ୍ମିଳନୀ) ରେ ଓଡ଼ିଶାର ପ୍ରତିନିଧିତ୍ୱ କରିବାକୁ ଯାଉଥିବା ପ୍ରତିଯୋଗୀମାନଙ୍କ ପାଇଁ ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଏକ ଶୁଭେଚ୍ଛା ଓ ସମାରୋହ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଦଳକୁ ଶୁଭକାମନା ଜଣାଇଛନ୍ତି।
ପ୍ରତିଯୋଗୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ସୂରଜ କହିଛନ୍ତି ଯେ, ‘ଜାତୀୟ ଯୁବ ମହୋତ୍ସବ’ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଭାମାନଙ୍କ ସହ ଭାବ ବିନିମୟ କରିବାର ଏକ ବଡ଼ ମାଧ୍ୟମ। ମନ୍ତ୍ରୀ କହିଛନ୍ତି, “ଆପଣମାନେ ଜାତୀୟ ସ୍ତରରେ ଓଡ଼ିଶାର ଗୌରବମୟ ଐତିହ୍ୟ ଏବଂ ସମୃଦ୍ଧ ଭବିଷ୍ୟତର ପ୍ରତିନିଧିତ୍ୱ କରୁଥିବାରୁ ମୁଁ ଗର୍ବିତ। ଆପଣଙ୍କ ଯାତ୍ରା କେବଳ ନୂଆଦିଲ୍ଲୀରେ ଶେଷ ହେବ ନାହିଁ; ଆପଣମାନଙ୍କ ଜରିଆରେ ଓଡ଼ିଶାର ପ୍ରତିଭା ବିଶ୍ୱ ଦରବାରରେ ପହଞ୍ଚିବ। ଆପଣମାନେ କେବଳ ପ୍ରତିଯୋଗୀ ନୁହନ୍ତି, ବରଂ ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାର ‘ବ୍ରାଣ୍ଡ ଆମ୍ବାସାଡର’। ଆପଣମାନେ ହିଁ ‘ବିକଶିତ ଓଡ଼ିଶା ୨୦୩୬’ର ମୂଳଦୁଆ।”

ଆସନ୍ତା ୧୧ ଏବଂ ୧୨ ଜାନୁଆରୀ ୨୦୨୬ରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ଓଡ଼ିଶାରୁ ୮୦ ଜଣ ପ୍ରତିଭାବାନ ଯୁବକଯୁବତୀ ଅଂଶଗ୍ରହଣ କରିବେ। ସେମାନେ ନିମ୍ନଲିଖିତ ବିଭିନ୍ନ ବର୍ଗରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ:

୪୫ ଜଣ: ବିକଶିତ ଭାରତ ଚ୍ୟାଲେଞ୍ଜ ଟ୍ରାକ୍ (Viksit Bharat Challenge Track)
୩୦ ଜଣ: ସାଂସ୍କୃତିକ କାର୍ଯ୍ୟକ୍ରମ (Cultural Track)
୦୪ ଜଣ: ହ୍ୟାକ୍ ଫର୍ ସୋସିଆଲ୍ କଜ୍ (Hack for Social Cause)
୦୧ ଜଣ: ଡିଜାଇନ୍ ଫର୍ ଭାରତ (Design For Bharat)

ଏହି ସମାରୋହରେ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଡଃ ୟେଦୁଲା ବିଜୟ, ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button