ଦେଶ- ବିଦେଶ

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

– ବ୍ଲାକରକ୍ ସିଇଓ ଲାରି ଫିଙ୍କ୍ ଭାରତକୁ ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି ପାଇଁ ସବୁଠାରୁ ବଡ଼ ସୁଯୋଗ ବୋଲି କହିଛନ୍ତି

– ଦେଶର ଅଭିବୃଦ୍ଧିର ଲାଭ ଉଠାଇବା ପାଇଁ ଯୁବ ପିଢ଼ି ସଞ୍ଚୟକାରୀରୁ ନିବେଶକରେ ପରିଣତ ହେବା ଉଚିତମୁକେଶ ଅମ୍ବାନୀ

– ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାରେ ଏଆଇ ଆଣିବ ବଡ଼ ପରିବର୍ତ୍ତନ

ମୁମ୍ବାଇ :- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି. ଅମ୍ବାନୀ କହିଛନ୍ତି ଯେ ଆଗାମୀ ୨୦-୩୦ ବର୍ଷ ମଧ୍ୟରେ ଭାରତ ୨୫ ରୁ ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ସମ୍ଭାବନା ରଖିଛି ଏବଂ ଏହି ସମୟ ଦେଶର ଯୁବ ପିଢ଼ି ପାଇଁ ଏକ ବଡ଼ ନିବେଶ ସୁଯୋଗ ହେବ। ମୁମ୍ବାଇରେ ଅନୁଷ୍ଠିତ ଜିଓ-ବ୍ଲାକରକ୍ କାର୍ଯ୍ୟକ୍ରମ “ଇନଭେଷ୍ଟିଂ ଫର୍ ଏ ନ୍ୟୁ ଏରା”ରେ ବ୍ଲାକରକ୍ ସିଇଓ ଲାରି ଫିଙ୍କଙ୍କ ସହିତ ଏକ ଫାୟାରସାଇଡ ଆଲୋଚନାରେ, ଅମ୍ବାନୀ ଭାରତର ବିକାଶ ଯାତ୍ରାର ଏକ ସ୍ପଷ୍ଟ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ।

ଜିଓବ୍ଲାକରକ୍ ଇଭେଣ୍ଟରେ, ମୁକେଶ ଅମ୍ବାନୀ କହିଛନ୍ତି ଯେ ଭାରତ ପାରମ୍ପରିକ ଭାବରେ ସଞ୍ଚୟର ଦେଶ ରହିଛି, କିନ୍ତୁ ବର୍ତ୍ତମାନ ନିବେଶ କରି ଦେଶର ପ୍ରଗତିରୁ ଲାଭ ଉଠାଇବାର ସମୟ ଆସିଛି। ସଞ୍ଚୟକୁ ନିବେଶରେ ପରିଣତ କରାଯିବା ଉଚିତ। ପୁଞ୍ଜି ବଜାରରେ ସଞ୍ଚୟ ଅର୍ଥ ନିବେଶ କରିବା ଦ୍ୱାରା କେବଳ ପରିବାରର ସମ୍ପତ୍ତି ବୃଦ୍ଧି ହେବ ନାହିଁ ବରଂ ଦେଶର ଆର୍ଥିକ ଅଭିବୃଦ୍ଧି ମଧ୍ୟ ତ୍ୱରାନ୍ୱିତ ହେବ। ଲାରି ଫିଙ୍କ୍ ମଧ୍ୟ ଏହି ବିଚାରକୁ ସମର୍ଥନ କରି କହିଥିଲେ ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଦେଶରେ ଦୀର୍ଘକାଳୀନ ଇକ୍ୱିଟି ନିବେଶ ସମ୍ପତ୍ତି ସୃଷ୍ଟିର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହୋଇପାରିବ।

ଅମ୍ବାନୀ କହିଥିଲେ ଯେ ଭାରତର ଅଭିବୃଦ୍ଧିର ମୂଳରେ ରହିଛି ମଜଭୁତ ନୀତି, ରାଜନୈତିକ ସ୍ଥିରତା, ବଡ଼ ଧରଣର ଭିତ୍ତିଭୂମି ନିର୍ମାଣ ଏବଂ ଡିଜିଟାଲ୍ କ୍ରାନ୍ତି। ୫ଜି, ଡିଜିଟାଲ୍ ଇଣ୍ଡିଆ ଏବଂ ପୁଞ୍ଜି ବଜାରର ବିସ୍ତାର ବଳରେ ଭାରତ ଦୀର୍ଘକାଳୀନ ନିବେଶ ପାଇଁ ଏକ ଆକର୍ଷକ କେନ୍ଦ୍ର ଭାବେ ଉଭା ହୋଇଛି।

କୃତ୍ରିମ ବୁଦ୍ଧିମତ୍ତା ଉପରେ ଗୁରୁତ୍ୱାରୋପ କରି ଅମ୍ବାନୀ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିପାରିବ। ସେ କହିଛନ୍ତି ଯେ ଏଆଇ ମାଧ୍ୟମରେ ୧୪୦ କୋଟି ଲୋକଙ୍କ ପାଇଁ ଉଚ୍ଚମାନର ଶିକ୍ଷା, ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ପ୍ରଭାବଶାଳୀ ସାର୍ବଜନୀନ ସେବା ସୁଲଭ ଏବଂ ସୁଗମ କରାଯାଇପାରିବ।

କାର୍ଯ୍ୟକ୍ରମରେ, ବ୍ଲାକରକ୍ ସିଇଓ ଲାରି ଫିଙ୍କ୍ ଭାରତକୁ “ଭାରତର ଯୁଗ” ଭାବରେ ବର୍ଣ୍ଣନା କରିଥିଲେ, ଯାହାକୁ ନେଇ ଅମ୍ବାନୀ କହିଥିଲେ ଯେ ଯେଉଁମାନେ ଭାରତର ଦୀର୍ଘକାଳୀନ ଅଭିବୃଦ୍ଧିରେ ବିଶ୍ୱାସ କରିବେ ସେମାନେ ଆଗାମୀ ଦଶନ୍ଧିଗୁଡ଼ିକରେ ସବୁଠାରୁ ଅଧିକ ଲାଭ ପାଇବେ।

Leave a Reply

Your email address will not be published. Required fields are marked *

Back to top button