ଅପରାଧ

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲାରେ ବଡ଼ ରାୟ: ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡ

କଟକ: ବହୁ ଚର୍ଚ୍ଚିତ ଓଡ଼ିଆ ଧାରାବାହିକ ଓ ଚଳଚ୍ଚିତ୍ର ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ କଟକ ତୃତୀୟ ଏଡିଜେ କୋର୍ଟ ଐତିହାସିକ ରାୟ ଦେଇଛନ୍ତି। ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେଥିପାଇଁ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ଘରୋଇ ହିଂସା ମାମଲାରେ ଅଭିଯୁକ୍ତ ଲିପନଙ୍କ ମା’ ଓ ବାପାଙ୍କୁ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

୨୦୧୯ ଜାନୁଆରୀ ୪ ତାରିଖରେ କଟକ ମହାନଦୀ ବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟ ଛାତରୁ ପଡ଼ି ନିକିତା ଗୁରୁତର ଆହତ ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେ ଜୀବନ ହାରିଥିଲେ।

ଘଟଣା ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଏବଂ ସେଥିରେ ନିକିତା ଅସାବଧାନତାବଶତଃ ଛାତରୁ ପଡ଼ିଯାଇଥିବା ଲିପନଙ୍କ ଦାବି ଥିଲା। କିନ୍ତୁ ନିକିତାଙ୍କ ବାପଘର ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦାଖଲ କରାଯାଇ, ତାଙ୍କୁ ଛାତରୁ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ ଆଣାଯାଇଥିଲା। ସେଥିସହ ଯୌତୁକ ନିର୍ଯାତନା ଅଭିଯୋଗ ମଧ୍ୟ ଉଠିଥିଲା।

ନିକିତା ଓଡ଼ିଆ ଟିଭି ଓ ଚଳଚ୍ଚିତ୍ର ଜଗତର ଏକ ପରିଚିତ ମୁହଁ ଥିଲେ। ବିଶେଷକରି ଏସିପି ନିକିତା ଧାରାବାହିକ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଏହାଛଡ଼ା ତୁ ମୋ ଆଖିର ତାରା, ଚୋରି ଚୋରି ମନ ଚୋରି ଏବଂ ମଥାରେ ଦେଇ ପାଟ ଓଢଣୀ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ।

ଦୀର୍ଘ ଆଇନି ପ୍ରକ୍ରିୟା ପରେ ଆସିଥିବା ଏହି ରାୟକୁ ନିକିତାଙ୍କ ପରିବାର ପକ୍ଷରୁ ନ୍ୟାୟର ବିଜୟ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button