ରାଜ୍ୟ
ବିଏମ୍ ସି ଦେଲା ବିଏମ୍ ସିକୁ ୟୁଜର୍ସ ଫି

ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ଦେଲା ଭୁବନେଶ୍ୱର ମହାନଗର ନିଗମକୁ ୟୁଜର୍ସ ଫି । କଥାଟା କେମିତି କେମିତି ଲାଗୁଥିଲେ ମଧ୍ୟ ବାସ୍ତବରେ ସତ୍ୟ । ୟୁଜର ଫି ବାବଦରେ ବିଏମ୍ ସି 36 ହଜାର ଟଙ୍କା ଆଜି ପୈଠ କରିଛି । ନିମ୍ନରେ ଦିଆଯାଇଥିବା ଚେକକୁ ଦେଖନ୍ତୁ । ବିଏମ୍ ସି କମିଶନରଙ୍କ ନାମରେ ୟୁଜର ଫି ବାବଦରେ ଏହି ଟ 36, 000/-ଙ୍କା ବିଏମ୍ ସି କୁ ପ୍ରଦାନ କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ବିଏମ୍ ସି ବାଇଲରେ ଏହା ମଧ୍ୟ ଉଲ୍ଲେଖ ରହିଛି । ନିୟମ ଅନୁଯାୟୀ ବିଏମ୍ ସି ଅଂଚଳରେ ବସବାସ କରୁଥିବା ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ, ବେସରକାରୀ, ରାଷ୍ଟ୍ରାୟତ କାର୍ଯ୍ୟାଳୟ, ଅନୁଷ୍ଠାନ, ପ୍ରତିଷ୍ଠାନ, ଅଧିକାରୀ, କର୍ମଚାରୀ ୟୁଜର ଫି ଦେବେ । ଏହି କ୍ରମରେ ବିଏମ୍ ସିର ମେୟର, ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ସମସ୍ତ କର୍ପୋରେଟର, ଅଧିକାରୀ ଓ କର୍ମଚାରୀ ମଧ୍ୟ ନିଜେ ରହୁଥିବା ଅଂଚଳର ସଂପୃକ୍ତ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ଏସ୍.ଆଇ.ମାନଙ୍କୁ ୟୁଜର ଫି ଦେଉଛନ୍ତି । ୟୁଜର ଫି ପ୍ରଦାନ କରିବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ କମିଶନର ପତ୍ର ଲେଖିଛନ୍ତି । ତଦନୁଯାୟୀ ସ୍ୱଚ୍ଛସାଥୀମାନେ ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ୟୁଜର ଫି ଆଦାୟ କରୁଛନ୍ତି । ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଅନଲାଇନରେ ମଧ୍ୟ ପୈଠ କରୁଛନ୍ତି ।
ବିଏମ୍ ସି ଅଂଚଳର ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ଏହି ୟୁଜର ଫି ଦେବା ପାଇଁ ମେୟର ଓ କମିଶନର ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି । ମାତ୍ର ଆଜି 35 ନମ୍ବର ଓ୍ୱାର୍ଡରେ ଥିବା ବିଏମ୍ ସି କାର୍ଯ୍ୟାଳୟ ଏହି ନିୟମକୁ ସ୍ୱାଗତ ଜଣାଇବା ସହ ୟୁଜର ଫି ବାବଦରେ ବିଏମ୍ ସି ଅର୍ଥ ଉପବିଭାଗ 36 ହଜାର ଟଙ୍କାର ଚେକ୍ ସଂପୃକ୍ତ ଓ୍ୱାର୍ଡର ପରିମଳ ନିରୀକ୍ଷକ(ଏସ୍. ଆଇ.) ସ୍ୱପ୍ନାଦୀପା ନନ୍ଦ ଏବଂ ତାଙ୍କ ସ୍ୱଚ୍ଛସାଥୀ ଟିମଙ୍କୁ ପ୍ରଦାନ କରିଛନ୍ତି । ଆଇନ ଅନୁଯାୟୀ ଏହି ୟୁଜର ଫି ଆଦାୟ କରାଯାଇଛି । ବିଏମ୍ ସି କିମ୍ବା ଯେ କୌଣସି ସରକାରୀ କାର୍ଯ୍ୟାଳୟ ଆମ ଓ୍ୱାର୍ଡରେ ରହିଛି, ସମସ୍ତେ ୟୁଜର ଫି ଦେଉଛନ୍ତି ବୋଲି କହିଛନ୍ତି ସଂପୃକ୍ତ ଏସ୍.ଆଇ ।
ବିଏମ୍ ସି ୟୁଜର ଫି ଦେଇ ନିଜକୁ ଗର୍ବ ଅନୁଭବ କରୁଛି । ଆମ ରାଜ୍ୟର ମୁଖଶାଳା ତଥା ସ୍ମାର୍ଟ ସିଟି ଭୁବନେଶ୍ୱରର ଉନ୍ନତି ପାଇଁ ୟୁଜର ଫି ପ୍ରଦାନ କରିବା ସହ ସମସ୍ତେ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ।
ଆଇନକୁ ସମସ୍ତେ ସମ୍ମାନ ଦେବା ଦରକାର । ଯେହେତୁ ଆମେ ବର୍ଜ୍ୟ ନିଷ୍କାସନ କରୁଅଛୁ, ତେଣୁ ବର୍ଗଫୁଟ୍ ହିସାବରେ ୟୁଜର ଫି ନିୟମ ଅନୁଯାୟୀ ଦିଆଯାଇଛି । ବିଏମ୍ ସି ଅଂଚଳରେ ଥିବା ସମସ୍ତ ରାଷ୍ଟ୍ରାୟତ ସଂସ୍ଥା, ସରକାରୀ, ଅର୍ଦ୍ଧସରକାରୀ, ବେସରକାରୀ ଅନୁଷ୍ଠାନଙ୍କୁ ମଧ୍ୟ ପତ୍ରମାଧ୍ୟମରେ ଅବଗତ କରାଯାଇଛି । ସେମାନେ ମଧ୍ୟ ୟୁଜର ଫି ପ୍ରଦାନ କରୁଛନ୍ତି । ଏହି ୟୁଜର ଫି ଭୁବନେଶ୍ୱର ମହାନଗର ନିଗମକୁ ଆହୁରି ସ୍ୱଚ୍ଛ, ସବୁଜ ସୁନ୍ଦର କରିବାରେ ସହାୟକ ହେବ । ଏଥିପାଇଁ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା ।




