ଆଜିଠୁ ଦିଲ୍ଲୀରେ ବାଧାପ୍ରାପ୍ତ ହେବ ପରିବହନ, ଭଡା ବୃଦ୍ଧି ନେଇ ୩ ଦିନିଆ ଧର୍ମଘଟ ଡାକରା ଦେଲା ଟ୍ୟାକ୍ସି ଚାଳକ ସଂଘ

ଦିଲ୍ଲୀରେ ଇରାନ ଯୁଦ୍ଧର ପ୍ରଭାବ । ଆଜିଠୁ ଦିଲ୍ଲୀରେ ବାଧାପ୍ରାପ୍ତ ହେବ ପରିବହନ । ଦିଲ୍ଲୀ-ଏନସିଆରରେ ଟ୍ୟାକ୍ସି ଏବଂ ଅଟୋ ଧର୍ମଘଟ ହୋଇଛି । ତୈଳ ଦର ବୃଦ୍ଧି ଯୋଗୁଁ ଖର୍ଚ୍ଚ ବଢ଼ିଛି । ଫଳରେ ଭଡ଼ା ବୃଦ୍ଧି ଦାବି ଆନ୍ଦୋଳନକୁ ଓହ୍ଲାଇଛି ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ଏବଂ ଚାଳକ ଶକ୍ତି ୟୁନିଅନ୍ ସମେତ ପ୍ରାୟ ୬୮ଟି ପରିବହନ ସଂଘ । ଆଜିଠାରୁ ମେ ୨୩ ପର୍ଯ୍ୟନ୍ତ ତିନି ଦିନିଆ “ଚକ୍କା ଜାମ୍” ଆରମ୍ଭ କରିଛନ୍ତି । ଭାରତରେ ମାତ୍ର ଏକ ସପ୍ତାହ ମଧ୍ୟରେ ଦୁଇଥର ଇନ୍ଧନ ଦର ବଢ଼ିଛି ।
ୟୁନିଅନଗୁଡ଼ିକର କହିବା କଥା, ଦିଲ୍ଲୀ-ଏନସିଆରରେ ଗତ ୧୫ ବର୍ଷ ହେବ ଅଟୋ ଏବଂ ଟ୍ୟାକ୍ସି ଭଡ଼ାରେ କୌଣସି ବଡ଼ ସଂଶୋଧନ କରାଯାଇ ନାହିଁ। ଯାହା ମହଙ୍ଗା ମାଡ଼ ସହ ମେଳ ଖାଉନାହିଁ । ଓଲା, ଉବର ଏବଂ ର୍ୟାପିଡୋ ଭଳି ପ୍ଲାଟଫର୍ମଗୁଡ଼ିକ ଅଧିକ କମିଶନ କାଟିନେଉଛନ୍ତି । ଫଳରେ ଡ୍ରାଇଭରମାନଙ୍କ କିଲୋମିଟର ପିଛା ପ୍ରକୃତ ରୋଜଗାର ବହୁତ କମିଯାଇ ଛି। ସେହିପରି ଗତ ଏପ୍ରିଲ ମାସରୁ ହାଲୁକା ବାଣିଜ୍ୟିକ ଯାନ ଗୁଡ଼ିକର ଦିଲ୍ଲୀ ପ୍ରବେଶ ଶୁଳ୍କ ୧,୪୦୦ ଟଙ୍କାରୁ ୨,୦୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି । ଯାହାକୁ ଟ୍ରକ୍ ଚାଳକମାନେ ବିରୋଧ କରୁଛନ୍ତି । ଯାହାକୁ ନେଇ ଚାଳକମାନଙ୍କ ମଧ୍ୟରେ ଅସନ୍ତୋଷ । ଏସବୁକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଚାଳକ।ଯଦି ଭଡା ବୃଦ୍ଧି ସମ୍ପର୍କରେ କୌଣସି ବିଜ୍ଞପ୍ତି ଜାରି ନ ହୁଏ, ତେବେ ଆନ୍ଦୋଳନକୁ ଜୋରଦାର୍ କରାଯିବ ବୋଲି ସଂଘ ସରକାରଙ୍କୁ ଚେତାବନୀ ଦେଇଛି ।
ଦିଲ୍ଲୀର ପ୍ରମୁଖ ବଜାର, ଯେପରିକି ଗାଜିପୁର ମଣ୍ଡି, ଆଜାଦପୁର ମଣ୍ଡି ଏବଂ ଓଖଲା ସବଜି ମଣ୍ଡିକୁ ପରିବହନ ମାଧ୍ୟମରେ ପ୍ରତିଦିନ ବହୁ ପରିମାଣର ପନିପରିବା, ଫଳ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚୁଛି । ୟୁନିଅନର ପ୍ରସ୍ତାବିତ ଧର୍ମଘଟ ଫଳରେ ପରିବହନରେ ବାଧା ସୃଷ୍ଟି ହେବ, ଯାହା ଫଳରେ ସହର ମଧ୍ୟରେ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ବ୍ୟବସାୟୀମାନେ କହିଛନ୍ତି ଯେ, ଯଦି ଟ୍ରକ୍ ଚଳାଚଳ ବନ୍ଦ କରାଯାଏ, ତେବେ ଖୁଚୁରା ବଜାରରେ ସାମଗ୍ରୀ ବିଳମ୍ବରେ ପହଞ୍ଚିବ, ଯାହା ମୂଲ୍ୟ ଉପରେ ପ୍ରଭାବ ପକାଇପାରେ । ବର୍ତ୍ତମାନ, ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରବଳ ଗରମ ହେଉଛି । ଫଳସ୍ୱରୂପ, ସହରରେ ଫଳ ଏବଂ ସବୁଜ ପନିପରିବାର ଚାହିଦା ଅଧିକ ରହିଛି । ୟୁନିଅନ ଧର୍ମଘଟ ଯୋଗାଣ ଶୃଙ୍ଖଳାକୁ ବାଧା ଦେବ, ଯାହା ଫଳରେ ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି । ଧର୍ମଘଟ ଡାକରାକୁ ଦୃଷ୍ଟିରେ ରଖି ଦୋକାନୀମାନେ ଜିନିଷପତ୍ର ଗଚ୍ଛିତ କରିବା ଆରମ୍ଭ କରିଦେଇଛନ୍ତି ।




