ଦେଶ- ବିଦେଶ

ଟ୍ରମ୍ପଙ୍କ ବଡ଼ ଘୋଷଣା, ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି

ଟ୍ରମ୍ପଙ୍କ ବଡ଼ ଘୋଷଣା । ଇସ୍ରାଏଲ୍-ହିଜବୁଲ୍ଲା ମଧ୍ୟରେ ହେବ ଯୁଦ୍ଧବିରତି । ବନ୍ଦ ହେବ ଗୁଳିବିନିମୟ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଭୟଙ୍କର ସଂଘର୍ଷ ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଗତକାଲି ଇସ୍ରାଏଲ୍ ଓ ଲେବାନନର ସଂଗଠନ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧର ତୀବ୍ରତା କମାଇବା ପାଇଁ ସହମତି ପ୍ରକାଶ ପାଇଥିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ “ଅତ୍ୟନ୍ତ ସଫଳ” ଆଲୋଚନା ଓ ହିଜବୁଲ୍ଲା ସହ ପରୋକ୍ଷ ଯୋଗାଯୋଗ ପରେ ସଫଳତା ମିଳିଥିବା ଟ୍ରମ୍ପ ଦାବି କରିଛନ୍ତି । ‘ଟ୍ରୁଥ୍ ସୋସିଆଲ୍’ରେ ଟ୍ରମ୍ପ ଲେଖିଛନ୍ତି ଇସ୍ରାଏଲର କୌଣସି ସୈନ୍ୟ ଲେବାନନର ରାଜଧାନୀ ବେରୁତ ଆଡ଼କୁ ଅଗ୍ରସର ହେବେ ନାହିଁ । ଯେଉଁମାନେ ବାଟରେ ଥିଲେ ସେମାନଙ୍କୁ ଫେରାଇ ଅଣାଯାଇଛି ।

ସେହିପରି ହିଜବୁଲ୍ଲାର ଉଚ୍ଚପଦସ୍ଥ ପ୍ରତିନିଧିମାନେ ମଧ୍ୟ ଗୁଳିବିନିମୟ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଦୁଇ ପକ୍ଷ ପରସ୍ପର ଉପରେ ଆକ୍ରମଣ ନକରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଟ୍ରମ୍ପ ଏହାକୁ ଏକ ବଡ଼ ସଫଳତା ବୋଲି କହୁଥିଲେ ସୁଦ୍ଧା, ଗ୍ରାଉଣ୍ଡ ସ୍ଥିତି ଓ ଦୁଇ ପକ୍ଷର ବୟାନଚୁକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ସହ କଥାବାର୍ତ୍ତାକୁ ସ୍ୱୀକାର କରିଛନ୍ତି । ଦକ୍ଷିଣ ଲେବାନନରେ ଇସ୍ରାଏଲର ସାମରିକ ଅପରେସନ ଜାରି ରହିବ ବୋଲି ସତର୍କ କରିଛନ୍ତି। ହିଜବୁଲ୍ଲା ଆକ୍ରମଣ ବନ୍ଦ ନକଲେ, ତେବେ ବେରୁତ ଉପରେ ପୁଣି ଏୟାରଷ୍ଟ୍ରାଇକ କରାଯାଇପାରେ ବୋଲି ଚେତାଇ ଦେଇଛନ୍ତି। ଏପଟେ ହିଜବୁଲ୍ଲା ପକ୍ଷରୁ ଚୁକ୍ତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନା ଅନୁସାରେ ଟ୍ରମ୍ପଙ୍କ ଘୋଷଣାର କିଛି ସମୟ ପରେ ମଧ୍ୟ ଇସ୍ରାଏଲ ଅଭିମୁଖେ ରକେଟ୍ ମାଡ଼ ହୋଇଥିଲା। ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ବିନା ହିଜବୁଲ୍ଲା କୌଣସି ଆଂଶିକ ଯୁଦ୍ଧବିରତି ଚାହୁଁନାହିଁ। ଆଜି ସକାଳ ପର୍ଯ୍ୟନ୍ତ ସୀମାରେ ସୀମିତ ଗୁଳିବିନିମୟ ଜାରି ରହଛି। ଯାହା ଶାନ୍ତି ପ୍ରକ୍ରିୟାର ସ୍ଥାୟୀତ୍ୱ ଉପରେ ସନ୍ଦେହ ବଢ଼ାଉଛି। ଏହି ବୁଝାମଣା ଦ୍ୱାରା ବେରୁତର ଦକ୍ଷିଣ ଉପକଣ୍ଠରେ ଇସ୍ରାଏଲ୍ କରିବାକୁ ଥିବା ବଡ଼ ଧରଣର ଆକ୍ରମଣ ଟଳିଛି। ଏହି ମିଶନରେ କୌଣସି ଆମେରିକୀୟ ସୈନ୍ୟ ସାମିଲ ନାହାନ୍ତି କିମ୍ବା ସେମାନଙ୍କୁ ଲେବାନନ ପଠାଯାଉନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ।

ଯୁଦ୍ଧବିରତି ମୁଖ୍ୟତଃ ସୀମାପାର ଆକ୍ରମଣକୁ ରୋକିବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ଦକ୍ଷିଣ ଲେବାନନ ଭିତରେ ଇସ୍ରାଏଲର ସ୍ଥଳସେନା ଅପରେସନ ଜାରି ରହିପାରେ। ୨୫ ବର୍ଷ ମଧ୍ୟରେ ଇସ୍ରାଏଲ ସେନା ପ୍ରଥମ ଥର ପାଇଁ ଲେବାନନର ଭିତରକୁ ପଶିଥିବା ବେଳେ ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇବା ପାଇଁ ବଡ଼ କୂଟନୈତିକ ପ୍ରୟାସ। ତେବେ ଦୁଇ ଦେଶ ମଧ୍ୟରେ ଥିବା ଶତ୍ରୁତା ଯୋଗୁଁ ସ୍ଥିତି କେତେ ସମୟ ସ୍ଥିର ରହିବ, ତାହା ଦେଖିବାକୁ ବାକି ରହିଲ ।

Leave a Reply

Your email address will not be published. Required fields are marked *

Back to top button