ସମ୍ବଲପୁରରେ ହାତୀ ଆତଙ୍କ, ଶୌଚ ହେବାକୁ ଯାଇଥିବାବେଳେ ଜଣଙ୍କୁ ଦଳିଦେଲା ଦନ୍ତା

ଦଳିଦେଲା ଦନ୍ତା, ଜଣେ ମୃତ । ସମ୍ବଲପୁର ଯୁଯୁମରା ବ୍ଲକ କୁମ୍ଭେର ଗାଁରେ ହାତୀ ଆତଙ୍କ ଦେଖା ଦେଇଛି । ମୃତକ ହେଲେ ଲବ ଭୋଇ । ଆଜି ଭୋରୁ ଶୌଚ ହେବାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। କିଛିଦିନ ହେଲା କୁମ୍ଭେର ଅଞ୍ଚଳରେ ବୁଲୁଛନ୍ତି ଏକ ହାତୀପଲ । ହାତୀର ଗତିବିଧି ଉପରେ ନଜର ରଖିଛି ବନବିଭାଗ।
ସେହିପରି ଗତଦୁଇ ଦିନ ତଳେ ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁରେ ଜଣେ ବୃଦ୍ଧଙ୍କ ମୁଣ୍ଡକୁ ଦଳିଦେଲା ଦନ୍ତା । ମୃତକ ହେଲେ ୬୫ ବର୍ଷିୟ ଗନ୍ଧର୍ବ ସାହୁ । ସକାଳ ସାଢ଼େ ୬ଟା ବେଳେ ଗନ୍ଧର୍ବ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ବନବିଭାଗ ଟିମ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେହିପରି ଛେଣ୍ଡିପଦା ବନାଞ୍ଚଳ ନୂଆଗାଁରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ ମହିଳା ଜଣକ ଜରିପାଳ ଗାଁର ପ୍ରମିଳା ରାଉଳ । ମହିଳା ଜଣଙ୍କ ନିଜ ଝିଅ ଘରକୁ ଯାଇଥିବାବେଳେ ସେଠାରୁ ଆମ୍ବ ଗୋଟାଇବାକୁ ଯାଇଥିବା ସମୟରେ ଦନ୍ତାହାତୀ କଚାଡ଼ି ମାରି ଦେଇଥିଲା ।




