ଆଗ ପରି ପୁଣି ଚମକିବ ବେତ ଫର୍ଣ୍ଣିଚର, ଆପଣାନ୍ତୁ ଏହି ସିମ୍ପଲ୍ ଟ୍ରିକ୍ସ

ବେତ ତିଆରି ଫର୍ଣ୍ଣିଚର ଆଖିକୁ କେବଳ ସୁନ୍ଦର ଦିଶି ନଥାଏ । ବରଂ ହାଲକା ଏବଂ ଦୀର୍ଘ ସ୍ଥାୟୀ ହୋଇଥାଏ । ବେତ ତିଆରି ଚେୟାର, ଟେବୁଲ, ସୋଫା ଏବଂ ଝୁଲା ଡ୍ରଇଂ ରୁମରେ କିମ୍ବା ବାଲକୋନୀରେ ଥାଇ ସେହି ସ୍ଥାନରେ ଆକର୍ଷଣକୁ ଦ୍ବିଗୁଣିତ କରି ଦେଇଥାଏ ।
ଏହାକୁ ଛୋଟ ଛୋଟ ଭାବେ ବୁଣାଯାଇଥାଏ । ତେଣୁ ଏହାକୁ ସଫା କରିବା ବେଳେବେଳେ କଷ୍ଟକର ହୋଇପଡେ । ଛୋଟ ଛୋଟ ଭାବେ ଏହାକୁ ବୁଣା ଯାଇଥିବାରୁ ଏଥିରେ ସହଜରେ ମଇଳା ଜମା ହୋଇଯାଇଥାଏ । ଯାହା ସବୁଠାରୁ ବଡ଼ ଚିନ୍ତାର ବିଷୟ । ପୂର୍ବ ପରି ଏହାକୁ ନୂଆ କରିବା ପାଇଁ ହେଲେ ବେଳେବେଳେ ସଫା କରିବା ଜରୁରୀ । ଛୋଟ ଛୋଟ ଭାବେ ବୁଣା ହୋଇଥିବାରୁ ଏହାକୁ ସଫା କରିବା ଖୁବ୍ କଷ୍ଟକର ହୋଇପଡେ । ଆପଣ ଏଥିପାଇଁ ଚିନ୍ତା କରୁଛନ୍ତି କି ? ତେବେ ଆଜି ଆପଣଙ୍କୁ ଏହାକୁ ସଫା କରିବାର ସହଜ ଉପାୟ ବତାଇବୁ । ଯାହା ଦ୍ବାରା ଆପଣଙ୍କ ବେତ ଫର୍ଣ୍ଣିଚର ଆଗ ଭଳି ନୂଆ ଦିଶିବାକୁ ଲାଗିବ । ତେବେ ଆସନ୍ତୁ ସେହି ଟ୍ରିକ୍ସ ବିଷୟରେ ଜାଣିବା ।
ପ୍ରଥମେ ଏଥିରେ ଲାଗିଥିବା ଧୂଳିକୁ ଛାଡିବା ଉଚିତ୍ । ସଫା କରିବା ପାଇଁ ଗୋଟିଏ ବ୍ରଶ୍ ନେବା ଜରୁରୀ । ଏଥିପାଇଁ ଆପଣ ଯେକୌଣସି ପୁରୁଣା ଟୁଥ୍ ବ୍ରଶ୍ ନେଇପାରିବେ । ଏଥିରେ ଛାଡିବା ଦ୍ବାରା ବେତ ତିଆରି ଜିନିଷରେ ଲାଗିଥିବା ସମସ୍ତ ମଇଳା ବାହାରିଯାଇଥାଏ । ଯଦି ଆପଣଙ୍କ ପାଖରେ ଭ୍ୟାକ୍ୟୁମ୍ କ୍ଲିନର ଅଛି ତେବେ ବ୍ରଶ୍ ଆଟାଚମେଣ୍ଟ୍ ବ୍ୟବହାର କରି ବେତ ତିଆରି ଫର୍ଣ୍ଣିଚର ସଫା କରିପାରିବେ ।
ବେତ ଫର୍ଣ୍ଣିଚର ସଫା କରିବାକୁ ଚାହୁଁଥିଲେ ଉଷୁମ ପାଣିରେ ଲିକୁଇଡ୍ ସାବୁନ ମିଶାଇ ସ୍ପଞ୍ଜରେ ଏହାକୁ ଧୀରେ ଧୀରେ ସଫା କରନ୍ତୁ । ଫଳରେ ଜମା ହୋଇଥିବା ମଇଳା ସହଜରେ ବାହାରିଯିବ । ଏହା ବ୍ୟତୀତ ଏହାକୁ ସଫା କରି ସାରିବା ପରେ ଭଲ ଭାବରେ ଶୁଖିବାକୁ ଛାଡିଦିଅନ୍ତୁ । ଫର୍ଣ୍ଣିଚର ଓଦା ରହିବା ଦ୍ବାରା ଏହା ଖୁବ୍ ଶୀଘ୍ର ନଷ୍ଟ ହୋଇଯାଏ । ଏହା ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେ, ଅଧିକ ଖରାରେ ଶୁଖାଇବେ ନାହିଁ । ବରଂ ହାଲକା ପବନରେ ଶୁଖାଇବା ଉଚିତ୍ ।




