ମନୋରଞ୍ଜନ

ଅଭିନୟ ଦୁନିଆରେ ଓଜି ସିଙ୍ଗର ଦଲେର ମେହେନ୍ଦିଙ୍କ ଏଣ୍ଟ୍ରି, ବୋଲୋ ତା ରା ରା ଗୀତ ଗାଇ ଜିଣିଥିଲେ ଦର୍ଶକଙ୍କ ମନ

୫୮ ବର୍ଷ ବୟସରେ ପଞ୍ଜାବର ଓଜି ସିଙ୍ଗର ସେନସେସନ ଦଲେର ମେହେନ୍ଦି ଏକ ନୂତନ ଆରମ୍ଭ କରିବାକୁ ଯାଉଛନ୍ତି । ସେ “ୱେଲକମ୍ ଟୁ ଦି ଜଙ୍ଗଲ” ଫିଲ୍ମ ସହିତ ତାଙ୍କର ଅଭିନୟ ଡେବ୍ୟୁ ଆରମ୍ଭ କରୁଛନ୍ତି ।ଦଶନ୍ଧି ଧରି ନିଜ କଣ୍ଠସ୍ୱର ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଏବେ କିନ୍ତୁ ଓଜି ସିଙ୍ଗର ବଡ଼ ପରଦାରେ ଅଭିନୟ ଦକ୍ଷତା ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବୋଲୋ ତା ରା ରା,  ଟୁନକ୍ ତୁନକ୍ ତୁନ୍, ନା ନା ନା ରେ, ଏବଂ ହୋ ଜାଏଗି ବଲ୍ଲେ ବଲ୍ଲେ ଭଳି ଗୀତ ତାଙ୍କର ଗୋଟିଏ ବିଶେଷ ପରିଚୟ ସୃଷ୍ଟି କରିଛି । ହେଲେ ସେ ପୁଣି ଦର୍ଶକଙ୍କ ହୃଦୟ ଜିତିପାରିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଦଲେର ମେହେନ୍ଦି ତାଙ୍କ କ୍ୟାରିଅର ମଧ୍ୟରେ ୨୦୦ରୁ ଅଧିକ ଗୀତ ଗାଇଛନ୍ତି । କେବଳ ପଞ୍ଜାବୀ ଗୀତ ନୁହେଁ ବରଂ ବଲିଉଡରେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ହ୍ୟୁମାନ୍ ଟ୍ରାଫିକିଙ୍ଗ ଏବଂ ଠକେଇ ମାମଲା ବିବାଦରେ ଫସିଥିଲେ ଏବଂ ଜେଲ ମଧ୍ୟ ଯାଇଥିଲେ ସିଙ୍ଗର । ଯାହା ତାଙ୍କ ଇମେଜକୁ ଖରାପ କରିଥିଲା । ଫଳରେ ସେ ଧୀରେ ଧୀରେ ଏହି ଲାଇମଲାଇଟରୁ ଦୂରେଇ ଯାଇଥିଲେ । କିନ୍ତୁ ଦଲେର ଷ୍ଟେଜ୍ ଶୋ, ଲାଇଭ ପରଫରମାନ୍ସ ଏବଂ ଗୀତ ଗାଉଥିଲେ । ଯାହା ଦ୍ବାରା ସେ ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇ ରହୁଥିଲେ । କିନ୍ତୁ ଯେଉଁଭଳି ଭାବେ ସେ ଫେରିବେ ବୋଲି ଆଶା କରାଯାଉଥିଲା ସେଭଳି ଦେଖିବାକୁ ମିଳିନାହିଁ ।

ବର୍ତ୍ତମାନ ୱେଲକମ୍ ଟୁ ଦି ଜଙ୍ଗଲ ତାଙ୍କ ପାଇଁ ଗୋଟିଏ ନୂଆ ସୁଯୋଗ ଆଣି ଦେଇଛି । ଏହି ଫିଲ୍ମରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ, ପରେଶ ରାୱଲ, ଅର୍ଶଦ ୱାର୍ସି, ରବୀନା ଟଣ୍ଡନ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଦିଶା ପଟାନିଙ୍କ ଭଳି ବଡ଼ ବଡ଼ ଷ୍ଟାରଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ସ୍ବତନ୍ତ୍ର ପରିଚୟ କରିବା ଦଲେରଙ୍କ ପାଇଁ କଷ୍ଟକର ହେବ ।

ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଫିଲ୍ମ ଟ୍ରେଲରରେ ଦଲେରଙ୍କୁ ଲମ୍ବା ଡାଇଲଗ୍ ଦିଆଯାଇଛି । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ପରିହାସ କରାଯାଉଛି । ତଥାପି, ଦଲେର ମେହେନ୍ଦିଙ୍କ ଫ୍ୟାନ୍ସ ତାଙ୍କ ଡେବ୍ୟୁକୁ ନେଇ ଉତ୍ସାହିତ ରହିଛନ୍ତି । ଗୀତରେ ଯେମିତି ଦଲେର ସ୍ବତନ୍ତ୍ର ପରିଚୟ କରିଥିଲେ ସେପରି ଅଭିନୟ କ୍ଷେତ୍ରରେ ମଧ୍ୟ ଭିନ୍ନ ପରିଚୟ କରିବେ ବୋଲି ଦଲେରଙ୍କ କିଛି ଫ୍ୟାନ୍ସ ଆଶା ରଖିଛନ୍ତି । ତେବେ ଏହି ଫିଲ୍ମ ୨୬ ଜୁନରେ ସିନେମାହଲରେ ରିଲିଜ ହେବ । ଯାହାକୁ ଦେଖିବାକୁ ଦଲେରଙ୍କ ଫ୍ୟାନ୍ସ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button