ପୁଣି ବିଭାଜନମୁହାଁ ଶିବସେନାର ଉଦ୍ଧବ ଗୋଷ୍ଠୀ, ୯ ରୁ ୭ ସାଂସଦ ଅଲଗା ହେବାକୁ ଦାବି

ପୁଣି ବିଭାଜନମୁହାଁ ଶିବସେନାର ଉଦ୍ଧବ ଗୋଷ୍ଠୀ । ଅପରେସନ ଟାଇଗରରେ ଦଳରୁ ଭିନ୍ନ ଗୋଷ୍ଠୀ ହେବାକୁ ଦାବି କଲେ ୬ରୁ ୭ ସାଂସଦ । ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଦାବି ଜଣାଇଥିବା ଚର୍ଚ୍ଚା ହୋଇଛି । ୨୦୨୨ରୁ ପୁନରାବୃତ୍ତି ଆଶଙ୍କା ବଢିଥିବା ବେଳେ ଓମ ବିର୍ଲାଙ୍କୁ ଭେଟିଛନ୍ତି ଉଦ୍ଧବ ଗୋଷ୍ଠୀ ନେତା । ସେପଟେ ପ୍ରେସ ମିଟରେ ବିଦ୍ରୋହୀ ଗୋଷ୍ଠୀ ସାଂସଦଙ୍କ ଉପରେ ବର୍ଷିଛନ୍ତି ଶିବସେନା ୟୁବିଟି ମୁଖପାତ୍ର ସଞ୍ଜୟ ରାଉତ । ବିଦ୍ରୋହୀଙ୍କୁ ବେଇମାନ ଆଖ୍ୟା ଦେବା ସହ ଇସ୍ତଫା ଦେଇ ଦଳ ଛାଡ଼ିବାକୁ କହିଛନ୍ତି । ଦଳବଦଳ ପାଇଁ ସାଂସଦ ପିଛା ୫୦ କୋଟିର ଅଫର ଦିଆଯାଇଥିବା ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନାହିଁ ସିନ୍ଦେ ଗୋଷ୍ଠୀ ।
ପୁଣି ମହା ରାଜନୀତିରେ କଂପନ। ଉଦ୍ଧବଙ୍କ ଶିବସେନାରେ ସଙ୍କଟର କଳାବାଦଲ। ଦଳର ୯ଜଣ ସାଂସଦଙ୍କ ମଧ୍ୟରୁ ୬ରୁ ୭ଜଣ ସାଂସଦ ଅଲଗା ଗୋଷ୍ଠୀ କରିପାରନ୍ତି। ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଅଲଗା ଗୋଷ୍ଠୀର ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ପରବର୍ତ୍ତୀ ସମୟରେ ସିନ୍ଦେଙ୍କ ଶିବସେନା ସହ ମିଶିବା ଆଶଙ୍କା ରହିଛି।
ଫଳରେ କେନ୍ଦ୍ରରେ ଏନଡିଏର ଶକ୍ତି ବୃଦ୍ଧି ପାଇବ। ଅପରେସନ ଟାଇଗର ମାଧ୍ୟମରେ ଉଦ୍ଧବ ଗୋଷ୍ଠୀର ସାଂସଦଙ୍କୁ ସିନ୍ଦେ ଗୋଷ୍ଠୀରେ ମିଶାଇବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଚର୍ଚ୍ଚା ଏବେ ମହାରାଷ୍ଟ୍ର ରାଜନୀତିକୁ ସରଗରମ କରିଛି। ଉଦ୍ଧବ ଗୋଷ୍ଠୀ ସାଂସଦଙ୍କୁ ଏଥିପାଇଁ ଜଣପିଛା ୫୦ କୋଟି ଟଙ୍କା ଅଫର କରାଯାଇଥିବା ଅଭିଯୋଗ କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ନେତା ସଞ୍ଜୟ ରାଉତ।
ଆଜି ନୂଆଦିଲ୍ଲୀରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟିଛନ୍ତି। ଅଲଗା ଗୋଷ୍ଠୀ ପାଇଁ ଦାବିକୁ ଗ୍ରହଣ ନକରିବାକୁ ଓମ ବିର୍ଲାଙ୍କୁ ଅନୁରୋଧ କରିଛନ୍ତି। ବାଚସ୍ପତି ଆଇନ ଅନୁଯାୟୀ କାର୍ଯ୍ୟ କରିବାକୁ ଆଶ୍ୱାସନା ଦେଇଥିବା ସେ କହିଛନ୍ତି।ପରେ ଏକ ପ୍ରେସ କନଫରେସନରେ ବିଦ୍ରୋହୀ ସାଂସଦଙ୍କ ଉପରେ ବର୍ଷିଛନ୍ତି ସଞ୍ଜୟ। କେହି ବେଇମାନ କଲେ ସେମାନଙ୍କୁ ଛଡ଼ା ଯିବନାହିଁ। ଯିଏ ଦଳ ଛାଡ଼ିବାକୁ ଇଚ୍ଛୁକ ସେ ଇସ୍ତଫା ଦେଉ ବୋଲି କହିଛନ୍ତି ସଞ୍ଜୟ ରାଉତ। ଶିବସେନା ଉଦ୍ଧବ ଗୋଷ୍ଠୀରେ ସଙ୍କଟ ତେଜିଥିବା ବେଳେ କାଲି ବସିବ ଶିବସେନା ୟୁବିଟି ଗୋଷ୍ଠୀର ସଂସଦୀୟ ଦଳ ବୈଠକ। ଏଥିରେ ଦଳର ସମସ୍ତ ୯ ସାଂସଦଙ୍କୁ ଯୋଗ ଦେବାକୁ ହ୍ବିପ ଜାରି କରାଯାଇଛି।




