ମାଇନିଂ ଏରିଆ ଟ୍ରକ ମାଲିକ ସଂଘ ନିର୍ବାଚନରେ ପରିବର୍ତ୍ତନର ନାରା, ‘ସଙ୍କଳ୍ପ ସୂତ୍ର’ ପ୍ୟାନେଲର ଜୋରଦାର ପ୍ରଚାର

ଯୋଡ଼ା –
ମାଇନିଂ ଏରିଆ ଟ୍ରକ ମାଲିକ ସଂଘ ନିର୍ବାଚନକୁ ନେଇ ପ୍ରଚାର ଦିନକୁ ଦିନ ଜୋର ଧରୁଛି। ଏଥର ନିର୍ବାଚନରେ ଏକ ଟିମ “ସଙ୍କଳ୍ପ ସୂତ୍ର ” ସହ ନୂଆ ଚେହେରାଙ୍କୁ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ, ପରିବର୍ତ୍ତନର ସ୍ଲୋଗାନ ସହ ଗାଡ଼ି ମାଲିକଙ୍କ ସମର୍ଥନ ହାସଲ କରିବାକୁ ଜୋରଦାର ପ୍ରୟାସ ଚାଲିଛି।
ପ୍ୟାନେଲ ପକ୍ଷରୁ ପ୍ରକାଶିତ ପ୍ରଚାରପତ୍ରରେ ଟ୍ରକ ମାଲିକଙ୍କ ସ୍ୱାର୍ଥ ସୁରକ୍ଷା, ସ୍ୱଚ୍ଛ ଓ ସ୍ୱଚ୍ଛତାପୂର୍ଣ୍ଣ ପ୍ରଶାସନ, ଲୋଡିଂ ବ୍ୟବସ୍ଥାରେ ସଂସ୍କାର, ଡିଓ (DO) ସମସ୍ୟାର ସମାଧାନ, ପ୍ରଥମେ ଗାଡ଼ିର ସୁରକ୍ଷା ଓ ମାଲିକଙ୍କ ଅଧିକାରକୁ ପ୍ରାଥମିକତା ଦେବା ସହ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଛି। “Vote Today for Change” ସ୍ଲୋଗାନ ଦେଇ ପରିବର୍ତ୍ତନ ପକ୍ଷରେ ଭୋଟ ଦେବାକୁ ଆହ୍ୱାନ କରାଯାଇଛି।
ନିର୍ବାଚନକୁ ନେଇ ମାଇନିଂ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଅନେକ ଗାଡ଼ି ମାଲିକ ଏଥର ନୂଆ ନେତୃତ୍ୱକୁ ସୁଯୋଗ ଦେବା ସପକ୍ଷରେ ମତ ପ୍ରକାଶ କରୁଥିବା ଚର୍ଚ୍ଚା ହେଉଛି। ତେବେ ନିର୍ବାଚନର ଫଳାଫଳ ହିଁ ନିର୍ଣ୍ଣୟ କରିବ ଯେ, ଗାଡ଼ି ମାଲିକମାନେ ପରିବର୍ତ୍ତନକୁ ବାଛୁଛନ୍ତି ନା ପୂର୍ବତନ ନେତୃତ୍ୱ ଉପରେ ପୁଣି ଭରସା ରଖୁଛନ୍ତି।


