ମନୋରଞ୍ଜନ

KIIT ପରିସରରେ ଜ୍ୟୋତିର୍ମୟୀଙ୍କୁ କରାଯିବ ସମ୍ବର୍ଦ୍ଧିତ

ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ ’ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଥିବା କିଟ୍ ଛାତ୍ରୀ ତଥା ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ । ତାଙ୍କ ସମ୍ମାନରେ ଏଠାରେ ଏକ ହୋମକମିଂ ସେଲିବ୍ରେସନ୍ ଆୟୋଜିତ ହେବ । ଏଥିପାଇଁ କିଟ୍ ଓ କିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜ୍ୟୋତିର୍ମୟୀ ପ୍ରଥମ ଓଡ଼ିଆ କଣ୍ଠଶିଳ୍ପୀ ଭାବେ ଏଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେରେ ପହଞ୍ଚି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ଏହା ଓଡ଼ିଶା ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି କହିଲେ ଅତ୍ୟୁକ୍ତି ହେବନି । ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ପାଇଁ KIIT ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ସେ କିଟ୍ ଓ କିସ୍ କ୍ୟାମ୍ପସ ପରିଦର୍ଶନ କରିବେ। ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫିନାଲେ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ସେ ପ୍ରଥମ ଓଡ଼ିଆ ପ୍ରତିଯୋଗୀ । ଜ୍ୟୋତିର୍ମୟୀ ଗ୍ରାଣ୍ଡ ଫିନାଲେରେ ପହଞ୍ଚିବା ପରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହାସହ କିଟ୍ ଓ କିସ୍ ର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆସନ୍ତାକାଲି ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇ କିଟ୍ କ୍ୟାମ୍ପସକୁ ଅଣାଯିବ। ପରେ କିଟ୍ ପରିସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହାକୁ ନେଇ କିଟ୍ ର ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି । କେବଳ ଜ୍ୟୋତିର୍ମୟୀ ନୁହେଁ, ଭାରତର ଅନ୍ୟତମ ଖ୍ୟାତନାମା ପ୍ଲେବ୍ୟାକ୍ ଗାୟକ ବିଶାଳ ମିଶ୍ର ମଧ୍ୟ KIITର ଜଣେ ପୁରାତନ ଛାତ୍ରୀ । କିଟରୁ ଶିକ୍ଷା ସମାପ୍ତ କରି ସେ ଭାରତୀୟ ସଙ୍ଗୀତ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ନିଜର ଅସାଧାରଣ ପ୍ରତିଭା ପାଇଁ ବିଶାଳ ଫିଲ୍ମଫେୟାର ଆୱାର୍ଡ ସହ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି । ଏହି ଅବସରରେ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି, ବିଶାଳ ମିଶ୍ର ଓ ଜ୍ୟୋତିର୍ମୟୀ ନାୟକଙ୍କ ପରି ପ୍ରତିଭାମାନେ କିଟରୁ ଶିକ୍ଷା ଲାଭ କରି କିଟ୍ ସହ ଓଡ଼ିଶା ତଥା ଭାରତର ଗୌରବ ହୋଇପାରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button