ଦେଶ- ବିଦେଶ

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୨୬ ବର୍ଷ ପରେ ଜେଲରୁ ବାହାରିବେ ଦାରା ସିଂ

୧୯୯୯ ମସିହାର ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲଙ୍କ ମୁକ୍ତିକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଦାରା ସିଂଙ୍କୁ ଜେଲରୁ ମୁକ୍ତ କରିବା ସମ୍ପର୍କରେ ଏକ ଚୂଡ଼ାନ୍ତ ଓ ସ୍ପଷ୍ଟ ନିଷ୍ପତ୍ତି ନେବା ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଯଦି ନିର୍ଦ୍ଧାରିତ ସମୟ ସୀମା ସୁଦ୍ଧା ରାଜ୍ୟ ସରକାର ଏହି ପ୍ରକ୍ରିୟା ଶେଷ ନକରନ୍ତି, ତେବେ ଅଗଷ୍ଟ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । କୋର୍ଟ ନିଜେ ଏହା ଉପରେ ପଦକ୍ଷେପ ନେବେ । ଦାରା ସିଂଙ୍କ ଓକିଲ ଏ.ପି. ସିଂ ଏହି ସୂଚନା ଗଣମାଧ୍ୟମକୁ ଦେଇଛନ୍ତି । ଗତ ଜୁଲାଇ ୬ ତାରିଖରେ ବସିଥିବା ଓଡ଼ିଶା ରାଜ୍ୟ ଦଣ୍ଡାଦେଶ ସମୀକ୍ଷା ବୋର୍ଡ ବୈଠକରେ ଦାରା ସିଂଙ୍କ ସମୟପୂର୍ବ ମୁକ୍ତି ପାଇଁ ସୁପାରିଶ କରାଯାଇଥିଲା ।

କେନ୍ଦୁଝର ଜିଲ୍ଲା କର୍ତ୍ତୃପକ୍ଷଙ୍କ ସକାରାତ୍ମକ ରିପୋର୍ଟ ଆଧାରରେ ଜେଲ୍ ମହାନିର୍ଦ୍ଦେଶକ ଏହି ପ୍ରସ୍ତାବ ବୋର୍ଡ ନିକଟକୁ ପଠାଇଥିଲେ । ଯାହାକୁ ଏବେ ଆଇନଗତ ମଞ୍ଜୁରୀ ମିଳିବାକୁ ଯାଉଛି ।

୨୨ ଜାନୁଆରୀ ୧୯୯୯ ବିଳମ୍ବିତ ରାତିରେ ମନୋହରପୁରଠାରେ ଅଷ୍ଟ୍ରେଲିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅ ଫିଲିପ୍ ଓ ତିମୋଥିଙ୍କୁ ଗାଡ଼ି ଭିତରେ ଜୀବନ୍ତ ଜାଳି ହତ୍ୟା କରାଯାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜାନୁଆରୀ ୨୦୦୦ ମସିହାରେ ଗିରଫ କରାଯାଇଥିଲା । ସେହିଦିନଠାରୁ ସେ କେନ୍ଦୁଝର ଜିଲ୍ଲା ଜେଲ୍ ସମେତ ବିଭିନ୍ନ କାରାଗାରରେ ପ୍ରାୟ ୨୬ ବର୍ଷରୁ ଅଧିକ ସମୟ କାଟିସାରିଛନ୍ତି । ୨୦୦୩ ମସିହାରେ ଏକ ସ୍ପେଶାଲ ସିବିଆଇ କୋର୍ଟ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । ହେଲେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହି ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ୨୦୧୧ରେ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ ।

Leave a Reply

Your email address will not be published. Required fields are marked *

Back to top button