ଦେଶ- ବିଦେଶ

Chalo Sansad: ଦିଲ୍ଲୀରେ ଦଙ୍ଗଲ, ସଂସଦ ଚଲୋ ମାର୍ଚ୍ଚ ଉପରେ ପୋଲିସର ଲାଠିଚାର୍ଜ

ଦିଲ୍ଲୀରେ ଦଙ୍ଗଲ । ଲାଠି, ଲୁହବୁହା ଗ୍ୟାସ୍ ଓ ବାରିକେଡ୍ । ଜନ୍ତର ମନ୍ତରରେ CJPର ‘ଚାଲୋ ସଂସଦ’ ମାର୍ଚ୍ଚ ଉପରେ ପୋଲିସର ଲାଠିଚାର୍ଜ । ଛାତ୍ର ଆନ୍ଦୋଳନକୁ ଦମନ ପରେ CJPର ଚେତାବନୀ । କହିଲା, ଆମେ କାକରୋଚ୍ ଭଳି ପୁଣି ଫେରିବୁ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦିଲ୍ଲୀର ଜନ୍ତର ମନ୍ତର ରଣକ୍ଷେତ୍ରରେ ପରିଣତ ହୋଇଛି। NEET ପ୍ରଶ୍ନପତ୍ର ଲିକ୍, ପରୀକ୍ଷରେ ଅନିୟମିତତା ଏବଂ ଛାତ୍ର ଆତ୍ମହତ୍ୟାକୁ ନେଇ କାକରୋଚ୍ ଜନତା ପାର୍ଟିର ‘ଚାଲୋ ସଂସଦ’ ମାର୍ଚ୍ଚକୁ ଦିଲ୍ଲୀ ପୋଲିସ ନିର୍ଦ୍ଦୟ ଭାବେ ଦମନ କରିଛି । ପୋଲିସ ପାଇଁ ହାତରେ ଫୁଲ ଧରି ଶାନ୍ତିପୂର୍ଣ୍ଣ ଭାବେ ବାହାରିଥିବା ଏହି ଆନ୍ଦୋଳନ କ୍ଷଣକ ମଧ୍ୟରେ ଲାଠିଚାର୍ଜ, ଲୁହବୁହା ଗ୍ୟାସ୍ ଏବଂ ଗିରଫଦାରୀର ରୂପ ନେଇଥିଲା।

କାଲି ଅନୁମତି ନଥାଇ ମଧ୍ୟ ହଜାର ହଜାର ପ୍ରତିବାଦକାରୀ ଜନ୍ତର ମନ୍ତରରେ ଏକାଠି ହୋଇଥିଲେ । ପୋଲିସ ସେହି ଅଞ୍ଚଳରେ ଧାରା ୧୬୩ ଲାଗୁ କରିବା ସହ ରାପିଡ୍ ଆକ୍ସନ୍ ଫୋର୍ସ ମୂତୟନ କରିଥିଲା । ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ କରାଯିବା ସହ ନିକଟସ୍ଥ ମେଟ୍ରୋ ଷ୍ଟେସନ୍ ଗୁଡ଼ିକୁ ସିଲ୍ କରିଦିଆଯାଇଥିଲା । ସକାଳ ୧୦ଟାରେ ଆନ୍ଦୋଳନକାରୀମାନେ ସଂସଦ ଆଡ଼କୁ ବଢ଼ିବା ଆରମ୍ଭ କରିଥିଲେ । ଭିଡ଼ ବଢ଼ିବାରୁ କିଛି ଛାତ୍ର ଲୁହା ବାରିକେଡ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ନିର୍ଦ୍ଦୟ ଭାବେ ଲାଠିଚାର୍ଜ ଆରମ୍ଭ କରିଥିଲା। ତଳେ ପଡ଼ିଯାଇଥିବା ଆନ୍ଦୋଳନକାରୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ପିଟାଯାଇଥିଲା। ପ୍ରସିଦ୍ଧ କଣ୍ଟେଣ୍ଟ କ୍ରିଏଟର ରମିତ୍ ବର୍ମାଙ୍କ ସମେତ ଅନେକ ଛାତ୍ରଙ୍କ ମୁଣ୍ଡ ଫାଟି ରକ୍ତ ବୋହିଥିଲା ।

CJP ଅଭିଯୋଗ କରିଛି, ମହିଳା ଓ ଶିଶୁମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି। CJP ସଂସ୍ଥାପକ ଅଭିଜିତ୍ ଦୀପକେ ଓ ମୁଖପାତ୍ର ସୌରଭ ଦାସଙ୍କ କହିବା ଅନୁଯାୟୀ, ସୋନମ୍ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋଙ୍କ ଚୁଟି ଟାଣି ଅତ୍ୟାଚାର କରାଯାଇଛି । ପ୍ରେସ୍ କ୍ଲବ୍ ନିକଟରେ କ୍ରମାଗତ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯିବାରୁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇପଡ଼ିଥିଲା । ଅପରାହ୍ନ ସୁଦ୍ଧା ଯନ୍ତର ମନ୍ତରରେ ଥିବା ମୁଖ୍ୟ ମଞ୍ଚକୁ ପୋଲିସ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ କରିଦେଇଥିଲା । ଶତାଧିକ ଆନ୍ଦୋଳନକାରୀ ଗୁରୁତର ଆହତ ହୋଇଛନ୍ତି। କିଛି ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଖବର ମିଳିଛି । ୭୦ରୁ ଉର୍ଦ୍ଧ୍ୱ ପ୍ରତିବାଦକାରୀଙ୍କୁ ପୋଲିସ ଅଟକ ରଖିଛି । ଦିଲ୍ଲୀ ପୋଲିସ ପ୍ରଥମେ ହିଂସାକୁ ଏଡ଼ାଇ ଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ଆନ୍ଦୋଳନକାରୀ ପଥରମାଡ଼ କରିଥିବା ଦାବି କରି ବଳପ୍ରୟୋଗ ସ୍ୱୀକାର କରିଛି । କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ସହ ବୈଠକ ବେଳେ CJP ନେତା କିଛି ଦାବି ରଖିଛନ୍ତି । ଅନଶନରତ ଆକ୍ଟିଭିଷ୍ଟ ସୋନମ୍ ୱାଙ୍ଗଚୁକ୍ ଙ୍କୁ ତୁରନ୍ତ ହସ୍ପିଟାଲରୁ ମୁକ୍ତ କରାଯାଉ। NEET ଆତ୍ମହତ୍ୟାର ଶିକାର ହୋଇଥିବା ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ । ସରକାର ଏହି ଦାବିଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବା ପରେ CJP ସ୍ପଷ୍ଟ କରିଛି , ଦାବି ପୁରଣ ନହେବା ଯାଏ ସଂଗ୍ରାମ ଜାରି ରହିବ । ଆଜି ଭାରତର ଗଣତନ୍ତ୍ର ଉପରେ କ୍ରୂର ଆକ୍ରମଣ ହୋଇଛି, କିନ୍ତୁ ଆମେ କାକରୋଚ୍ ଭଳି ପୁଣି ଫେରିବୁ ।

 

Leave a Reply

Your email address will not be published. Required fields are marked *

Back to top button