ଅପରାଧ

ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗକୁ ଗ୍ରାହକ ସାଜି ମାଡ଼ିବସିଲା ପୋଲିସ ; ଗୋଟିଏ ଅଟୋ ଓ ୨୧ ବାଇକ ଜବତ

ରାୟଗଡା ୬/୯ ରାୟଗଡା ପୋଲିସ କୁ ଆନ୍ତଃଜିଲ୍ଲା ବାଇକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ବଡ ସଫଳତା ମିଳିଛି. ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଗୋଟିଏ ଅଟୋ ଓ ୨୧ ଟି ବାଇକ ଜବତ କରିଛି, ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଏହି ସୂଚନା ପ୍ରଦାନ କରିଛନ୍ତ।ଏସପିଙ୍କ ସୂଚନା ଅନୁଯାୟୀ, ଗତ ଏକ ବର୍ଷ ଧରି ରାୟଗଡ଼ା ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ଏହି ବାଇକ୍ ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିଲା । ଏହି ଲୁଟେରାମାନେ ଏକ ବଜାଜ୍ ମାକ୍ସିମା ମେଘା ଅଟୋ ଏପି ୩୯ ଡବ୍ଲ୍ୟୁକେ ୨୭୭୦ ବ୍ୟବହାର କରି ବିଭିନ୍ନ ଅଞ୍ଚଳରେ ବୁଲି ଗାଡ଼ି ରେକି କରୁଥିଲେ। ସୁଯୋଗ ଦେଖୁ ସେମାନେ ଲୋକଙ୍କ ବାଇକ ଚୋରି କରିବା ପରେ ନିଜ ଘର ପଛପଟେ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖୁଥିଲେ। ପରେ ଏହି ଚୋରି ଗାଡ଼ିଗୁଡ଼ିକୁ ଶସ୍ତା ଦରରେ ବିଭିନ୍ନ ଲୋକଙ୍କୁ ବିକ୍ରି କରୁଥିଲେ। ଏହି ଘଟଣାରେ ଅଭିଯୋଗ ପାଇବା ପରେ । ରାୟଗଡ଼ା ଏସଡିପିଓ ଗୌରହରି ସାହୁ ଏବଂ ରାୟଗଡ଼ା ଟାଉନ୍ ଥାନା ଆଇଆଇସି କେଶବ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ପାର୍ବତୀପୁରମ ଅଞ୍ଚଳରେ ଜଣେ ଗ୍ରାହକଙ୍କର ବାଇକ୍ ଦରକାର ଅଛି ବୋଲି କହି ପୋଲିସ ଟିମ୍ ଏହି ଗ୍ୟାଙ୍ଗ ପାଖରେ ଖବର ପହଞ୍ଚାଇଥିଲା। ଗ୍ରାହକ ସାଜି ପୋଲିସ ଟ୍ରାପ୍ କରିବା ଫଳରେ ଏହି ଗ୍ୟାଙ୍ଗର ଜଣେ ସଦସ୍ୟ ପ୍ରଥମେ ଧରାପଡିଥିଲା ଏବଂ ପରେ ତା’ର ସୂଚନା ଆଧାରରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁଆକୋଣାର ସୀମାଞ୍ଚଳ ମହାନନ୍ଦିଆ (୨୮), ଉହାପାଡୁର ରାଜେଶ୍ବର ନାଗବଂଶ (୨୮) ଏବଂ ଗୁଆକୋଣା ଗୌଡ଼ ସାହିର ପ୍ରଦୀପ ଚାନ୍ଦିବଂଶ (୨୬)। ଏମାନେ ମୁଖ୍ୟତଃ ପାର୍ବତୀପୁରମ, ଗୁଣୁପୁର, ଗୁଡାରି, କେନ୍ଦୁଗୁଡ଼ା, ମୁନିଗୁଡ଼ା, ରାମନାଗୁଡା, ରାୟଗଡ଼ା ଏବଂ ଗୁମୁଡ଼ା ଆଦି ଅଞ୍ଚଳରେ ନିଜର ଅପରାଧୂକ କାର୍ଯ୍ୟକଳାପ ଚଳାଉଥିଲେ। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏମାନଙ୍କ ନାମରେ ରାୟଗଡ଼ା, ଗୁଡାରି, ପଦ୍ମପୁର, ଗୁଣୁପୁର, ରାମନାଗୁଡା ଏବଂ ପାର୍ବତୀପୁରମ ଟାଉନ୍ ଥାନାରେ ୮ଟି ମାମଲା ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ନେଟୱର୍କରେ ଆହୁରି କିଏ ସବୁ ସମ୍ପୂକୁ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଜାରି ରଖୁଛି। ଜବତ ହୋଇଥିବା ୨୨ଟି ଗାଡ଼ିର ପ୍ରକୃତ ମାଲିକଙ୍କୁ ଠାବ କରିବା ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହିତ, ସେକେଣ୍ଡ୍ ହ୍ୟାଣ୍ଡ (ପୁରୁଣା) ଗାଡ଼ି କିଣିବା ସମୟରେ ଗାଡ଼ିର ରେଜିଷ୍ଟ୍ରେସନ, ମାଲିକାନା କାଗଜପତ୍ର ଏବଂ ଅନ୍ୟାନ୍ୟ ତଥ୍ୟ ଭଲଭାବେ ଯାଞ୍ଚ କରିବାକୁ ରାୟଗଡ଼ା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *

Back to top button