ଖାଇବା ପରେ ତୁରନ୍ତ ଗ୍ୟାସ୍ ହୋଇଯାଉଛି କି? ଜାଣନ୍ତୁ କାରଣ ଓ ଘରୋଇ ଉପାୟ

ଆଜିକାଲି ଅନେକ ଲୋକଙ୍କର ଏକ ସାଧାରଣ ସମସ୍ୟା ହେଉଛି ଖାଇବା ପରେ ଗ୍ୟାସ୍ ହେବା । କେହି କେହି ଖାଦ୍ୟ ଖାଇବାର କିଛି ସମୟ ପରେ ପେଟ ଫୁଲିଯାଏ, ଢ଼କାର ଆସେ, ପେଟରେ ଅସୁବିଧା ହୁଏ କିମ୍ବା ଗ୍ୟାସ୍ ବାହାରିବା ଆରମ୍ଭ ହୁଏ । ଏହା ସବୁବେଳେ ବଡ଼ ରୋଗର ଲକ୍ଷଣ ନୁହେଁ । ଅନେକ ସମୟରେ ଆମର ଖାଦ୍ୟ ଅଭ୍ୟାସ ଓ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ଦେଖାଯାଏ । ବାରମ୍ବାର ଗ୍ୟାସ୍ ହେଉଥିଲେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା କାହିଁକି ହୁଏ ଗ୍ୟାସ୍?
ଖାଦ୍ୟ ଠିକ୍ ଭାବରେ ହଜମ ନ ହେଲେ ପେଟରେ ଗ୍ୟାସ୍ ସୃଷ୍ଟି ହୁଏ । ଖାଦ୍ୟ ଅନ୍ତନଳୀରେ ପହଞ୍ଚିବା ପରେ ବ୍ୟାକ୍ଟେରିଆ ତାହାକୁ ଭାଙ୍ଗିବା ସମୟରେ କିଛି ଗ୍ୟାସ୍ ତିଆରି କରନ୍ତି । ଏହା ସ୍ୱାଭାବିକ ପ୍ରକ୍ରିୟା । କିନ୍ତୁ ଗ୍ୟାସ୍ ଅଧିକ ହେଲେ ଅସୁବିଧା ହୁଏ । ଅନେକ ଲୋକ ତରବରିଆ ଭାବରେ ଖାଦ୍ୟ ଖାଇଥାନ୍ତି । ଏପରି କଲେ ଖାଦ୍ୟ ସହ ବାୟୁ ମଧ୍ୟ ପେଟକୁ ଯାଏ । ଏହା ଗ୍ୟାସର ଏକ ସାଧାରଣ କାରଣ । ସେଥିପାଇଁ ଧୀରେ ଧୀରେ ଏବଂ ଭଲ ଭାବରେ ଚୋବାଇ ଖାଇବା ଉଚିତ ।
ଏଥିସହ, ଅଧିକ ତେଲ ଓ ମସଲା ଯୁକ୍ତ ଖାଦ୍ୟ ଖାଇଲେ ପେଟ ଖରାପ ହୋଇଥାଏ । ତେଲିଆ, ମସଲାଯୁକ୍ତ, ଫାଷ୍ଟଫୁଡ୍ ଏବଂ ଜଙ୍କ ଫୁଡ୍ ହଜମ ହେବାକୁ ଅଧିକ ସମୟ ଲାଗେ । ଏହା ଫଳରେ ପେଟରେ ଗ୍ୟାସ୍ ଓ ଜଳାପୋଡ଼ା ହୋଇପାରେ। ଆବଶ୍ୟକତାଠାରୁ ଅଧିକ ଖାଇଲେ ପାଚନତନ୍ତ୍ର ଉପରେ ଚାପ ପଡ଼େ । ଏଥିରୁ ହଜମ ଧୀର ହୋଇଯାଏ ଏବଂ ଗ୍ୟାସ୍ ସମସ୍ୟା ଦେଖାଯାଏ ।
ଆପଣଜାଣିଛନ୍ତି କି, ରାଜମା, ବୁଟ, ମଟର, ବନ୍ଧାକୋବି, ଫୁଲକୋବି, କୋଲ୍ଡ ଡ୍ରିଙ୍କ୍, ସୋଡା ଏବଂ ଅଧିକ ମିଠା ଖାଦ୍ୟ କେତେକ ଲୋକଙ୍କର ଗ୍ୟାସ୍ ବଢ଼ାଇଥାଏ । ଯଦି କୌଣସି ଖାଦ୍ୟ ଖାଇବା ପରେ ବାରମ୍ବାର ଗ୍ୟାସ୍ ହେଉଛି, ତେବେ ସେହି ଖାଦ୍ୟ କମ୍ ଖାଇବା ଭଲ । ଶରୀରରେ ପାଣିର ଅଭାବ ଥିଲେ ହଜମ ପ୍ରକ୍ରିୟା ଠିକ୍ ଭାବରେ ହୁଏ ନାହିଁ । ଏହା ଫଳରେ କୋଷ୍ଠକାଠିନ୍ୟ ଓ ଗ୍ୟାସ୍ ସମସ୍ୟା ହୋଇପାରେ । ମାନସିକ ଚାପ ମଧ୍ୟ ପାଚନତନ୍ତ୍ରକୁ ପ୍ରଭାବିତ କରେ । ଅଧିକ ଚିନ୍ତା କିମ୍ବା ଟେନ୍ସନ୍ ଥିଲେ ପେଟ ଭଲ ଭାବରେ କାମ କରିନଥାଏ ଏବଂ ଗ୍ୟାସ୍ ବଢ଼ିପାରେ। କିନ୍ତୁ ଆଜି ଜାଣିବା କେଉଁ ଉପାୟ ମାନିଲେ ଏହି ସମସ୍ୟା ଦୂର ହୋଇପାରିବ । ତେବେ ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ…
ଘରୋଇ ଉପାୟ:
ଉଷୁମ ପାଣି ପିଅନ୍ତୁ: ଖାଇବା ପରେ କିଛି ସମୟ ପରେ ଉଷୁମ ପାଣି ପିଇଲେ ହଜମରେ ସାହାଯ୍ୟ ମିଳେ ।
ଜୁଆଣି: ଅଳ୍ପ ଜୁଆଣି ଚୋବାଇ ଖାଇଲେ କିମ୍ବା ପାଣିରେ ଫୁଟାଇ ପିଇଲେ ଆରାମ ମିଳିପାରେ ।
ଅଦା: ଛୋଟ ଖଣ୍ଡ ଅଦା କିମ୍ବା ଅଦା ଚା’ ହଜମରେ ସାହାଯ୍ୟ କରିଥାଏ ।
ଜିରା ପାଣି: ଜିରାକୁ ପାଣିରେ ଫୁଟାଇ ସେହି ପାଣି ପିଇଲେ ପେଟ ହାଲୁକା ଲାଗିପାରେ ।
ପାନମହୁରୀ: ଖାଇବା ପରେ ଅଳ୍ପ ପାନମହୁରୀ ଖାଇଲେ ହଜମ ଭଲ ହୁଏ ଏବଂ ଗ୍ୟାସ୍ କମିପାରେ ।
ଖାଇବା ପରେ ଗ୍ୟାସ୍ ହେବା ଏକ ସାଧାରଣ ସମସ୍ୟା, କିନ୍ତୁ ଠିକ୍ ଖାଦ୍ୟ ଅଭ୍ୟାସ ଓ ସୁସ୍ଥ ଜୀବନଶୈଳୀ ଅନୁସରଣ କଲେ ଏହାକୁ ଅନେକ ସମୟରେ ନିୟନ୍ତ୍ରଣ କରିହେବ । ଠିକ୍ ସମୟରେ ଖାଦ୍ୟ ଖାଇବା, ଧୀରେ ଧୀରେ ଖାଇବା, ଅଧିକ ତେଲ ଓ ମସଲା ଖାଦ୍ୟ କମ୍ ଖାଇବା, ପର୍ଯ୍ୟାପ୍ତ ପାଣି ପିଇବା, ନିୟମିତ ବ୍ୟାୟାମ କରିବା ଏବଂ ଅଧିକ ତେଲ-ମସଲା ଖାଦ୍ୟକୁ ଏଡ଼ାଇବା ଦ୍ୱାରା ପାଚନତନ୍ତ୍ର ସୁସ୍ଥ ରହିଥାଏ । ଯଦି ସମସ୍ୟା ବାରମ୍ବାର ହୁଏ କିମ୍ବା ବଢ଼ିଯାଏ, ତେବେ ନିଜେ ଔଷଧ ଖାଇବା ପରିବର୍ତ୍ତେ ଡାକ୍ତରଙ୍କ ପରାମର୍ଶ ନେବା ସବୁଠାରୁ ଭଲ ।




