ମନୋରଞ୍ଜନ

କକ୍ରୋଚ୍ ପାର୍ଟି ସପକ୍ଷରେ ବଲିଉଡ୍ କଳାକାର, କିଏ କଣ କହିଲେ ପଢ଼ି ନିଅନ୍ତୁ

କକ୍ରୋଚ୍ ଜନତା ପାର୍ଟି ସିଜେପିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏଥିରୁ ବଲିଉଡ୍ ବି ବାଦ୍ ପଡ଼ି ନାହିଁ । ମାୟା ନଗରୀ ମୁମ୍ବାଇର ଅଭିନେତା ଅଭିନେତ୍ରୀମାନେ କକ୍ରୋଚ୍ ପାର୍ଟିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଯନ୍ତର ମନ୍ତର ଠାରେ ଗତକାଲି ଏହି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ୍ ସହ ସଂଘର୍ଷ ହୋଇଥିଲା । ଯାହା ବଡ଼ ଖବରର ଶିରାନାମା ପାଲଟି ଥିଲା । ତେବେ କକ୍ରୋଚ୍ ପାର୍ଟିକୁ ସେଠାରେ ଖୁବ୍ ସମର୍ଥନ ମଧ୍ୟ ମିଳି ଥିଲା ।

ଗାୟକ ନାୟକ ଦିଲଜିତ ଦୋସାଞ୍ଜ କକ୍ରୋଚ୍ ପାର୍ଟି ସମର୍ଥନରେ ବାହାରିଛନ୍ତି । ଯଦିଓ ଜଣେ କଳାକାର ହୋଇଥିବାରୁ ସେ ଏସବୁରୁ ଦୂରେଇ ରହିବାକୁ ପସନ୍ଦ କରିଛନ୍ତି । ତେବେ ଛାତ୍ରମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଉଚିତ ନୁହେଁ ବୋଲଇ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି । ଅଧିକାରୀମାନେ ଛାତ୍ରଙ୍କ ଦାବି ପ୍ରତି ସହାନୁଭୂତି ପ୍ରଦର୍ଶନ କରିବାକୁ ସେ ଅନୁରୋଧ କରିଛନ୍ତି ।

ଅଭିନେତ୍ରୀ ହୁମା କ୍ୟୁରେସି କହିଛନ୍ତି କି ଆମେ ଯନ୍ତର ମନ୍ତରରେ ଯେଉଁ ଚିତ୍ର ଦେଖଇଲୁ ତାହା ଅନେକ ଦିନ ଯାଏ ଆମ ମନରେ ଘର କରି ରହିବ । ଆନ୍ଦୋଳନକାରୀମାନଙ୍କ ଉପରେ ଲାଠି ବର୍ଷା କରାଗଲା । ଏହା ଅତ୍ୟନ୍ତ ଦୁଃଖଦାୟକ । ଧୈର୍ଯ୍ୟର ସହ ଆଲୋଚନା ଜରିଆରେ ସମାଧାନ ହୋଇ ପାରିଥାନ୍ତା । ଆମେ ଭାରତବାସୀ ହିଁ ଏହି ସରକାରକୁ ଭୋଟ୍ ଦେଇ ମନୋନୀତ କରିଛୁ । ତେଣୁ ସରକାରକୁ ଆମେ ପ୍ରଶ୍ନ କରିବାର ଏବଂ ତା ଠାରୁ ଜବାବ ପାଇବାର ହକ୍ ଆକର ଅଛି ବୋଲି ହୁମା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ।

ସେହିପରି ଅଭିନେତ୍ରୀ ଭୂମି ପେଡନେକର ଲେଖିଛନ୍ତି କି ହିଂସା ସମାଧାନର ରାସ୍ତା ଦେଖାଏ ନାହିଁ । ଛାତ୍ରମାନେ ମଧ୍ୟ ହିଂସାର ରାସ୍ତ ଆପଣାଇବା ଉଚିତ ନୁହେଁ । ଆଲୋଚନା ଜରିଆରେ ସମାଧାନ ସମ୍ଭବ । ଆହୁରି ମଧ୍ୟ ସେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆବଶ୍ୟକ ବୋଲି କହିଛନ୍ତି । ତେବେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ୟୁନିଫର୍ମ ପିନ୍ଧ ଦେଲେ ମଣିଷ ଭିତରେ ଥିବା ଆତ୍ମା କିମ୍ବା ଆତ୍ମୀୟତା ମରି ଯାଏ ନାହିଁ । କେହି ଜଣେ ପୋଲିସବାଲା ଦମ୍ଭର ସହ ଠିଆ ହୋଇ କହି ପାରିଥାନ୍ତା ଯେ ମୁଁ ଏ ଆଦେଶକୁ ପାଳନ କରିବି ନାହିଁ । କାହିଁକି ନା ଏଭଳି ନିର୍ଦ୍ଦେଶ ଉଚିତ ନୁହେଁ ।

ସୂଚନା ଅନୁସାରେ କକ୍ରୋଚ୍ ପାର୍ଟିର ବିକ୍ଷୋଭ ବେଳେ ପୋଲିସ୍ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ପୋଲିସ୍ ଲୁହବୁହା ଗ୍ୟାସ ଛାଡ଼ିବା ସହ ଲାଠି ଚାଳନା କରିଥିଲା । ଏଥିରେ ପ୍ରାୟ ଶତାଧିକ ଆନ୍ଦୋଳନକାରୀ ଏବଂ କିଛି ପୋଲିସ୍ କର୍ମଚାରୀ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Back to top button