Building Collapsed: ଶୋଇଥିଲେ ସମସ୍ତେ, ଚାଲିଗଲା ୬ ଜଣଙ୍କ ଜୀବନ

ଆଜି ସକାଳେ ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ମହୁଲି ଗାଁରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୧୦୦ ବର୍ଷ ତଳର ପୁରୁଣା ଏକ ଭଙ୍ଗା ଘର କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ଫଳରେ ଏହି ଭୟଙ୍କର ଦୁର୍ଘଟଣାରେ ଶୋଇଥିବା ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟବଶତଃ ପରିବାରର ଜଣେ ଯୁବକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ସୂଚନାନୁଯାୟୀ, ମହୁଲି ଗ୍ରାମର ବାସିନ୍ଦା ୬୦ ବର୍ଷୀୟ ପ୍ରମୋଦ ଶ୍ରୀବାସ୍ତବଙ୍କ ଘର ବହୁତ ପୁରୁଣା ଏବଂ ଭଙ୍ଗା ଅବସ୍ଥାରେ ଥିଲା । ବୁଧବାର ଓ ଗୁରୁବାର ମଧ୍ୟରାତ୍ରି ପ୍ରାୟ ୨ ଟା ସମୟରେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ଯେତେବେଳେ ସମଗ୍ର ପରିବାର ଗଭୀର ନିଦରେ ଶୋଇଥିଲେ ହଠାତ୍ ଘରର କୋଠାଟି ଭୁଶୁଡ଼ି ପଡ଼ିଲା । ଚିତ୍କାର ଶୁଣି ଗ୍ରାମବାସୀମାନେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ ଏବଂ ତୁରନ୍ତ ପୋଲିସ ଏବଂ ପ୍ରଶାସନକୁ ଖବର ଦେଲେ । ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହ ସେମାନେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଭଗ୍ନାବଶେଷ ତଳେ ଫସି ରହିଥିବା ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଜଣେ ଯୁବକ ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଦମ୍ପତି, ସେମାନଙ୍କ ପୁଅ, ବୋହୂ ଏବଂ ଦୁଇ ଜଣ ପିଲା ଥିଲେ ।
ଅନ୍ୟପଟେ ମୃତକଙ୍କୁ ଚିହ୍ନଟ କରାଯାଇଛି । ପ୍ରାଣ ହରାଇଥିବା ଲୋକମାନେ ହେଲେ ପ୍ରମୋଦ ଶ୍ରୀବାସ୍ତବ, ରୀତା, ନୀତିନ, ମାଧୁରୀ, ମାଧବ ଏବଂ ଅଦ୍ବିକ, ସମସ୍ତେ ଗୋଟିଏ ପରିବାରର । ହେଲେ ପ୍ରମୋଦଙ୍କ ୨୮ ବର୍ଷୀୟ ପୁଅ ଅମନ ଅଳ୍ପକେ ରକ୍ଷାପାଇଯାଇଛନ୍ତି । ତାଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି ଏବଂ ସେ ସ୍ୱାଭାବିକ ଏବଂ ସୁସ୍ଥ ଅବସ୍ଥାରେ ଅଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।



