Sarfaraz Khan Reaction : ଦୁଇ ବର୍ଷ ପରେ ଟିମକୁ ଫେରିଲେ ସରଫରାଜ ଖାନ, କଲେ ସ୍ପେଶାଲ ପୋଷ୍ଟ

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ସାଇ ସୁଦର୍ଶନ ବାଦ୍ ପଡ଼ିବା ପରେ ସରଫରାଜ ଖାନଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିଛି । ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସାଇ ସୁଦର୍ଶନ ଆହତ ଜନିତ ସମସ୍ୟା ଯୋଗୁଁ ବାଦ୍ ପଡିଛନ୍ତି । ଟପ୍ ଅର୍ଡର ବ୍ୟାଟର୍ ବି. ସାଇ ସୁଦର୍ଶନ ଡାହାଣ ପାଦ ଆଙ୍ଗୁଠିରେ ଷ୍ଟ୍ରେସ୍ ଫ୍ରାକ୍ଚର ଯୋଗୁଁ ସମ୍ପୂର୍ଣ୍ଣ ସିରିଜରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ଟିମ୍ ଇଣ୍ଡିଆକୁ ଫେରିବା ପରେ ସରଫରାଜ ସୋସିଆଲ ମିଡିଆରେ ପ୍ରଥମ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ।
ସରଫରାଜ ଟିମ୍ ଇଣ୍ଡିଆର ଟ୍ରାଭେଲିଂ ଜର୍ସି ପିନ୍ଧି ଇନଷ୍ଟାଗ୍ରାମରେ ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ସରଫରାଜଙ୍କ ବାପା ନୌଶାଦ ଖାନ ମଧ୍ୟ ତାଙ୍କ ସହିତ ଉପସ୍ଥିତ ରହିଛନ୍ତି । ସରଫରାଜ ଲଗାତାର ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବାର ନଜର ଆସିଛନ୍ତି । କିନ୍ତୁ ଭାରତୀୟ ଟିମରେ ତାଙ୍କ ଚୟନ ହେଉନଥିଲା । ସରଫରାଜ ୨୦୨୪ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖେଳିଥିଲେ ।
ଜୁଲାଇରେ ଭାରତ ଏହି ଟିମ୍ ଶ୍ରୀଲଙ୍କା ଗସ୍ତ ସମୟରେ ସୁଦର୍ଶନ ଆହତ ହୋଇଥିଲେ । ଶ୍ରୀଲଙ୍କା ଏ ବିପକ୍ଷ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟରେ ତାଙ୍କ ପାଦ ଆଙ୍ଗୁଠିରେ ବଲ୍ ବାଜିଥିଲା । ଶ୍ରୀଲଙ୍କା ଗସ୍ତରେ ୧୩୨ ଓ ୧୬୮ ରନ୍ କରିଥିଲେ ସାଇ ସୁଦର୍ଶନ । ପ୍ରାରମ୍ଭିକ ୧୫ ଜଣିଆ ଟେଷ୍ଟ ଦଳରେ ସୁଦର୍ଶନଙ୍କୁ ସ୍ଥାନ ମିଳିଥିଲେ ମଧ୍ୟ ତାଙ୍କ ଖେଳିବା ବେଙ୍ଗାଲୁରୁ ସ୍ଥିତ BCCI Centre of Excellenceର ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରୁଥିଲା । ସେ ମୁଖ୍ୟ ଦଳ ସହ ଶ୍ରୀଲଙ୍କା ଯାଇନଥିଲେ ଏବଂ ବେଙ୍ଗାଲୁରୁରେ ରିହାବିଲିଟେସନରେ ରହିଥିଲେ ।
୬ଟି ଟେଷ୍ଟ ଖେଳିଥିବା ସରଫରାଜ କଲମ୍ବୋରେ ଟିମ୍ ଇଣ୍ଡିଆ ସହ ଯୋଗଦେବା ପରେ ଦଳ ସହ ଯିବେ । ସୁଦର୍ଶନଙ୍କୁ ଭାରତର ନମ୍ବର-୩ ବ୍ୟାଟର୍ ଭାବେ ସୁଯୋଗ ଦେବାକୁ ଚୟନକର୍ତ୍ତା ଯୋଜନା କରିଥିଲେ । କିନ୍ତୁ ତାଙ୍କ ଅନୁପସ୍ଥିତିରେ ଦେବଦତ୍ତ ପାଡିକ୍କଲ ଏହି ସ୍ଥାନ ପାଇଁ ଆଗରେ ରହିଛନ୍ତି । ୱାର୍ମଅପ୍ ମ୍ୟାଚରେ ନମ୍ବର-୩ରେ ବ୍ୟାଟିଂ କରି ପାଡିକ୍କିଲ ଶତକ ହାସଲ କରିଛନ୍ତି । ଆଣ୍ଠୁ ସମସ୍ୟା ଯୋଗୁଁ ଜସପ୍ରୀତ ବୁମରା ପୂର୍ବରୁ ସିରିଜରୁ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଆକିବ ନବିଙ୍କୁ ନିଆଯାଇଛି । ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ ଓ ଆକାଶ ଦୀପ ମଧ୍ୟ ଉପଲବ୍ଧ ନାହାନ୍ତି । ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୫-୨୭ର ଅଂଶ ଥିବା ଏହି ସିରିଜର ପ୍ରଥମ ଟେଷ୍ଟ ଅଗଷ୍ଟ ୧୫ରୁ ୧୯ ଗଲ୍ ରେ ଏବଂ ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୨୩ରୁ ୨୭ କଲମ୍ବୋର SSCରେ ଖେଳାଯିବ ।
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ : ଶୁବମନ ଗିଲ (ଅଧିନାୟକ), କେଏଲ ରାହୁଲ, ଯଶସ୍ବୀ ଜୟସୱାଲ, ସରଫରାଜ ଖାନ, ରିଷଭ ପନ୍ତ, (ୱିକେଟ କିପର), ଦେବଦତ୍ତ ପାଡିକ୍କିଲ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡୋଜା, କୁଲଦୀପ ଯାଦବ, ମାନବ ସୁଥାର, ଆକିବ ନବି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନର ବ୍ରାର ଏବଂ ସାରାଂଶ ଜୈନ ।




