Cristiano Ronaldo Married: ଦୀର୍ଘ ୧୦ ବର୍ଷର ପ୍ରେମ ପରେ ବିବାହ କଲେ କ୍ରିଷ୍ଟିଆନୋ ରୋନାଲଡୋ-ଜର୍ଜିନା

ଫୁଟବଲ୍ ମହାନାୟକ କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କର ଦୀର୍ଘ ଦିନର ସାଥୀ, ମଡେଲ୍ ଜର୍ଜିନା ରୋଡ୍ରିଗେଜଙ୍କୁ ବିବାହ କରିଛନ୍ତି। ଏକ ଘରୋଇ ଉତ୍ସବରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ୨୦୧୬ ମସିହାରେ ମାଦ୍ରିଦ୍ ର ଏକ ଗୁଚି ଶୋ’ରୁମ୍ ରେ ଦେଖାହେବା ପରେ ଦୁହେଁ ପ୍ରାୟ ୧୦ ବର୍ଷ ହେବ ଏକାଠି ରହୁଥିଲେ । ଏବେ ସେମାନେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ମିଳିତ ପୋଷ୍ଟ ଜରିଆରେ ବିବାହ ଖବରକୁ ସ୍ପଷ୍ଟ କରିଛନ୍ତି । ସେମାନେ ପରସ୍ପରର ହାତ ଧରିଥିବା ଏବଂ ସେଥିରେ ସୁନାର ମୁଦି ପିନ୍ଧିଥିବାର ଏକ ଫଟୋ ସେୟାର କରିଛନ୍ତି।
ପର୍ତ୍ତୁଗାଲର ଲିସବନ ସହରଠାରୁ ପ୍ରାୟ ୨୦ ମାଇଲ୍ ଦୂରରେ ଥିବା କାସକାଇସ୍ ନାମକ ସୁନ୍ଦର ଉପକୂଳ ସହରରେ ଏହି ବିବାହ ହୋଇଛି। ବଡ଼ ବଡ଼ ସେଲିବ୍ରିଟି ବିବାହ ଭଳି ଭିଡ଼ ନକରି ସେମାନେ ଏହାକୁ ଖୁବ୍ ସୀମିତ ରଖିଥିଲେ। ଉତ୍ସବରେ ସେମାନଙ୍କର ୫ ଜଣ ସନ୍ତାନ ସାମିଲ ହୋଇଥିଲେ। ଠିକ୍ ବର୍ଷେ ତଳେ ୧୧ ଅଗଷ୍ଟ ୨୦୨୫ରେ ଜର୍ଜିନା ନିଜର ନିର୍ବନ୍ଧ ବିଷୟରେ ଜଣାଇଥିଲେ। ରୋନାଲଡୋ ତାଙ୍କର ଷଷ୍ଠ ଫିଫା ବିଶ୍ୱକପ୍ ଶେଷ କରିବା ପରେ ଏବଂ ତାଙ୍କ କ୍ଲବ୍ ‘ଅଲ୍ ନାସର’ର ନୂଆ ସିଜନ୍ ଆରମ୍ଭ ହେବାର ମାତ୍ର ୪ ଦିନ ପୂର୍ବରୁ ଏହି ବିବାହ କରିଛନ୍ତି।




