ଜ୍ୟୋତିଷ

Hariyali Amavasya: ହରିଆଳି ଅମାବାସ୍ୟା, ଜାଣନ୍ତୁ ପୌରାଣିକ କଥା ଓ ପୂଜା ବିଧି

ଶ୍ରାବଣ ମାସର ଅମାବାସ୍ୟାକୁ ହରିଆଳି ଅମାବାସ୍ୟା କୁହାଯାଏ । ଚାରିଆଡ଼େ ସବୁଜିମା ଦେଖାଯାଉଥିବାରୁ ଏହି ଅମାବାସ୍ୟାର ଏପରି ନାମ ହୋଇଛି । ଧାର୍ମିକ ଦୃଷ୍ଟିରୁ ଏହି ଦିନ ସ୍ନାନ, ଦାନ, ଧ୍ୟାନ ଓ ଗଛ ଲଗାଇବାର ବିଶେଷ ମହତ୍ତ୍ୱ ରହିଛି । ମାନ୍ୟତା ଅନୁସାରେ, ଏହି ଦିନ ଗଛ ଲଗାଇଲେ ଘରେ ସକାରାତ୍ମକତା, ସୁଖ ଓ ସମୃଦ୍ଧି ବଢ଼ିଥାଏ । ଜ୍ୟୋତିଷୀମାନଙ୍କ ମତରେ, ହରିଆଳି ଅମାବାସ୍ୟାରେ ପୌରାଣିକ କଥା ଶୁଣିବା ମଧ୍ୟ ଶୁଭ ମନାଯାଏ ।

ପୌରାଣିକ କଥା ଅନୁସାରେ, ଜଣେ ରାଜାଙ୍କ ବୋହୂ ଦିନେ ଲୁଚିକରି ମିଠା ଖାଇଥିଲେ । କିନ୍ତୁ ସେ ମିଠା ଖାଇବାର ଦୋଷ ଘରର ମୂଷା ଉପରେ ଦେଇଥିଲେ । ଏଥିରେ ରାଗିଯାଇ ମୂଷା ବୋହୂଙ୍କ ଉପରେ ପ୍ରତିଶୋଧ ନେବାକୁ ଚିନ୍ତା କଲା । ଦିନେ ଘରକୁ ଅତିଥିମାନେ ଆସିଥିବା ସମୟରେ ମୂଷା ବୋହୂଙ୍କ ଶାଢ଼ି ନେଇ ରାଜାଙ୍କ କୋଠରୀରେ ରଖିଦେଲା । ସକାଳେ ରାଜା ଶାଢ଼ି ଦେଖି ବୋହୂଙ୍କୁ ଦୋଷୀ ଭାବି ମହଲରୁ ବାହାର କରିଦେଲେ । ମହଲରୁ ବାହାରିବା ପରେ ବୋହୂ ପ୍ରତିଦିନ ସନ୍ଧ୍ୟାରେ ପିପଳ ଗଛ ତଳେ ଦୀପ ଜଳାଉଥିଲେ । ସେଠାରେ ଜୱାର ଚାଷ କରୁଥିଲେ ଏବଂ ଲୋକମାନଙ୍କୁ ଗୁଡ଼ଧାନୀ ପ୍ରସାଦ ବାଣ୍ଟୁଥିଲେ।

ଦିନେ ରାତିରେ ରାଜାଙ୍କ ସୈନିକମାନେ ପିପଳ ଗଛ ତଳେ ଜଳୁଥିବା ଦୀପଗୁଡ଼ିକ ପରସ୍ପର ମଧ୍ୟରେ କଥା ହେଉଥିବା ଶୁଣିଲେ। ସୈନିକମାନେ ପଚାରିବାରୁ ବୋହୂଙ୍କ ଦୀପ ସମ୍ପୂର୍ଣ୍ଣ ସତ୍ୟ କହିଦେଲା । ମିଠା ବୋହୂ ଖାଇଥିଲେ, କିନ୍ତୁ ଶାଢ଼ି ମୂଷା ରାଜାଙ୍କ କୋଠରୀରେ ରଖିଥିଲା । ତେଣୁ ବୋହୂ ନିର୍ଦ୍ଦୋଷ ଥିଲେ। ସୈନିକମାନଙ୍କଠାରୁ ସବୁକଥା ଶୁଣି ରାଜା ନିଜ ଭୁଲ ବୁଝିପାରିଲେ । ପରେ ସେ ବୋହୂଙ୍କୁ ସମ୍ମାନର ସହ ମହଲକୁ ଫେରାଇ ଆଣିଲେ । ଏହା ପରେ ସମସ୍ତେ ଖୁସିରେ ରହିବାକୁ ଲାଗିଲେ।

ପୂଜା ବିଧି:

ହରିଆଳି ଅମାବାସ୍ୟା ଦିନ ସକାଳୁ ପବିତ୍ର ନଦୀରେ ସ୍ନାନ କରିବା ଶୁଭ ମନାଯାଏ । ଏହା ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ମନ୍ଦିରରେ ଦୀପ ଜଳାନ୍ତୁ । ସୁହାଗିନ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ ପରିବାରର ସୁଖ-ସମୃଦ୍ଧି ପାଇଁ ସବୁଜ ଚୁଡ଼ି, ସିନ୍ଦୂର ଓ ବିନ୍ଦି ବାଣ୍ଟନ୍ତି । ଏହା ପରେ ପିପଳ ଓ ତୁଳସୀ ଗଛର ପୂଜା କରି ପରିକ୍ରମା କରାଯାଏ ।

ଏହି ଦିନ ମାଲପୁଆ ଭୋଗ ଲଗାଇବା ମଧ୍ୟ ଶୁଭ ବୋଲି ମାନ୍ୟତା ରହିଛି । ପିତୃପୁରୁଷଙ୍କ ଶାନ୍ତି ପାଇଁ ଦାନ-ପୁଣ୍ୟ ଓ ତର୍ପଣ କରିବା ଉଚିତ । ପରିବେଶ ସୁରକ୍ଷା ସହ ଜୀବନରେ ଶାନ୍ତି ଓ ସମୃଦ୍ଧି ପାଇଁ ଏହି ଦିନ ନୂଆ ଗଛ ଲଗାଇବାକୁ ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *

Back to top button