‘ରାହୁଲ ଗାନ୍ଧୀ କେଉଁଠାରୁ ନିର୍ବାଚନ ଲଢିବେ ସେନେଇ କେବଳ ସିଇସି ନିଷ୍ପତ୍ତି ନେବେ’ – Sahana Mela
[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ଲୋକସଭା ନିର୍ବାଚନ ତାରିଖ । ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି । କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ତାର ପ୍ରାର୍ଥୀଙ୍କ ଗୋଟିଏ ତାଲିକା ମଧ୍ୟ ଘୋଷଣା କରିନାହିଁ । ଏଥିସହ କଂଗ୍ରେସ ଅନେକ ରାଜ୍ୟରେ ଆସନ ବଣ୍ଟନ ଉପରେ ଆଲୋଚନା କରୁଛି ।
ଏହି ସମୟରେ ଚର୍ଚ୍ଚା ଯୋର ଧରିଛି ଯେ, ଗତଥର ଭଳି ଏଥର ମଧ୍ୟ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ ଦୁଇଟି ଆସନରୁ ନାମାଙ୍କନ ଭରିବେ । ଏଭଳି ପରିସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ‘ଆମେଠି ଆଉ କଂଗ୍ରେସର ଗଡ଼ ହୋଇ ନାହିଁ’ ।
କେନ୍ଦ୍ର ମନ୍ତ୍ରୀ ତଥା ଆମେଠିରୁ ବିଜେପି ସାଂସଦ ସ୍ମୃତି ଇରାନୀଙ୍କ ବିବୃତ୍ତିରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ‘ସ୍ମୃତି ଇରାନୀ ଯାହାବି କୁହନ୍ତୁନା କାହିକିଁ, ଆମର ଏକ ପ୍ରକ୍ରିୟା ଅଛି । ସଭାରେ ଆଲୋଚନା ହୁଏ । ଏହା ପରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥାଏ । ଆଜି କିମ୍ବା ଆସନ୍ତାକାଲି ପ୍ରାର୍ଥୀ ଘୋଷଣା କରାଯିବ । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କେଉଁଠାରୁ ନିର୍ବାଚନ ଲଢିବେ ସେନେଇ କେବଳ ସିଇସି ଚୂଡ଼ାନ୍ତ ନିଷ୍ପତ୍ତି ନେବେ’ ।
ଗତକାଲି, ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ଯେ, ‘ସେମାନେ କୁହନ୍ତି ଆମେଠି କଂଗ୍ରେସର ଗଡ଼ । ଯଦି ଏହା ହୁଏ, ତେବେ ସେମାନେ ଏଠାରେ ଜଣେ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ କାହିଁକି ବିଳମ୍ବ କରୁଛନ୍ତି? ଏହା ସେମାନଙ୍କର ଆତ୍ମବିଶ୍ୱାସର ଅଭାବ ଦର୍ଶାଉଛି । ମୁଁ ଜାଣେନାହିଁ ଆମେଠିରୁ ନିର୍ବାଚନରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ, କିନ୍ତୁ କଂଗ୍ରେସ ଲୋକମାନେ ଏଠାରୁ ପ୍ରାର୍ଥୀ ଘୋଷଣା କରିବାକୁ ସାହସ କରିପାରୁ ନାହାଁନ୍ତି, ଏଥିରୁ ଜଣାପଡୁଛି ଯେ, ସେମାନେ ଆମେଠିର ଶକ୍ତି ଅନୁଭବ କରିସାରିଛନ୍ତି । ସେମାନଙ୍କୁ ପୂର୍ବରୁ ପରାଜୟର ଭୟ ଘାରିଛି’ ।
[ad_2]