ଆପଣ ବି ମାନସିକ ଅବସାଦର ଶିକାର ହୋଇଛନ୍ତି କି? ଖାଆନ୍ତୁ ଏହିସବୁ ଖାଦ୍ୟ
ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜର କ୍ୟାରିୟର ପଛରେ ଧାଇଁବାରେ ବ୍ୟସ୍ତ । ଯେଉଁ କାରଣରୁ କେତେକ ବ୍ୟକ୍ତି ଡିପ୍ରେସନ ବା ମାନସିକ ଅବସାଦର ଶିକାର ହୋଇଥାନ୍ତି । ଡିପ୍ରେସନ ଦୂର କରିବାର ଅନେକ ଉପାୟ ରହିଛି, ହେଲେ ଆପଣ ଖାଉଥିବା ଖାଦ୍ୟ ମଧ୍ୟ ଏ କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ । ତେବେ ଆସନ୍ତୁ ଜାଣିବା ଡିପ୍ରେସନ ଦୂର କରିବା କ୍ଷେତ୍ରରେ କେଉଁ ସବୁ ଖାଦ୍ୟ ବେଶ୍ ଲାଭଦାୟକ ।
ଆଭୋକାଡୋ: ଆଭୋକାଡୋରେ ପ୍ରଚୁର ଫୋଲେଟ, ପୋଟାସିୟମ, ଟ୍ରିପ୍ଟୋଫନ ଓ ଭିଟାମିନ-କେ ରହିଛି । ଏଥିରେ ମସ୍ତିଷ୍କ ପାଇଁ ସୁସ୍ଥ ମୋନୋଅନସାଚୁରେଟେଡ ଫ୍ୟାଟି ଏସିଡ ବି ରହିଥାଏ, ଯାହା ଡିପ୍ରେସନ ବିରୋଧରେ ଲଢେଇ କରିବାରେ ସହାୟକ ହୋଇପାରେ ।
ଛତୁ: ଭିଟାମିନ ବି ଏବଂ ସେଲେନିୟମର ଏକ ଭଲ ଉତ୍ସ ହେଲା ଛତୁ । କିଛି ରିସର୍ଚ୍ଚରେ କୁହାଯାଇଛି ଯେ, ଏସବୁ ପୋଷକ ତତ୍ତ୍ବର ଅଭାବ ହେଲେ ଡିପ୍ରେସନ ଲକ୍ଷଣ ଦେଖାଯାଏ ।
ପତ୍ରଯୁକ୍ତ ସବୁଜ ପରିବା: ଅଧ୍ୟୟନରୁ ଜଣାପଡେ ଯେ, ଡିପ୍ରେସନ ପୀଡିତ ଲୋକଙ୍କଠାରେ ମାଗ୍ନେସିୟମ ସ୍ତର କମ୍ ହେବାର ସମ୍ଭାବନା ଅଧିକ ଥାଏ । ପାଳଙ୍ଗ ଭଳି ସବୁଜ ପତ୍ରଯୁକ୍ତ ପରିବା ଫୋଲେଟ ଓ ଭିଟାମିନ-ବିରେ ଭରପୂର ଥିବାରୁ ଅବସାଦ କମ୍ କରିବାରେ ସହାୟକ ହୋଇପାରେ ।
ଗାଜର: ଏଥିରେ କ୍ୟାରୋଟନଏଡ୍ସ ଭଳି ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଶରୀରରେ ଆଣ୍ଟି-ଇନଫ୍ଲାମେଟୋରୀ ପ୍ରଭାବ ପକାଏ । କିଛି ଅଧ୍ୟୟନ ଅନୁସାରେ, ଅଧିକ କ୍ୟାରୋଟେନଏଡ୍ସ ସେବନ କରିବା ଫଳରେ ମାନସିକ ଅବସାଦ ଓ ଚିନ୍ତାର ଲକ୍ଷଣ କମ୍ ହୋଇଥାଏ ।
କୋଳି: ଷ୍ଟ୍ରବେରୀ, ରସବେରି, ବ୍ଲୁବେରୀ ଓ ଜାମୁକୋଳି ଇତ୍ୟାଦି କୋଳି ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର । ଏହା ଶରୀରର ସେଲ୍ ନଷ୍ଟ ହେବାରୁ ସୁରକ୍ଷା ଦିଏ । ଏଥିସହ ମାନସିକ ଅବସାଦ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି ।
କ୍ଷୀର: କ୍ଷୀର ଭିଟାମିନ-ଡିର ଏକ ଭଲ ଉତ୍ସ, ଯାହା ଡିପ୍ରେସନର ଲକ୍ଷଣକୁ ଦୂର କରିପାରେ । ଏକ ଅଧ୍ୟୟନରୁ ଜଣାପଡେ ଯେ, ଅଧିକ ମାତ୍ରାରେ ଲୋ ଫ୍ୟାଟ କ୍ଷୀର ଓ ଦହି ଖାଉଥିବା ଲୋକଙ୍କଠାରେ ଡିପ୍ରେସନ ଦେଖାଯିବାର ସମ୍ଭାବନା କମ୍ ।
ଡାର୍କ ଚକୋଲେଟ: ଚକୋଲେଟ ଡିପ୍ରେସନରୁ ଆଶ୍ବସ୍ତି ଦେଇପାରେ । ଡାର୍କ ଚକୋଲେଟ ଖାଇବା ଫଳରେ ଡିପ୍ରେସନର ଲକ୍ଷଣ କମ୍ ହୋଇପାରେ । ଏହା ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଇଡ ଭଳି ଉପାଦାନରେ ଭରପୂର ହୋଇଥିବାରୁ ମସ୍ତିଷ୍କରେ ରକ୍ତ ପ୍ରବାହରେ ସୁଧାର ଆଣେ ଓ ମୁଡ୍ ଠିକ୍ କରିପାରେ ।
କଫି: କଫିରେ ପ୍ରଚୁର କାଫିନ ରହିଛି, ଯାହା ସଙ୍ଗେ ସଙ୍ଗେ ଆପଣଙ୍କ ମୁଡ୍ ବଦଳାଇପାରେ । କିଛି ରିସର୍ଚ୍ଚ ଅନୁଯାୟୀ, କାଫିନ ଭଲ ଅନୁଭବ କରାଉଥିବା କେତେକ କେମିକାଲ ଯେପରିକି ସେରୋଟୋନିନ, ଡୋପାମାଇନ ଓ ନରଡ୍ରେନାଲାଇନ ଉତ୍ପାଦନ ବଢାଇ ଅବସାଦ ଦୂର କରିପାରେ ।