ଦେଶ- ବିଦେଶ

ଭୟଙ୍କର ସଡ଼କ ଦୁର୍ଘଟଣା, ୧୦ ଜଣକ ଉପରେ ମାଡ଼ିଗଲା ଡମ୍ପର, ୪ ମୃତ

ଦୌସା: ରାଜସ୍ଥାନର ଦୌସାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ୧୦ ଜଣକ ଉପରେ ମାଡ଼ିଗଲା ଡମ୍ପର। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ରବିବାର ଦ୍ବିପ୍ରହରରେ ଦୌସାର ଲାଲସୋଟ ଅଞ୍ଚଳରେ ଘଟିଛି। ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ମୃତଦେହ ଡମ୍ପର ତଳୁ ବାହାର କରିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି।

ଏହା ସହ ଡମ୍ପର ଜବତ କରି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଛି ପୋଲିସ।

ପୋଲିସ ଅନୁଯାୟୀ, ଲାଲସୋଟ ଅଞ୍ଚଳ ସକାଳ ୮ଟାରୁ ରାତି ୮ ପର୍ଯ୍ୟନ୍ତ ଭାରି ଯାନ ପାଇଁ ନୋ ଏଣ୍ଟ୍ରି ରହିଥାଏ । ଏହା ସତ୍ତ୍ବେବି ବଜୁରୀ ବୋଝେଇ ଡମ୍ପର ଏହି ଅଞ୍ଚଳରେ ପଶିଥିଲା।ଆଉ ସାମ୍ନାରୁ ଯାଉଥିବା ଦୁଇ ଚକିଆ ଯାନ ଏବଂ ପଥଚାରୀଙ୍କ ଉପରେ ମାଡ଼ିଯାଇଥିଲା। ସେପଟେ ଘଟଣାକୁ ନେଇ ସ୍ଥାନୀୟ ଲୋକେ ପ୍ରଦର୍ଶନ ଆରମ୍ଭ କରିଛନ୍ତି ।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଇ ଚଇ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଡମ୍ପରକୁ ଅଟକାଇ ମାରପିଟ୍ କରିଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ନିଜ ହେପାଜତକୁ ନେବା ସହ ଡମ୍ପରକୁ ସିଜ୍ କରିଛି। ପୋଲିସ ଅନୁଯାୟୀ ଏପର୍ଯ୍ୟନ୍ତ ୪ ମୃତକଙ୍କ ଶବ ଉଦ୍ଧାର କରାଯାଇଛି। ସେହିଭଳି ୬ ଆହତଙ୍କୁ ଗୁରୁତର ଅବସ୍ଥାରେ ବାହାରକରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ସେପଟେ ସ୍ଥାନୀୟ ଲୋକେ ଏହି ଘଟଣା ପାଇଁ ପୋଲିସକୁ ଦାୟୀ କରିବା ସହ ନୋ ଏଣ୍ଟ୍ରି ବ୍ୟବସ୍ଥା କାଗଜ ପତ୍ରରେ ରହିଯାଇଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button