ରାଜ୍ୟ

ଅପହରଣକାରୀଙ୍କ କବଳରୁ ଖସି ଆସିଲା ନବମ ଶ୍ରେଣୀର ଛାତ୍ର

ପାରାଦୀପ: ପିଲାଙ୍କୁ ଏକା ସ୍କୁଲ୍ ଛାଡୁଥିଲେ ହୋଇଯାଆନ୍ତୁ ସାବଧାନ୍! ଉଠାଇ ନେଉଛନ୍ତି ଅପହରଣକାରୀ । ମୁଖା ପିନ୍ଧି ଆସୁଛନ୍ତି ଆଉ ପିଲାଙ୍କୁ ଟେକି ନେଇ ସ୍କର୍ପିଓରେ ଉଭାନ୍ ହୋଇଯାଉଛନ୍ତି । ଏମିତି ଏକ ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି । ସ୍କୁଲ ଯାଉଥିବା ଛାତ୍ରକୁ ବାଟରୁ ଅପହରଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୁଜଙ୍ଗ ଥାନା ଉଛବାନନ୍ଦପୁରଡିଆ ଗାଁରେ ।

ସୂଚନା ମୁତାବକ, ଡିଆ ଗ୍ରାମର ସିଏମ ଆଦିତ୍ୟ ନାଥ ନାମକ ଜଣେ ନବମ ଶ୍ରେଣୀର ଛାତ୍ର ଆଜି ସକାଳୁ ସ୍କୁଲ୍ ଯିବାକୁ ଗାଡିକୁ ଅପେକ୍ଷା କରିଥିଲେ । ପ୍ରତିଦିନ ସକାଳେ ତାଙ୍କ ବାପା ବାଇକ୍‌ ଆଣି ସ୍ଥାନୀୟ ଅଞ୍ଚଳର ପନ୍ଦର ନମ୍ବର ଗଡ଼ା ପାଖରେ ଛାହଇଥାନ୍ତି । ସେଠାରେ ସ୍କୁଲ ବସ୍‌ କୁ ଅପେକ୍ଷା କରିଥିବାବେଳେ ହଠାତ୍ ଆଦିତ୍ୟଙ୍କ ପାଖରେ ଆସି ଲାଗିଥିଲା ଏକ ଧଳା ରଙ୍ଗର ସ୍କର୍ପିଓ । ତେବେ ସ୍କର୍ପିଓ ଭିତରୁ ଜଣେ ମହିଳା ବାହାରି ତାଙ୍କୁ ପିଇବାକୁ ପାଣି ମାଗିଥିଲେ । ଏହାରି ମଧ୍ୟରେ କାର୍‌ରୁ ଆଉ ଦୁଇ ଜଣ ଆସି ତାଙ୍କୁ ଧକ୍କା ମାରି କାର୍‌ ଭିତରକୁ ଟେକି ନେଇଥିଲେ । ଆଦିତ୍ୟଙ୍କୁ ଗାଡି ଭିତରେ ପୁରାଇ ଆଖିପଛୁଳାକେ ଘଟଣାସ୍ଥଳରୁ ଛୁ ମାରିଥିଲେ । ତେବେ ଗାଡି ଭିତରେ ସମୁଦାୟ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଥିବାବେଳେ ସମସ୍ତେ ମୁଖା ଓ କଳା ଚଷମା ପିନ୍ଧିଥିବା ଜଣାପଡିଛି । ଦୁର୍ବୃତ୍ତ ମାନେ ଅପହରଣ କରିବା ପରେ ଆଦିତ୍ୟଙ୍କ ହାତ ବାନ୍ଧି ନିସ୍ତୁକ ପିଟିଥିଲେ ।

ଏପଟେ ଆଦିତ୍ୟଙ୍କୁ ନେଇ ଅପହରଣକାରୀମାନେ ଭୂତମୁଣ୍ଡାଇ ବାଟ ଦେଇ କେନ୍ଦ୍ରାପଡ଼ା ହଳଦିଆ ଗଡ଼ା ପାଖରେ ହୋଇଥିଲେ । ତେବେ ଟିକେ ସୁଯୋଗ ପାଇବା କ୍ଷଣି କୌଶଳ କ୍ରମେ ଆଦିତ୍ୟ ସେମାନଙ୍କ କବଳରୁ ଖସି ଆସିଥିଲେ । ସେଠାରୁ ସେ ଖୁବ୍‌ ଜୋରରେ ଦୌଡ଼ି ଦୌଡ଼ି ପଳାଇଆସି ପାରାଦୀପ ଚଣ୍ଡିଖୋଲ ଏନଏଚରେ ପହଞ୍ଚିଥିଲେ । ଏହାପରେ ଏକ ଟାଟା ମ୍ୟାଜିକରେ କିଛି ବାଟ ଯିବା ପରେ ରାସ୍ତାରେ ଜଣେ ବାଇକ୍‌ ଚାଳକଙ୍କୁ ଅଟକାଇ ତାଙ୍କୁ ଜାବୁଡ଼ି ଧରି କାନ୍ଦିଥିଲେ । ଏହାପରେ ଉକ୍ତ ବ୍ୟକ୍ତି ଜଣକ ପିଲାଟିର ଘରକୁ ଫୋନ କରି ସମସ୍ତ ଘଟଣା ଜଣାଇଥିଲେ । ପରେ ତାଙ୍କର ଜରୁରୀ କାମ ପଡିଯିବାରୁ ହଳଦିଆ ଗଡ ନିକଟରେ ଆଦିତ୍ୟଙ୍କୁ ଛାଡି ଚାଲିଯାଇଥିଲେ ।

ତେବେ ଆଦିତ୍ୟଙ୍କ ଘର ଲୋକ ଖବର ପାଇବା କ୍ଷଣି ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲେ । ବହୁ ଖୋଜା ଖୋଜି କରିବା ପରେ ଏକ ପୋଲ ତଳେ ଆଦିତ୍ୟ ଲୁଚି ବସିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଆଦିତ୍ୟଙ୍କୁ ସେଠାରୁ ଉଦ୍ଧାର କରି ଘରକୁ ଆଣିଥିବା ଜଣାପଡିଛି । ଏପଟେ କୁଜଙ୍ଗ ପୋଲିସ୍ ଆଦିତ୍ୟ କୁ ନେଇ ଏବେ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି । ଏପଟେ ପୋଲିସ୍ ଓ ପରିବାର ଆଗରେ ଆଦିତ୍ୟ ବଖାଣିଛନ୍ତି ତାଙ୍କ ସହ ଘଟିଥିବା ଛାତିଥରା ଘଟଣା । ତେବେ ଏକ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଦିତ୍ୟ । ଆଦିତ୍ୟଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଞ୍ଚିଯାଇଛି ତାଙ୍କ ଜୀବନ । ଏପଟେ ଉଚିତ୍ ତଦନ୍ତ କରି ତୁରନ୍ତ ଅପରାଧୀଙ୍କୁ ଧରିବାକୁ ଅନୁରୋଧ କରିଛନ୍ତି ଆଦିତ୍ୟଙ୍କ ପରିବାର ଲୋକେ ।

Leave a Reply

Your email address will not be published. Required fields are marked *

Back to top button