ହମାସ୍କୁ ଖୋଲା ଧମକ ଦେଲେ ଟ୍ରମ୍ପ: ତୁରନ୍ତ ସମସ୍ତ ବନ୍ଧକଙ୍କୁ ମୁକ୍ତ କର, ନହେଲେ ହେବ ଧ୍ବଂସଲୀଳା
ଶପଥ ଗ୍ରହଣ ପୂର୍ବରୁ ଆତଙ୍କବାଦୀ ସଙ୍ଗଠନ ହମାସ୍କୁ ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ । ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ ଦେଇଛନ୍ତି ଚେତାବନୀ । ୨୦ ଜାନୁଆରୀରେ ଶପଥ ଗ୍ରହଣ ପୂର୍ବରୁ ଗାଜା ପଟ୍ଟିରେ ଥିବା ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ କହିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି । ନଚେତ ମଧ୍ୟପ୍ରାଚ୍ୟରେ ଧ୍ବଂସଲୀଳା ହେବ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ।
ଜାନୁଆରୀ ୨୦ ରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଡୋନାଲ୍ଡ ଟ୍ରମ୍ପ । ତେଣୁ ଏହା ପୂର୍ବରୁ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ହମାସକୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି କହିଛନ୍ତି, ଯେଉଁମାନେ ମାନବିକତା ବିରୋଧରେ ଏପରି ଅତ୍ୟାଚାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସେମାନଙ୍କୁ ଆମେରିକା ଇତିହାସରେ ସବୁଠାରୁ ବଡ଼ ସଜା ଦିଆଯିବ ବୋଲି କହିଛନ୍ତି ଟ୍ରମ୍ପ । ସମୟ ପୂର୍ବରୁ ଆକ୍ସନ ନନେଲେ ଆମେରିକା ଏମିତି ଦଣ୍ଡ ଦେବ ଯାହା ଆଜି ଯାଏ କାହାକୁ ମିଳିନଥିବ । ଯଦି ବନ୍ଧକଙ୍କୁ ହମାସ ମୁକ୍ତ ନ କରେ ଆମେରିକା ସେନା ଏୟାର ଷ୍ଟ୍ରାଇକ କରିବ । ବୋମା ପକାଇ ସବୁ ଛାରଖାର କରିଦେବ ।
ସେପଟେ ବନ୍ଧକଙ୍କୁ ମୁକ୍ତ ବଦଳରେ ଯୁଦ୍ଧ ବନ୍ଦ କରିବା ଏବଂ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲ ସେନା ଚାଲିଯିବାକୁ ଦାବି କରିଛି ଆତଙ୍କୀ ସଂଗଠନ । ତେବେ ହମାସକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଜବାବ ଦେଇ କହିଛନ୍ତି, ହମାସ ସମ୍ପୂର୍ଣ୍ଣ ଭାବେ ଅନ୍ତ ନହେବା ଯାଏ ଏ ଯୁଦ୍ଧ ଜାରି ରହିବ ।
ଗତ ବର୍ଷ ଇସ୍ରାଏଲ ଉପରେ ଆକ୍ରମଣ କରି ୨୫୦ ଜଣଙ୍କୁ ବନ୍ଧକ କରିଥିଲେ ହମାସ ଆତଙ୍କବାଦୀ । ଯେଉଁଥିରେ ଇସ୍ରାଏଲ ଏବଂ ଆମେରିକା ନାଗରିକ ଥିଲେ । ଏବେ ବି ଗାଜା ପଟ୍ଟିରେ ୧୦୧ ଜଣ ବିଦେଶୀ ଏବଂ ଇସ୍ରାଏଲ ବନ୍ଧକ ଥିବା ଜଣାପଡିଛି ।