ପୁଣି ବିଧାନସଭାରେ ଉଠିଲା ମିସନ ଶକ୍ତି ପ୍ରସଙ୍ଗ

ଭୁବନେଶ୍ବର: ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ବକେୟା ଦରମା ପ୍ରଦାନ ଓ ଚୁକ୍ତିର ନବୀକରଣ ପ୍ରସଙ୍ଗ ଆଜି ପୁଣି ବିଧାନସଭାରେ ଉଠିଛି। ଏହି ପ୍ରସଙ୍ଗ ଉଠାଇ ପ୍ରଶ୍ନକାଳରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଥିଲେ। ଶୂନ୍ୟକାଳରେ ଏହି ପ୍ରସଙ୍ଗରେ ବିଜେଡି ଓ ବିଜେପି ପରସ୍ପରକୁ ଆକ୍ଷେପ କରିଥିଲେ। କଂଗ୍ରେସ ସଭ୍ୟମାନେ ଉଭୟ ଦଳକୁ ଟାର୍ଗେଟ୍ କରିଥିଲେ। ଗୃହ ବାହାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଥିଲେ, ମିସନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି। ମିସନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ।
ଶୂନ୍ୟକାଳରେ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ କହିଲେ, ବିଧାନସଭା ସାମ୍ନାରେ ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କ ଆନ୍ଦୋଳନ ଚାଲିଛି। ମା’ ଭଉଣୀମାନେ ଖରା, କାକରରେ ରାଜରାସ୍ତାରେ ପଡ଼ିଛନ୍ତି। ୮ ମାସ ହେଲା ସେମାନେ ଦରମା ପାଇ ନାହାନ୍ତି। ଗୋଟିଏ ପଟେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଦେଲେ ବୋଲି କହୁଛନ୍ତି। ଅନ୍ୟ ପଟେ ମା’ଭଉଣୀମାନଙ୍କୁ ଦରମା ନ ଦେଇ ହନ୍ତସନ୍ତ କରୁଛନ୍ତି। ୬ ମାସ ହେଲା ଏହି ସରକାର ଆସିଲାଣି। ସେମାନଙ୍କ ଚୁକ୍ତିକୁ ନବୀକରଣ କରାଯାଉ ନାହିଁ କାହିଁକି? ମିସନ ଶକ୍ତି ବନ୍ଦ କରିବାକୁ ଷଡ଼ଯନ୍ତ୍ର ନ କରି ସେମାନଙ୍କ ଦୁଃଖ ବୁଝିବା ଦରକାର। ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ସରକାର ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କ କଥା ତୁରନ୍ତ ବୁଝନ୍ତୁ। ଏବର ସରକାର ମହିଳା ସଶକ୍ତୀକରଣ କଥା ବାରମ୍ବାର କହୁଛନ୍ତି। କିନ୍ତୁ ଅନ୍ୟ ବିଜେପି ଶାସିତ ରାଜ୍ୟରେ ମହିଳାମାନଙ୍କୁ ମାସିକ ଅଧିକ ଅର୍ଥରାଶି ଦିଆଯାଉଥିଲା ବେଳେ ଓଡ଼ିଶାରେ ସୁଭଦ୍ରା ଯୋଜନାରେ ମାସକୁ ମାତ୍ର ୮୩୩ ଟଙ୍କା ଦିଆଯାଉଛି। ଏଥିରେ ମହିଳା ସଶକ୍ତୀକରଣ କିପରି ହେବ? ଇଏ ଡବଲ୍ ଷ୍ଟାଣ୍ଡାର୍ଡ ସରକାର। ନିରଞ୍ଜନ ପୂଜାରୀ କହିଲେ, ଏମ୍ବିକେ, ସିଆର୍ପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ତ ଚାକିରୁ ନିବୃତ୍ତ କରାଯାଇନି। ସେମାନଙ୍କୁ ସରକାର କାମରେ ଲଗାଇଛନ୍ତି। ତେଣୁ ଦରମା କାହିଁକି ଦିଆଯିବନି? ଶାରଦା ଜେନା କହିଥିଲେ, ମା’ମାନେ ଏତେ ସଂଖ୍ୟାରେ ରାଜରାସ୍ତାରେ ବସିବା ଓଡ଼ିଶା ପ୍ରତି ଲଜ୍ଜା।