ସାରା ଜୀବନ କାନ୍ଦିବା ପାଇଁ ୧ମାସର ଅଭ୍ୟାସ!

ଭାବନ୍ତୁ ଆପଣ ବାହାଘରକୁ ନେଇ କେତେ ସ୍ବପ୍ନ ଦେଖିଥିବେ! ବିବାହ ପ୍ରସ୍ତୁତିରେ କନ୍ୟାଘର ବ୍ୟସ୍ତ ଥିବାବେଳେ କନ୍ୟା ପ୍ରତିଦିନ ୧ଘଣ୍ଟା କାନ୍ଦିବା ଅଭ୍ୟାସ କରୁଛି। ଏହି ଅଜବ ରୀତିନୀତି ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ୍ୟ। ଭାରତରେ ବିବାହ ଏକ ଖୁସିର ମାହୋଲ ହୋଇଥାଏ। କିନ୍ତୁ ଚୀନ୍ରେ ଏକ ଜନଜାତି ରହିଛି ଯାହାକି କନ୍ୟା କାନ୍ଦିବା ପରମ୍ପରାକୁ ଦୃଢ଼ ବିଶ୍ବାସର ସହ ପାଳନ କରନ୍ତି। ଚୀନ୍ର ଦକ୍ଷିଣ-ପଶ୍ଚିମ ପ୍ରଦେଶର ସିଚୁଆନ୍ରେ ତୁଜିଆ ଜନଜାତିରେ ବିବାହ ପୂର୍ବରୁ କନ୍ୟାକୁ ୩୦ ଦିନ ପ୍ରତିଦିନ ୧ଘଣ୍ଟା ଲେଖାଏଁ କାନ୍ଦିବାକୁ ପଡ଼ିବ। ଉକ୍ତ ସମ୍ପ୍ରଦାୟର ଏହି ପ୍ରାଚୀନ ପରମ୍ପରା ପିଢ଼ି ପରେ ପିଢ଼ି ଚାଲିଆସୁଛି। ପରିବାର ସଦସ୍ୟ ସେମାନଙ୍କୁ ଅଧିକ ସମୟ ଧରି କାନ୍ଦିବାକୁ ଉତ୍ସାହିତ କରନ୍ତି ଏବଂ ଯଦି କନ୍ୟା ଆଖିରୁ ଲୁହ ନ ବାହାରେ ତେବେ କନ୍ୟାର ମାଆ ଝିିଅକୁ ମାଡ଼ ମାରନ୍ତି ଏବଂ ଝିଅଟି ବାଧ୍ୟ ହୋଇ କାନ୍ଦିବା ଆରମ୍ଭ କରିଦିଏ। ଅଦ୍ଭୁତ କଥା ହେଲା, ଆଖିରୁ ଲୁହ ନ ବାହାରିବା ଯାଏ ତାଙ୍କ ମାଆ ପିଟିଚାଲନ୍ତି।
ତୁଜିଆ ଜନଜାତିର ଲୋକମାନେ ଏଠାରେ ହଜାରେ ବର୍ଷ ଧରି ରହିଆସୁଛନ୍ତି ଏବଂ ବିବାହରେ କନ୍ୟା କାନ୍ଦିବା ଅତି ଗୁରୁତ୍ୱପୂର୍ଣ୍ଣ। ଏହି ଅଜବ ପରମ୍ପରା ଖ୍ରୀଷ୍ଟପୂର୍ବ ୪୭୫ରୁ ୨୨୧ ଖ୍ରୀଷ୍ଟାବ୍ଦ ମଧ୍ୟରେ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ୧୭ଶ ଶତାବ୍ଦୀରେ ଏହାର ପ୍ରଚଳନ ସର୍ବାଧିକ ଥିଲା। ଏକ ଜନଶ୍ରୁତି ଅନୁସାରେ, ଯେତେବେଳେ ଜାଓ ରାଜ୍ୟର ରାଜକୁମାରୀଙ୍କ ବିବାହ ହୋଇଥିଲା, ତାଙ୍କ ଝିିଅଠାରୁ ଅଲଗା ହେବାର ଦୁଃଖରେ ତାଙ୍କ ମାଆ ପ୍ରବଳ କାନ୍ଦିଥିଲେ। ସେହିଦିନରୁ ଏହି ଜନଜାତିରେ କନ୍ୟା କାନ୍ଦିବାର ପରମ୍ପରା ଆରମ୍ଭ ହୋଇଥିଲା। କନ୍ୟାର ଲୁହ ବିନା ବିବାହ ଅସମ୍ପୂର୍ଣ୍ଣ ବୋଲି ସେଠାରେ ପ୍ରଚଳନ ରହିଛି। ପ୍ରତିଦିନ ଘଣ୍ଟାଏ କନ୍ୟା କାନ୍ଦିଥାଏ ଏବଂ ପରିବାରର ପ୍ରତ୍ୟେକ ମହିଳା ତାଙ୍କ ସାଙ୍ଗରେ ମିଶି ପାରମ୍ପରିକ ଗୀତ ଗାଇଥାନ୍ତି। ଗୀତଟି କନ୍ୟା ଜୀବନରେ ଘଟିବାକୁ ଯାଉଥିବା ନୂତନ ପରିବର୍ତ୍ତନ ଓ ନିଜ ପରିବାର ସହ ଥିବା ପୁରୁଣା ସଂପର୍କକୁ ଦର୍ଶାଏ। ପ୍ରଥମ ଦିନରେ କନ୍ୟା ସହିତ ତାଙ୍କ ମା’ ଓ ଜେଜେମା’ ମଧ୍ୟ ଭାବବିହ୍ବଳ ହୋଇ କାନ୍ଦନ୍ତି। ଏହି ସମୟ ମଧ୍ୟରେ, ସେ ନିଜ ହୃଦୟର ଯନ୍ତ୍ରଣାକୁ ନିଜ ମା’ଙ୍କ କୋଳରେ ମୁଣ୍ଡ ରଖି କାନ୍ଦି କହିଥାନ୍ତି। ଦିନ ଗଡ଼ିବା ସହିତ କନ୍ୟାର ଲୁହ ଓ ଭାବନା ଗଭୀର ହୋଇଯାଏ। ଏହି ପ୍ରକ୍ରିୟା ତାଙ୍କ ଭିତରେ ଏକ ନୂତନ ମଣିଷକୁ ଜନ୍ମ ଦିଏ, ଯେଉଁଠାରେ ସେ ନିଜର ପୁରୁଣା ଆତ୍ମା ଓ ଭାବନା ଛାଡ଼ି ଏକ ନୂତନ ଜୀବନ ଆରମ୍ଭ କରେ ବୋଲି ବିଶ୍ବାସ ରହିଛି।