ରାଜନୀତି

ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ରାହୁଲ ଗାନ୍ଧିଙ୍କୁ ଲେଖିଲା ପତ୍ର, ନେହେରୁଙ୍କ ଚିଠି ଯଥାଶୀଘ୍ର ଫେରସ୍ତ କର

ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ଲାଇବ୍ରେରୀ (PMML) ସୋସାଇଟିର ସଦସ୍ୟ ରିଜୱାନ କାଦରୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖିଛନ୍ତି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠି ଫେରସ୍ତ କରିବାକୁ ରାହୁଲଙ୍କୁ କହିଛନ୍ତି । PMMLର କହିବା ହେଲା, ଏହା ଐତିହାସିକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଏବଂ ସେଗୁଡ଼ିକୁ ଆକ୍ସେସ୍ କରିବା ଜରୁରୀ ।

ଏହି ଚିଠିକୁ ଜବାହରଲାଲ ନେହେରୁ ମେମୋରିଆଲ ୧୯୭୧ ମସିହାରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ (ବର୍ତ୍ତମାନ PMML) କୁ ଦେଇଥିଲା ।

ୟୁପିଏ ଶାସନକାଳରେ ୨୦୦୮ରେ ୫୧ଟି ବାକ୍ସରେ ପ୍ୟାକ୍ କରି ନେହେରୁଙ୍କ ବ୍ୟକ୍ତିଗତ ଚିଠି ସୋନିଆ ଗାନ୍ଧିଙ୍କୁ ଦିଆଯାଇଥିଲା । ନେହେରୁ ଏହି ଚିଠିଗୁଡ଼ିକୁ ଏଡୱିନା ମାଉଣ୍ଟବେଟନ୍, ଆଲବର୍ଟ ଆଇନଷ୍ଟାଇନ୍, ଜୟପ୍ରକାଶ ନାରାୟଣ, ପଦ୍ମଜା ନାଇଡୁ, ବିଜୟଲକ୍ଷ୍ମୀ ପଣ୍ଡିତ, ଅରୁଣା ଆସଫ ଅଲି, ବାବୁ ଜଗଜୀବନ ରାମ ଓ ଗୋବିନ୍ଦ ବଲ୍ଲଭ ପନ୍ତଙ୍କୁ ଲେଖିଥିଲେ ।

ଐତିହାସିକ, ଲେଖକ ତଥା PMML ସଦସ୍ୟ କାଦରୀ ଡିସେମ୍ବର ୧୦ରେ ରାହୁଲ ଗାନ୍ଧିଙ୍କୁ ପତ୍ର ଲେଖି ନେହେରୁଙ୍କ ଚିଠି ଫେରାଇ ଦେବାକୁ ଦାବି କରିଛନ୍ତି । ଏହାପୂର୍ବରୁ ସେପ୍ଟେମ୍ବରରେ ସୋନିଆ ଗାନ୍ଧିଙ୍କୁ ମଧ୍ୟ ପତ୍ର ଲେଖାଯାଇଥିଲା ।

ଏବେ ରାହୁଲଙ୍କୁ ପତ୍ରରେ କୁହାଯାଇଛି ଯେ ସୋନିଆ ଗାନ୍ଧିଙ୍କ ଠାରୁ ଓରିଜିନାଲ୍ ଚିଠି ଆଣି ଦିଅନ୍ତୁ, ନଚେତ୍ ଏହାର ଫଟୋକପି କିମ୍ବା ଡିଜିଟାଲ କପି ଦିଅନ୍ତୁ ।

କାଦରୀ କହିଛନ୍ତି, ବାବୁ ଜଗଜୀବନ ରାମ, ଜୟପ୍ରକାଶ ନାରାୟଣ, ଏଡୱିନା ମାଉଣ୍ଟବେଟନ୍ ଏବଂ ଇତିହାସ ସହ ଜଡ଼ିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚିଠି ଏଥିରେ ରହିଛି । ଯେହେତୁ ସୋନିଆଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳି ନ ଥିଲା, ତେଣୁ ରାହୁଲ ଗାନ୍ଧିଙ୍କୁ ଚିଠି ଫେରାଇ ଦେବାକୁ ମୁଁ ଅନୁରୋଧ କରିଛି । ଆମେ ଆଶା କରୁଛୁ ଯେ ସେ ଏହା ଉପରେ ଦୃଷ୍ଟି ଦେବେ ଏବଂ ରିସର୍ଚ୍ଚ ପାଇଁ ଏହାକୁ ଉପଲବ୍ଧ କରାଇବେ । ଏହି ଦସ୍ତାବିଜଗୁଡ଼ିକ ଦେଶର ଐତିହ୍ୟର ଅଂଶ ।

Leave a Reply

Your email address will not be published. Required fields are marked *

Back to top button