ଦେଶ- ବିଦେଶ

୨୦୨୪: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଓ ଶ୍ରେଷ୍ଠ ମହିଳା

କମଲା ହାରିସ୍‌: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଥିବା କମଲା ହାରିସ୍‌ଙ୍କୁ ମଧ୍ୟ ଅନ୍ୟତମ ପ୍ରଭାବଶାଳୀ ମହିଳା ଭାବରେ ସମ୍ମାନିତ କରାଯାଇଛି। ହାରିସ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହେବାପରେ ଆମେରିକାର ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ଓ ବିତର୍କର ଚିତ୍ର ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା। ଡୋନାଲ୍‌ଡ ଟ୍ରମ୍ପ୍‌ ସହଜ ବିଜୟ ହାସଲ କରିବା ସମ୍ଭବ ହୋଇନଥିଲା। କମଲା ହାରିସ୍‌ ବିଜୟ ପାଇଁ ଟ୍ରମ୍ପ୍‌ଙ୍କୁ ଆହ୍ବାନ ଦେଇଥିଲେ। କମଲା ହାରିସ୍‌ କହନ୍ତି, “ମୁଁ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଯେଉଁ ଆହ୍ବାନ ସୃଷ୍ଟି କଲି, ମୁଁ ଭାବୁଛି ତାହା ହିଁ ମୋର ବଡ଼ ଦାୟିତ୍ୱ ଥିଲା ଏବଂ ଏଥିରେ ମୁଁ ସଫଳ ହୋଇପାରିଛି। କାରଣ ନିର୍ବାଚନ ପୂର୍ବରୁ ସମ୍ମାନନୀୟ ଟ୍ରମ୍ପ‌୍ଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇସାରିଥିଲା।”

ବିସାନ୍ ଆଵଦା: ପାଲେଷ୍ଟିନୀୟ ସାମ୍ବାଦିକ ୨୭ ବର୍ଷୀୟ ବିସାନ୍ ଆଵଦା ଯୁଦ୍ଧ ବିପର୍ଯ୍ୟୟର ପ୍ରତ୍ୟେକ ଦିଗ ଉପରେ ଆଲୋକପାତ କରିବା, ସୋସିଆଲ୍‌ ମିଡିଆ ଦ୍ବାରା ବିଶ୍ୱଜନତାଙ୍କୁ ଏଭଳି ଭୟାବହତା ନେଇ ସଚେତନ କରିବା, ଭୋକିଲା ଶିଶୁର କରୁଣ ଚିତ୍କାର, ଧ୍ୱସ୍ତବିଧ୍ୱସ୍ତ ମାନବ ସମାଜର ଆର୍ତ୍ତନାଦ, ମହିଳାମାନଙ୍କର ବୁକୁଫଟା ଆକୁଳ କାନ୍ଦ ଓ ପରିବେଶର ଧ୍ବଂସଲୀଳାକୁ ନିଜ କଲମ ଓ କ୍ୟାମେରାରେ ଧରିରଖି ଅତ୍ୟନ୍ତ ନିର୍ଭୀକ ଭାବେ ପ୍ରତିଟି ସମ୍ବାଦକୁ ଉପସ୍ଥାପନ କରନ୍ତି। ଏଣୁ ନିଜ ଉପରେ ହୋଇଥିବା ଆକ୍ରମଣକୁ ସେ ଖାତିର କରିନଥିଲେ। ବିସାନ୍ କହନ୍ତି, “ମୁଁ ଇସ୍ରାଏଲ୍‌ର ନରସଂହାର ବିରୋଧରେ କେବେ ଡରିନି। ମୋ ସ୍ୱରକୁ ଚପାଇଦେବାର ପ୍ରୟାସକୁ ଖାତିର କରିନି, ମୋ କ୍ରୋଧ, ଆବେଗ ଓ ଲହୁଲୁହ ଲୁଚାଇଦେବାକୁ ଚେଷ୍ଟା କରିନି। ମୋ କଲମ ଓ କ୍ୟାମେରାକୁ ଅସ୍ତ୍ର କରି ମୁଁ ମାନବିକ ମୂଲ୍ୟବୋଧ ଓ ଅଧିକାରର ଯୁଦ୍ଧ ଲଢ଼ିବାକୁ ସବୁବେଳେ ପ୍ରସ୍ତୁତ। ସେଥିପାଇଁ ମୁଁ ଆତଙ୍କବାଦୀଙ୍କୁ ନର୍କର ପଶୁ ବୋଲି ଆଖ୍ୟା ଦେବାକୁ ପଛାଇନାହିଁ।’’ ନିଜ ଆତ୍ମଜୀବନୀ ‘ଇଟ୍‌ସ ବିସାନ୍‌ ଫ୍ରମ୍‌ ଗାଜା ଆଣ୍ଡ୍‌ ଆଇ ଆମ୍‌ ଷ୍ଟିଲ୍‌ ଆଲାଇଭ୍‌’କୁ ନେଇ ପ୍ରସ୍ତୁତ ଡକ୍ୟୁମେଣ୍ଟାରି ଫିଲ୍ମ ଅନେକ ସମ୍ମାନ ଜିତିଛି। ‘ପପୁଲାର୍‌ ଫ୍ରଣ୍ଟ ଫର୍‌ ଦି ଲିବରେସନ୍‌ ଅଫ୍‌ ପାଲେଷ୍ଟାଇନ୍‌’ ସଂସ୍ଥା ସହିତ ତାଙ୍କର ସମ୍ପର୍କ ଅଛି ବୋଲି ଘୋଷଣା କରି ତାଙ୍କ ଫିଲ୍ମକୁ ବିରୋଧ କରାଯାଇଥିଲା। ମରଣ ସହ ଲଢ଼ି ସମଗ୍ର ବିଶ୍ୱ ପାଇଁ ନିଷ୍ଠାର ସହ ସାମ୍ବାଦିକର କର୍ତ୍ତବ୍ୟ କରିଥିବାରୁ ତାଙ୍କୁ ଏବର୍ଷର ଶ୍ରେଷ୍ଠ ମହିଳା ଭାବେ ସମ୍ମାନିତ କରାଯାଇଛି।

ସ୍ୟାଲି ରୁନି: ୩୦ ବର୍ଷ ବୟସ୍କା ଆଇରିସ୍‌ ଲେଖିକା ସ୍ୟାଲି ରୁନିଙ୍କୁ ‘ଏକ ଶତାବ୍ଦୀର ମାନବିକ ସ୍ୱର’ ନାମରେ ନାମିତ କରି ତାଙ୍କୁ ସାମାଜିକ ସଂସ୍କାରର ଶ୍ରେଷ୍ଠ ପ୍ରଭାବଶାଳୀ ମହିଳା ଭାବେ ପୁରସ୍କୃତ କରାଯାଇଛି। ପୃଥିବୀରେ ହୁଏତ ଆଉଜଣେ ସ୍ୟାଲି ରୁନି ଜନ୍ମ ନେବା ସମ୍ଭବ ହେବନାହିଁ ବୋଲି ବିଶ୍ୱର ଅନେକ ଖ୍ୟାତିସଂପନ୍ନ ଗଣମାଧ୍ୟମ ମତ ଦେଇଛନ୍ତି। ବିଶ୍ୱ ସାହିତ୍ୟର ଅନ୍ୟତମ ଭବିଷ୍ୟତ ବିନ୍ଧାଣି ସ୍ୟାଲି ରୁନି ବୋଲି ଅନେକ ସୁପ୍ରସିଦ୍ଧ ଲେଖକ ପ୍ରକାଶ କରିଛନ୍ତି। ସ୍ୟାଲିଙ୍କ ଚିନ୍ତାଧାରା ଅଧିକାଂଶ ସମୟରେ ଆଧୁନିକ ଯୁଗର ରୋମାନ୍‌ସକୁ ବ୍ୟାଖ୍ୟା କରୁଥିବା ଜଟିଳତା ଓ କ୍ରୋଧକୁ ପ୍ରତିଫଳନ କରିଛି। ମଣିଷ ଜୀବନ ରାସ୍ତାରେ ଶକ୍ତି ଓ ଗତିଶୀଳତା, ମାର୍କ୍ସବାଦୀ ଚିନ୍ତାଧାରା, ସହସ୍ରାବ୍ଦୀର ଉଦ୍‌ବେଗ ଓ ଆବେଗ, ଆବେଗର ଫରେନସିକ୍‌ ପରୀକ୍ଷା ଓ ଆଧୁନିକ ସମାଜରେ ନାରୀର ଯୌନଜାଗରଣ ଯାତ୍ରା ଉପରେ ସ୍ୟାଲି ନିଛକ୍‌ ପ୍ରତିଛବିର ପ୍ରତିଫଳନ କରି ନାରୀଜାତି ପାଇଁ ଏକ ନୂଆ ସମ୍ଭାବନା ଦେଖାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button