ଜମିକୁ ଯାଉନି ପାଣି, ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ନିଆରା ଢଙ୍ଗରେ ପ୍ରତିବାଦ କଲେ ଚାଷୀ
ଆଳି: ଆରେ ଆରେ ଇଏ କଣ । ଏମିତି ବ୍ୟକ୍ତି ଜଣକ ଲମ୍ବ ହୋଇ ମାଟି ଉପରେ ଶୋଇରହିଛନ୍ତି, ତାପୁଣି ଜିଲ୍ଲାପାଳଙ୍କ ଗାଡି ସମ୍ମୁଖରେ । ଆଉ ଏପଟେ ଏସବୁ ଦେଖି କିଛି ବାବୁ ମାନେ ଧାଇଁ ଆସୁଛନ୍ତି ବ୍ୟକ୍ତିଙ୍କ ନିକଟକୁ ଆଉ ଜଲଦି ଉଠୁ ଉଠୁ ବୋଲି କହୁଛନ୍ତି । ସେମାନଙ୍କ କଥା ମାନି ବ୍ୟକ୍ତି ଜଣକ ଉଠିଯାଉଛନ୍ତି ଏବଂ ହାତ ଯୋଡି କହୁଛନ୍ତି ପାଣି ଦିଅନ୍ତୁ ନହେଲେ ମାରି ଦିଅନ୍ତୁ । କି ପାଣି କଥା କହୁଛନ୍ତି ଏଇ ବ୍ୟକ୍ତି? କଣ ଗୋଟେ ଘଟିଛି ନିଶ୍ଚିତ । ତେବେ ବୁଝୁ ବୁଝୁ ଯାହା ଜଣାପଡିଲା କି ଏଇ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଚାଷୀ । ଅନେକ ଚାଷୀ ଆସିଛନ୍ତି ଜିଲ୍ଲାପାଳଙ୍କ ନିକଟକୁ ନିଜର ସମସ୍ୟା ସମ୍ପର୍କରେ ଅବଗତ କରିବା ପାଇଁ । ସେହି ସମୟର ଏଇ ଦୃଶ୍ୟ ।
ତେବେ ଏହି ଚାଷୀମାନଙ୍କର ଅଭିଯେୋଗ ମୁତାବକ, କଲଭଟ ନିର୍ମାଣ ପାଇଁ ଆର୍.ଡି. ବିଭାଗ ନାଳ ଉପରେ ବନ୍ଧ ବାନ୍ଧିବାରୁ ସେମାନଙ୍କ ଚାଷ ଜମିକୁ ପାଣି ଯାଉନି । ଯାହାଫଳରେ ପାଣି ଅଭାବରୁ ଶହ ଶହ ଏକର ଧାନ ଫସଲ ନଷ୍ଟ ହେବାକୁ ବସିଲାଣି । ବାରମ୍ବାର ଆର୍.ଡି. ବିଭାଗକୁ ଗୁହାରି କଲେ ସୁଦ୍ଧା କେହି ଶୁଣୁନାହାନ୍ତି । ଶେଷରେ ଜିଲ୍ଲାପାଳଙ୍କ ଗାଡ଼ି ସମ୍ମୁଖରେ ଶୋଇ ଏମିତି ପ୍ରତିବାଦ କରିଛନ୍ତି ଜଣେ ଚାଷୀ ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ବାଘବୁଦା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଜନଶୁଣାଣି ସରିଯିବା ପରେ ଏଇ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚାଷୀ ଜଣକ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ । ସୂଚନା ଅନୁଯାୟୀ ରାଜକନିକା ବ୍ଲକ ବଳିଭଣ୍ଡା ଗାଁ ନିକଟରେ ଥିବା ଚଢ଼େଇଖିଆ ନାଳ ଓ ଉଜାଙ୍ଗ ମାହରାକୁ ଆର୍.ଡି. ବିଭାଗ ପକ୍ଷରୁ ଦୀର୍ଘଦିନ ହେବ ବନ୍ଧ ବାନ୍ଧି ଦିଆଯାଇଛି । ଫଳରେ ନାଳରେ ଆଉ ପାଣି ଆସୁନାହିଁ । ନାଳପାଣି ଉପରେ ନିର୍ଭରକରି ହୋଇଥିବା ଶହଶହ ଏକର ଧାନ ଫସଲ ଏବେ ନଷ୍ଟ ହେବାକୁ ବସିଲାଣି । ତେଣୁ ଡାଇଭର୍ଶନ ରୋଡ଼ ନକରି ନାଳଗୁଡିକୁ ରାଜକନିକାର ଆର୍.ଡି. ବିଭାଗ ବେଆଇନ ଭାବେ ବନ୍ଧ ବାନ୍ଧିଥିବାରୁ ଧାନ ଫସଲ ନଷ୍ଟ ହେବାକୁ ବସିଥିବା ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଏନେଇ ଅଭିଯୋଗ ହେବା ପରେ ରାଜକନିକା ଆର୍.ଡି. ବିଭାଗର ଏସଡିଓ ଘଟଣାସ୍ଥଳକୁ ଯାଇ ବୁଲିଦେଖିଛନ୍ତି । ହେଲେ ଏନେଇ ଆମେ ପତିକ୍ରିୟା ନେବାକୁ ଚାହିଁଥିଲୁ । କିନ୍ତୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ସେ ଯାହା ବି ହେଉନା କାହିଁକି ଚାଷୀ ହସିଲେ ଦୁନିଆ ହସିବ ଏକଥା ଆମେ ସଭିଏଁ ଜାଣିଛେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷଟା ଯାକ ପରିବାର ସହିତ କ୍ଷେତରେ ଫସଲ କରିଥାଏ । ସେ ନିଜେ ବର୍ଷ ସାରା ଖାଇବା ସହିତ ଦୁନିଆକୁ ଆହାର ଯୋଗାଇ ଥାଏ । କିନ୍ତୁ ଯିଏ ଆହାର ଯୋଗାଉଛି ସେ ଯଦି ଆଜି ନିଜେ ହତାଶ ହୋଇଯିବେ ତେବେ ଦୁନିଆର ଅବସ୍ଥା କଣ ହେବ? ତେଣୁ ଏ ଦିଗରେ ତୁରନ୍ତ କିଛି ପଦକ୍ଷପ ଗ୍ରହଣ କରିବା ନିହାତୀ ଜରୁରୀ ।