ରାଜ୍ୟ

ମଣପୁରମ୍‌ ଫାଇନାନ୍ସରେ ସଶସ୍ତ୍ର ଡକାୟତି: ପଶ୍ଚିମବଙ୍ଗରୁ ପଙ୍କଜ ସମେତ ୨ ଗିରଫ

ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୁଲିସ। ଅଭିଯୁକ୍ତ ଡକାୟତ ବିହାର ହାଜିପୁରର ପଙ୍କଜ ପାଶୱାନ (୨୬)କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନକୁ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ ଡକାୟତି ସହିତ ବେଆଇନ ଅସ୍ତ୍ର କାରବାର ମାମଲା ରୁଜୁ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଲୁଟ୍‌ ହୋଇଥିବା ୨୮ରୁ ଅଧିକ କେଜି ସୁନା ଏବଂ ନଗଦ ୪.୮୧ ଲକ୍ଷ ଟଙ୍କା ଉଦ୍ଧାର କରାଯାଇପାରି ନାହିଁ। ଏହି ଗ୍ୟାଙ୍ଗ୍‌ର ମୁଖ୍ୟ ଉତ୍ତମ ଓ ସଞ୍ଜୟ ସହିତ ୬ ଜଣ ଫେରାର ଅଛନ୍ତି। ବିଭିନ୍ନ ଭାଗରେ ବିଭକ୍ତ ହୋଇଥିବା ସମ୍ବଲପୁର ପୁଲିସର ଟିମ୍‌ ବର୍ତ୍ତମାନ ବାହାର ରାଜ୍ୟରେ ରହି ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ କହିଛନ୍ତି।

ସୁନା, ଟଙ୍କା ଉଦ୍ଧାର ହେଲାନି
ଟିମ୍‌ ଲିଡର୍‌ ଉତ୍ତମ, ସଞ୍ଜୟ ସହିତ ୬ ଫେରାର
ଜେଲ୍‌ରେ ଥାଇ ସୁବୋଧ, ପଲୁ କରିଥିଲେ ଯୋଜନା
ଯାଜପୁର ଡକାୟତିରେ ମୁଖ୍ୟ ଗ୍ୟାଙ୍ଗ୍‌ର ସଂପୃକ୍ତି

ସମ୍ବଲପୁର ମଣପୁରମ୍‌ ଡକାୟତିରେ ବିହାରର କୁଖ୍ୟାତ ଅପରାଧୀ ସୁବୋଧ ସିଂ ଏବଂ ପଲୁ ସିଂ ଗ୍ୟାଙ୍ଗ୍‌ର ସଂପୃକ୍ତି ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଯାଜପୁର ଡକାୟତି ଘଟଣାରେ ପଙ୍କଜ ପାଶୱାନର ଟିମ ସଂପୃକ୍ତ ନଥିଲେ ମଧ୍ୟ ସେମାନଙ୍କ ମୁଖ୍ୟ ସୁବୋଧ ସିଂର ଗ୍ୟାଙ୍ଗ୍‌ ସାମିଲ ରହିଛି। ଏହି ଦୁଇ ଗ୍ୟାଙ୍ଗ୍‌ ଲିଡର୍‌ ଜେଲରେ ରହି ଲୁଟ୍‌ପାଟ୍‌ର ରଣନୀତି ପ୍ରସ୍ତୁତ କରୁଛନ୍ତି। ସମ୍ବଲପୁରରେ ଡକାୟତି ପାଇଁ ଉଭୟ ନିଜ ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଡକାୟତ ଉତ୍ତମ, ସଞ୍ଜୟ ଓ ପଙ୍କଜକୁ ବାଛିଥିଲେ। ଉତ୍ତମ ଏବଂ ସଞ୍ଜୟ ନାମରେ ପୂର୍ବରୁ ବିହାର ହାଜିପୁରରେ ୧ କୋଟି ଟଙ୍କାର ଡକାୟତି ସହିତ ସୁନା ଡକାୟତିର ମାମଲା ରହିଛି। ତେଣୁ ସେ ହିଁ ମୁଖ୍ୟତଃ ଏହି କାଣ୍ଡର ନେତୃତ୍ବ ନେଇଥିଲା। ସେମାନେ ସମସ୍ତେ ଭାଇ ଥିବାରୁ ସେମାନଙ୍କ ମଧ୍ୟରେ ଭଲ ସମନ୍ବୟ ରହିଥିଲା। ପୂର୍ବ ଯୋଜନା ଅନୁସାରେ ୩ ଜଣ ଯାକ ଦେଢ଼ମାସ ପୂର୍ବରୁ ଠେଲକୁଲିର ଏକ ଭଡ଼ାଘରେ ରହୁଥିଲେ। ସେମାନଙ୍କର ଆଉ ଜଣେ ସମ୍ପର୍କୀୟ ଭାଇ ଅଜୟ ନାଁରେ ଏହି ଘର ନିଆଯାଇଥିଲା। ପ୍ରାୟ ଏକ ମାସ ଧରି ସମସ୍ତେ ନିୟମିତ ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ ଅଫିସର କାର୍ଯ୍ୟଧାରା ଉପରେ ନଜର ରଖିଥିଲେ। ନକଲି ଗ୍ରାହକ ସାଜି କାର୍ଯ୍ୟାଳୟ ଭିତରକୁ ଯାଇ ଡକାୟତିର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିଥିଲେ।

ଏହି କାଣ୍ଡ ପାଇଁ ଅଧିକ ସହଯୋଗୀଙ୍କ ଆବଶ୍ୟକତା ଥିବାରୁ ବିହାରରୁ ଆହୁରି କିଛି ଡକାୟତଙ୍କୁ ଅଣାଯାଇଥିଲା। ସମସ୍ତେ ମିଳିତ ଭାବରେ ୩ ତାରିଖରେ ଏହି କାଣ୍ଡ ଭିଆଇଥିଲେ। ସମ୍ବଲପୁର ମଣପୁରମ୍‌ କାର୍ଯ୍ୟାଳୟରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ ମାତ୍ର ୨୦ରୁ ୨୫ ମିନିଟ ମଧ୍ୟରେ ସେମାନେ ଲକର୍‌ରୁ ବିପୁଳ ସୁନା ସହିତ ନଗଦ ଟଙ୍କା ନେଇଯିବାରେ ସକ୍ଷମ ହୋଇଥିଲେ। ଉତ୍ତମ ଏବଂ ସଞ୍ଜୟର ଫଟୋ ପୁଲିସ ଜାରି କରିବା ସହିତ ଉଭୟଙ୍କ ସଂପର୍କରେ କେହି ସୂଚନା ଦେଲେ ୧ ଲକ୍ଷ ଅର୍ଥ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ତେବେ ବର୍ତ୍ତମାନ ସୁଦ୍ଧା ପୁଲିସକୁ ଏଥିରେ ସଫଳତା ମିଳିନାହିଁ। ଉଭୟ ଅପରାଧୀଙ୍କ ନାଁରେ ଅନେକ ପୁରୁଣା ମାମଲା ରହିଛି। ଏହି ଘଟଣାରେ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟର କୌଣସି କର୍ମଚାରୀ ସଂପୃକ୍ତ ନଥିବା ପୁଲିସ କହିଛି।

 

Leave a Reply

Your email address will not be published. Required fields are marked *

Back to top button