ରାଜନୀତି

ନିର୍ବାଚନ ପୂର୍ବରୁ ଦଳ ଛାଡିଲେ ଆପ୍ ର ୮ ବିଧାୟକ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ର ୮ ବିଧାୟକ ଦଳ ଛାଡ଼ିଛନ୍ତି। ଟିକଟରୁ ବଞ୍ଚିତ ୮ ବିଧାୟକ ଦଳ ଉପରେ ଲୋକଙ୍କ ଆସ୍ଥା ନାହିଁ କହି ଦଳକୁ ବାଏ ବାଏ କରିଛନ୍ତି। ଦଳ ସଚ୍ଚୋଟ ରାଜନୀତିର ନୀତି ଭୁଲିଯାଇଛି କହି ଆରୋପ ଲଦିଛନ୍ତି। କିଏ କହିଛି, ଆପ୍ ଦେଇଥିବା ପ୍ରମୁଖ ପ୍ରତିଶୃତି ପୂରଣ ହୋଇପାରିନି। ହାଇକମାଣ୍ଡ ପୁରା ଭ୍ରଷ୍ଟ। ଲୋକଙ୍କ ସହ କରିଛନ୍ତି ବିଶ୍ୱାସଘାତକ। ଇସ୍ତଫା ଦେଇଥିବା ବିଧାୟକମାନେ ହେଲେ ଭାବନା ଗୌଡ଼, ମଦନ ଲାଲ, ରାଜେଶ ରିସି, ପଓ୍ୱନ ଶର୍ମା, ନରେଶ ଯାଦବ, ଗିରିଶ ସୋନି, ରୋହିତ ମେହେରୁଲିଆ ଓ ଭୁପେନ୍ଦ୍ର ସିଂ ଜୁନ୍। ସେମାନଙ୍କ ଟିକଟ କାଟି ଯେଉଁମାନଙ୍କୁ ଟିକଟ ଦିଆଯାଇଛି, ସେମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ। ସେଥିଲାଗି ଦଳ ସିଦ୍ଧାନ୍ତ ଓ ନୀତିରୁ ଦୂରେଇ ଯାଇଛି ବୋଲି ଅନୁଭବ ହେଉଛି। ଚାପ କି ଲୋଭ ଥିଲେ, ଟିକଟରୁ ବଞ୍ଚିତ ଦେଢ଼ ମାସ ହେଲା ପୁଣି ସେମାନେ ଦଳରେ ଥିଲେ କେମିତି।

ଜଣକ ପରେ ଜଣେ ବିଧାୟକ ଦଳ ଛାଡ଼ିବାକୁ ନେଇ ଆପ୍ କହିଛି, ଏହା ପଛରେ ରହିଛି ସାଙ୍ଘାତିକ ଷଡ଼ଯନ୍ତ୍ର। ଏହା ପଛରେ ବିଜେପି ଓ କଂଗ୍ରେସର ହାତ ରହିଛି। ଆଉ ଦୁଇ ବିଧାୟକ ଋତୁରାଜ ଝା ଓ ଦିଲ୍ଲୀପ ପାଣ୍ଡେ ଗଣମାଧ୍ୟମ ଆଗକୁ ଆସି କହିଛନ୍ତି, ସେମାନଙ୍କୁ ବି ଏଥର ଦଳ ଟିକଟ ଦେଇନି। ବିଜେପି ଓ କଂଗ୍ରେସ ପକ୍ଷରୁ ପଦର ଲାଳସା ଦେଇ ଆମ୍ ଆଦମୀ ଦଳ ଛାଡ଼ିବାକୁ ଚାପ ପକାଯାଉଥିଲା। କିନ୍ତୁ ସେମାନେ ଏଭଳି ପ୍ରଲୋଭନର ପାଲରେ ପଡ଼ିଲେନି। ସେମାନେ ଆପ୍‌ରେ ଅଛନ୍ତି ଆଉ ରହିବେ। ଆପ୍‌ ସହ କଦାପି ବିଶ୍ୱାସଘାତକ କରିବେନି।

ଇସ୍ତଫା ଦେଇଥିବା ଆପ୍ ବିଧାୟକ ପଦ୍ମ ଧରିବେ ବୋଲି କୁହାଯାଉଛି। ଆପ୍ ର ଭୋଟ କାଟି ବିଜେପିକୁ ଦେବାକୁ କଂଗ୍ରେସ ରଣନୀତି କରିଛି ବୋଲି ମନୀଷ ସିସୋଦିଆ ଆରୋପ ଲଦିଛନ୍ତି। ବିଜେପି କହିଛି, କେଜ୍ରିଓ୍ୱାଲଙ୍କ ଆପ୍ ବୁଡ଼ିବାକୁ ଯାଉଛି। ଦିଲ୍ଲୀବାସୀ ଦିଲ୍ଲୀରେ ଏଥର ଡବଲ ଇଞ୍ଜିନ୍ ସରକାର ଆଣିବାକୁ ମନସ୍ଥ କରିସାରିଲେଣି।

ଦିଲ୍ଲୀ କାହାର। ଫେବୃଆରୀ ୮ରେ ଜନତା ଜନାର୍ଦ୍ଦନଙ୍କ ରାୟ ଆସିବ। ଏହା ପୂର୍ବରୁ ଆପ୍‌ରୁ ୮ ବିଧାୟକଙ୍କ ଇସ୍ତଫା ନିର୍ବାଚନରେ କାହାକୁ କେତେ ଫାଏଦା ଦେବ, ସମୟ କହିବ।

Leave a Reply

Your email address will not be published. Required fields are marked *

Back to top button