ରାଜନୀତି

ଠେଙ୍ଗା ତତ୍ତ୍ୱ- ବାବୁ ବନାମ ବିଜେଡି

ଖଣ୍ଡଗିରି ମେଳାରେ କୌଣସି ପରିସ୍ଥିତିରେ ଅଶ୍ଲୀଳତାକୁ ବରଦାସ୍ତ କରାଯିବନି। ଅଶ୍ଳୀଳ ନୃତ୍ୟ କଲେ ଏଣିକି ଠେଙ୍ଗା ପାହାର। ଅଧର୍ମ ବୃଦ୍ଧି ହେଲେ ଠେଙ୍ଗା ଉଠାଯାଏ କହି ସଂସ୍କୃତି ବିରୋଧୀଙ୍କୁ ସାବାଡ଼ କରିବାକୁ ଠେଙ୍ଗା ବାହିନୀ ଗଠନ କଲେ ଏକାମ୍ର ବିଧାୟକ ବାବୁ ସିଂ। ପ୍ରତି ଯାତ୍ରାମଞ୍ଚ ପାଖରେ ଏହି ଠେଙ୍ଗାବାହିନୀ ରହିବେ। ଅଶ୍ଳୀଳତା ପ୍ରଦର୍ଶନ ମାତ୍ରେ ଠେଙ୍ଗା ବାହିନୀ ତାଙ୍କ କାମ କରିବ। ଏପରିକି ଯେଉଁ ପାର୍ଟି ଅଶ୍ଲୀଳତାକୁ ପ୍ରଶ୍ରୟ ଦେବ, ତାକୁ ସବୁଦିନ ଲାଗି ଖଣ୍ଡଗିରି ମେଳାରୁ ବ୍ୟାନ୍ କରାଯିବ। ସଂସ୍କୃତିକୁ କଦର୍ଥ କରିବାକୁ ଚେଷ୍ଟା କଲେ ଠିକଣା ଜବାବ ମିଳିବ। ଅଶ୍ଳୀଳ ନୃତ୍ୟ ସାଙ୍ଗକୁ ଦ୍ୱିଅର୍ଥ ବୋଧକ କମେଡିକୁ ବି ପ୍ରଶ୍ରୟ ଦିଆଯିବନି। ଯେଉଁ କିଛି ମହିଳା ଅଶ୍ଲୀଳତା ପ୍ରଦର୍ଶନକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ଖଣ୍ଡଗିରିରେ ପୁରାଇ ଦିଆଯିବନି।

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ବିଏମସି ବି ଯାତ୍ରା ପାର୍ଟି ମାଲିକଙ୍କୁ ଚିଠି ଲେଖିଛି। ଖଣ୍ଡଗିରିର ଯେଭଳି ମର୍ଯ୍ୟାଦା ହାନି ନ ହୁଏ, ସେ ଦିଗରେ ଯତ୍ନବାନ୍ ହେବାକୁ କୁହାଯାଇଛି। ମଙ୍ଗଳବାରରୁ ଖଣ୍ଡଗିରରେ କୁମ୍ଭମେଳା ଆରମ୍ଭ ହୋଇଛି। ମାଘପୂର୍ଣ୍ଣମୀ ଅର୍ଥାତ ୧୨ ଯାଏଁ ଏହା ଚାଲିବ। ସେପଟେ ବିଧାୟକ ବାବୁ ସିଂଙ୍କ ଠେଙ୍ଗା ବାହିନୀ ଓ ଏଭଳି ଘୋଷଣାକୁ ବିଜେଡି ବିରୋଧ କରିଛି। ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଛି। କିନ୍ତୁ ଶାସକ ଦଳ ବିଧାୟକ କଳାକାରଙ୍କୁ ଠେଙ୍ଗା ପାହାର ଦେବାକୁ ଚେତାବନୀ ଦେବେ କେତେଦୂର ଗ୍ରହଣୀୟ ବୋଲି ପଚାରିଛି ବିଜେଡି। ଏ ସନ୍ଦର୍ଭରେ ଭୁବନେଶ୍ୱର ବିଜେଡି ଟିମ୍ ଓ ବିଧାୟକ ପର୍ଯ୍ୟଟନ ନିର୍ଦେଶକଙ୍କୁ ଭେଟି ଫେରାଦ୍ ହୋଇଛନ୍ତି। ଖଣ୍ଡଗିରି ମେଳାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। କିନ୍ତୁ ଶାସକ ଦଳର ବିଧାୟକଙ୍କ ଏଭଳି ମାଡ଼ ତତ୍ତ୍ୱ ପର୍ଯ୍ୟଟକଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ। ଆଇନକୁ ହାତକୁ ନେବା କେତେଦୂର ଯଥାର୍ଥ ବୋଲି ପଚାରିଛନ୍ତି।

ଅପସଂସ୍କୃତି ଓ ଅଶ୍ଳୀଳତାକୁ ରୋକିବାକୁ ବାବୁଙ୍କ ଠେଙ୍ଗା ପାହାର ତତ୍ତ୍ୱ ଯେତିକି ଗ୍ରହଣୀୟତା ପାଉଛି ସେତିକି ସମାଲୋଚନାର ଶୀକାର ବି। ଆଗକୁ ଏହା କି ମୋଡ଼ ନେବ, ତା ଉପରେ ନଜର।

Leave a Reply

Your email address will not be published. Required fields are marked *

Back to top button