ଅମରଙ୍କ ବିଜେପିରେ ମିଶିବା ପ୍ରଭାବ ଶୂନ୍ୟ: ବିଜେଡି

ଭୁବନେଶ୍ୱର:- ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ବିଜେପିରେ ଯୋଗଦାନର କୌଣସି ପ୍ରଭାବ ପଡିବ ନାହିଁ ଓ ସୁବିଧାବାଦ ରାଜନୀତିର ଆଉ ଏକ ଉଦାହରଣ ସୃଷ୍ଟି କଲେ ବୋଲି ବିଜେଡି କହିଛି ।
ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ସାଧାରଣ ସମ୍ପାଦିକା ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ. ଲେନିନ୍ ମହାନ୍ତି, ସାଧାରଣ ସମ୍ପାଦିକା ଶ୍ରୀମତୀ ରଂଜିତା ସାହୁ ଓ ରୀତାଞ୍ଜଳୀ ପ୍ରଧାନ ପ୍ରମୁଖ କହିଛନ୍ତି ଯେ, ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଶ୍ରୀ ଅମର ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ସହ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରି ରାଜନୈତିକ ପରିଚୟ ଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେପିର ଭୋଟ ଚୋରି ବାବଦରେ ସମସ୍ତ ତଥ୍ୟ ସହ ନିର୍ବାଚନ କମିଶନ ନିକଟରେ ବିଜୁ ଜନତା ଦଳ ତରଫରୁ ଅଭିଯୋଗ ଦାୟର ହୋଇଥିଲା । ଯେଉଁଥିରେ ଅମର ପଟ୍ଟନାୟକ ପ୍ରମୁଖ ଭୂମିକା ନେଇଥିଲେ । ବର୍ତ୍ତମାନ ବିଜେପିରେ ସାମିଲ ହେଲା ପରେ ଭୋଟ ଚୋରି ସଂପର୍କରେ ଅମର ପଟ୍ଟନାୟକ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ଅବସର ଗ୍ରହଣ କରିବା ପରେ ବିଜୁ ଜନତା ଦଳର ଆଦର୍ଶ ତଥା ନବୀନ ବାବୁଙ୍କ ନେତୃତ୍ୱକୁ ସର୍ବଦା ପ୍ରଶଂସା କରିଆସୁଥିବା ଅମର ପଟ୍ଟନାୟକ ବର୍ତ୍ତମାନ ରାଷ୍ଟ୍ର ନିର୍ମାଣ କରିବା ପାଇଁ ବିଜେପିରେ ଯୋଗ ଦେଲି କହିବା ହାସ୍ୟାସ୍ପଦ । ସାମାଜିକ ଗଣମାଧ୍ୟମରେ ପ୍ରତ୍ୟେକ ଦିନ ବିଜେପିର ଶୀର୍ଷ ନେତୃତ୍ୱ ତଥା ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ଓ ଅପାରଗତାକୁ ଲୋକଲୋଚନକୁ ଆଣୁଥିବା ଶ୍ରୀ ପଟ୍ଟନାୟକ ଆଜି ହଠାତ ୟୁଟର୍ଣ୍ଣ ନେଇ ବିଜେପି ୱାସିନମେସିନ୍ରେ ପଶିବା ସୁବିଧାବାଦ ରାଜନୀତିର ଶ୍ରେଷ୍ଠ ଉଦାହରଣ ।
ଉପନିର୍ବାଚନ ପ୍ରଚାର ସକାଶେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୂଆପଡାରେ ଥିବା ସମୟରେ ବିଜେପି ଅମର ପଟ୍ଟନାୟକଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ସମୟ ଧାର୍ଯ୍ୟ କରିବା, ରାଜନୈତିକ ଉଦେ୍ଦଶ୍ୟପ୍ରଣୋଦିତ । ଯେଉଁଭଳି ଭାବେ ନୂଆପଡାବାସୀ ଆଜି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଛନ୍ତି, ଏହାଦ୍ୱାରା ବିଜେପିର ଯୋଜନାବଦ୍ଧ ମିଶ୍ରଣ ଉଦ୍ୟମ ଫସରଫାଟିଛି ଓ ଉପନିର୍ବାଚନରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଡ. ମହାନ୍ତି କହିଛନ୍ତି ।




