ନବୀନ ନିବାସରେ ଅଭୂତପୂର୍ବ ଘଟଣା: ପ୍ରଭାତ ବିଶ୍ୱାଳଙ୍କୁ ବିଜେଡିରୁ ବହିଷ୍କାର

ଭୁବନେଶ୍ୱର:- ବିଜୁ ଜନତା ଦଳ (ବିଜେଡି)ର ଇତିହାସରେ ଅଭୂତପୂର୍ବ ଘଟଣା ଭାବେ ଶନିବାର ନବୀନ ନିବାସରେ ଘଟିଥିବା ଘଟଣା ରାଜନୈତିକ ମହଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଶ୍ନ କରିବା ପରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ଏହି କଠୋର ପଦକ୍ଷେପ ନିଆଯାଇଛି।
ରାଜ୍ୟସଭା ପ୍ରାର୍ଥୀ ଘୋଷଣା ବେଳେ ଉତ୍ତେଜନା
ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଅବସରରେ ଦଳର ସମସ୍ତ ବିଧାୟକ ଓ ନେତାଙ୍କୁ ଡକାଯାଇଥିଲା। ବିଧାୟକ ନ ଥିବା ସତ୍ୱେ ପ୍ରଭାତ ବିଶ୍ୱାଳ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କ ସହିତ ନବୀନ ନିବାସରେ ପହଞ୍ଚିଥିଲେ।
ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା ପଢ଼ୁଥିବା ବେଳେ ପ୍ରଭାତ ନିଜ ଆସନରୁ ଗୋଟିଏ ମିନିଟ୍ କହିବାକୁ ଅନୁମତି ଚାହିଁଥିଲେ। ପରେ ଆଲୋଚନା କରିବାକୁ କୁହାଯାଇଥିବା ସତ୍ୱେ ସେ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ଠିକ୍ ନିଷ୍ପତ୍ତି ନୁହେଁ ବୋଲି ସେ କହିଥିଲେ।
ଏଥିରେ ନବୀନ ପଟ୍ଟନାୟକ ପ୍ରଭାତଙ୍କୁ ପ୍ରଶ୍ନ କରିଥିଲେ— “ଆପଣ କିଏ ଏହି ନିଷ୍ପତ୍ତି ନେବାକୁ?” ଏହି ସମୟରେ ପ୍ରଭାତଙ୍କ ପୁଅ ସୌଭିକ ମଧ୍ୟ ଉଚ୍ଚ ସ୍ୱରରେ ପ୍ରତିବାଦ କରିଥିବା ଦେଖାଯାଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ କିଛି ବିଧାୟକ ପ୍ରଭାତଙ୍କୁ ବୁଝାଇ କକ୍ଷରୁ ବାହାରକୁ ନେଇଯାଇଥିଲେ।
“ଏକପାଖିଆ ନିଷ୍ପତ୍ତି” ବୋଲି ଅଭିଯୋଗ
କକ୍ଷରୁ ବାହାରିବା ପରେ ପ୍ରଭାତ ବିଶ୍ୱାଳ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏହା ଏକପାଖିଆ ନିଷ୍ପତ୍ତି। ଯେଉଁମାନେ ପ୍ରକୃତରେ ଦଳ ପାଇଁ କାମ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବା ଉଚିତ୍। ଅନେକ ପରାଜିତ ପ୍ରାର୍ଥୀ ଥିବା ସତ୍ୱେ ସେମାନଙ୍କୁ ସୁଯୋଗ ଦିଆଯାଇପାରୁଥାନ୍ତା ବୋଲି ସେ ମତପ୍ରକାଶ କରିଥିଲେ।
ଏହି ଘଟଣା ପରେ ଦଳ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପ୍ରଭାତ ବିଶ୍ୱାଳଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି। ଘଟଣାଟି ଓଡ଼ିଶା ରାଜନୀତିରେ ନୂତନ ଚର୍ଚ୍ଚାକୁ ଜନ୍ମ ଦେଇଛି।




